Pallabi Das

Others

3  

Pallabi Das

Others

ବିଗତ ଦିନର ସ୍ମୃତି

ବିଗତ ଦିନର ସ୍ମୃତି

4 mins
427


କାହିଁକି କେଜାଣି, ଆଜି ବର୍ଷା ଥମିବାର ନାଁ ନଉନି | ପ୍ରବଳ ବେଗରେ ପବନ ବୋହିବା ସହ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଯାଇଛି |

ରିମା ର ଗତି କ୍ଷିପ୍ର ହେଇଯାଇଛି, ଅନ୍ୟମନସ୍କଙ୍କ ପରି ସେ ଆଗେଇ ଚାଲିଛି ଘର ଅଭିମୁଖେ | ଏତିକି ବେଳେ ଛୁଆଟିଏ ସାଇକେଲରେ ଆସି କୁଟି ଦେଲା ପଛରୁ | ରିମା ତଳେ ପଡ଼ିଯାଇଥିଲା | ତା ହାତ ଆଉ ଆଣ୍ଠୁ ଗଣ୍ଠି ଖଣ୍ଡିଆ ହୋଇଯାଇଥିଲା | ପିଲାଟି ର ବେଶି କିଛି ହୋଇନଥିଲା | ପିଲାଟିକୁ ତଳୁ ଉଠେଇ ତା ସାଇକେଲ ଚେନ ଲଗେଇ ରିମା ପୁଣି ଚାଲିଲା ଘରକୁ | ଠିକ୍ ଘର ଗେଟ୍ ପାଖାପାଖି ପହଞ୍ଚିଛି କି ନାହିଁ ହଠାତ୍ ରହିଯାଇ ନିଜକୁ ଠିକ୍ ଭାବରେ ସଜେଇ ଦେଲା ଯେମିତି ରାସ୍ତା ରେ କିଛି ଘଟି ନଥିଲା ନହେଲେ ତା ମାଆ ବୋହୁତ୍ ବ୍ୟସ୍ତ ହୋଇପଡ଼ିବେ | ଖଣ୍ଡିଆ ହାତଟାକୁ ଚୁନି ରେ ଘୋଡେଇ ରିମା ସିଧା ଚାଲିଗଲା ଘର ଭିତର ଦେଇ ନିଜ ରୁମ୍ କୁ, ମାଆ ପଛରୁ ପଚାରୁଥିଲେ - "ଏତେ ଡେରି କାହିଁକି ହେଲା ? " କିଛି ଉତ୍ତର ଦେଇ ନଥିଲା ରିମା |

ମାଆ ଖାଇବା ପରସି ପୁଣି ଡାକ ଛାଡ଼ିଲେ-" ରିମା ଆସେ ଖାଇବୁ" | ରିମା ହାତଗୋଡ଼ରେ ଔଷଧ ଲଗେଇ, ଫୁଲ୍ ଡ୍ରେସ୍ ପିନ୍ଧି ଆସି ବସି ପଡ଼ିଲା ଖାଇବାକୁ ମାଆ ପୁଣି ପଚାରିଲେ- "ଏତେ ଡେରି କାହିଁକି ହେଲା ? " - ରିମା କହିଲା - "କିଛି ନାହିଁ ମାଆ, ଟ୍ରାଫିକ ବୋହୁତ୍ ଥିଲା" | ଖାଇବା ସାରି ଆସି ଶୋଇଗଲା ନିଜ ରୁମ୍ ରେ | ଆଖି ବନ୍ଦ କରିବା ମାତ୍ରେ ତାର ପୁଣି ମନେ ପଡ଼ିଗଲା ଅଶୋକ କଥା | ଆଜି ଘରକୁ ଫେରିବା ରାସ୍ତାରେ ଅଶୋକ କୁ ଭେଟିଥିଲା, ତା କୁନି ଝିଅ ସାଥୀରେ | ଅଶୋକ ତାକୁ ଦେଖି, ନଦେଖିଲା ପରି ଚାଲି ଯାଇଥିଲା ନିଜ ରାସ୍ତା ରେ | ରିମା ଭାବିବାକୁ ଲାଗିଲା କୋଉଠି ତାର ଭୁଲ୍ ଥିଲା | ଆଠ ବର୍ଷ ପୂର୍ବ କୁ ପୁଣି ଫେରି ଯାଇଥିଲା | କାଲି ପରି ମନେ ହେଉଛି ତା ବାପାଙ୍କ ବଦଳି ଯୋଗୁ ରିମା ତା ପରିବାର ସହ ଆସି ରହିଥିଲା ଏଇ ସହରେ | ବୋହୁତ୍ କିଛି ଦେଇଚି ଏଇ ସହର କେବେ ଖୁସି ତ କେବେ ଦୁଃଖ ସବୁ ଭିତରେ ରିମା ବଞ୍ଚିବାର କଳା ଶିଖି ଯାଇଛି | ଅଶୋକ ଆଉ ସେ ଏକା କଲେଜ ରେ ପାଠ ପଢୁଥିଲେ, ଭଲ ସାଙ୍ଗ ଥିଲେ | ପଢ଼ା ସରିବା ପରେ ଅଶୋକ ର ମାଆ ରିମାକୁ ବୋହୂ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଆଉ ଅଶୋକ ବି ସେଥିରେ ଖୁସି ହୋଇଯାଇଥିଲା | ରିମା ଘରେ ତା ମାଆ ବି ରାଜି ଥିଲେ କିନ୍ତୁ ରିମା ର ବାପା ଟିକେ ଚିନ୍ତା ରେ ଥିଲେ କାରଣ ଅଶୋକ ତାଙ୍କୁ ରିମା ପାଇଁ ଉଚିତ୍ ମନେ ହଉ ନଥିଲା | ତଥାବି ଝିଅ ଖୁସି ରେ ସେ ଖୁସି ହବାକୁ ଚେଷ୍ଟା କରୁଥିଲେ | ଦିନ ବିତି ଚାଲିଲା ଅଶୋକ ନିଜ ଚାକିରି ରେ ଏମିତି ବ୍ୟସ୍ତ ହେଲା ଯ ରିମା ତାକୁ ବୋଝ ପରି ଅନୁଭୂତ ହେଲା, ରିମା ଦିନ ରାତି ପ୍ରୟାସ୍ କରୁଥିଲା କେମିତି ସେ ଅଶୋକ କୁ ଖୁସିରେ ରଖିବ, କେମିତି ନିଜ ଗୋଡ଼ରେ ଠିଆ ହବ | ୟାଡ଼େ ଅଶୋକର ଘର ଲୋକ ଅଶୋକ ପାଇଁ ଆହୁରି କନିଆ ଦେଖିବା ଆରମ୍ଭ କରି ଦେଇଥାନ୍ତି, ଅଶୋକ ରିମା କୁ ଲୁଚେଇବାକୁ ଚେଷ୍ଟା କରେ କିନ୍ତୁ ରିମା ଜାଣିପାରେ , ରିମା କିଛି କହିଲେ ଅଶୋକ କୁହେ- "ଚାକିରି ରେ ମନଦେ" | ରିମା ଯେତେ ଚେଷ୍ଟା କରୁଥିଲା ସବୁ ଠିକ୍ କରିବାକୁ ଅଶୋକ ସେତେ ଅଧିକ ଅନ୍ଧବିଶ୍ୱାସ ଆଉ ଲୋଭର ଶିକାର ହଉଥିଲା |

ରିମା ଚୁପ୍ ଚାପ୍ ରହିବା ଆରମ୍ଭ କରିଦେଇଥିଲା, ସେଇ ଭିତରେ ଦିନେ ହଠାତ୍ ସାଙ୍ଗମାନଙ୍କ ଠାରୁ ଶୁଣିବାକୁ ପାଇଥିଲା ଅଶୋକ ର ବିବାହ ଖବର | କିଛି କହିଲାନି ଚୁପ୍ ହେଇଗଲା ବୋହୁତ୍ ଦିନ ଯାଏ, ଦିନେ ହଠାତ୍ ଅଶୋକ ଫୋନ କରି ଭୁଲ ମାଗିଲା ଆଉ ସବୁ ଘଟଣା କ୍ରମ ବର୍ଣ୍ଣନା କଲା, କେମିତି ତାଙ୍କ ଦୁଇ ଜଣଙ୍କ ଜାତକ ମିଶୁନଥିଲା ଆଉ ତା ମାଆ କେମିତି ଜିଦି ଧରିଥିଲେ ଆଉ ଗୋଟେ ଧନୀ ଘରର ଝିଅ ସାଥିରେ ବିବାହ ପାଇଁ | ଅଶୋକ ଚାଲି ଯାଇଥିଲା ନିଜ ବାଟରେ, କୈଫତ ଦେଇ |

ରିମା କିଛି ଦିନ ଧରି ନିଜ ସହ, ନିଜ ପରିବାର କୁ ବୋହୁତ୍ କଷ୍ଟ ଦେଇଥିଲା, ଅଶୋକ କୁ ଭୁଲିବାକୁ ବୋହୁତ୍ ଚେଷ୍ଟା କରିଥିଲା | ବାପାଙ୍କ ଅବସ୍ତା ଦେଖି ସ୍ଥିର କଲା ଯାହା ହେଇଯାଉ ପଛେ ଆଗକୁ ବଢିବ ଆଉ ପଛକୁ ବୁଲି ଦେଖିବନି |

ଅଶୋକ ସାଥିରେ ବିତେଇଥିବା ବିଗତ ଦିନର ସ୍ମୃତି ସବୁ କୁ ସାଉଁଟି ଦେଇଥିଲା ସେ, ନିଜ ଭିତରେ, ପ୍ରକାଶ କରିବାକୁ ସେ ଡରୁଚି ଆଜି, ନିଜ ପାଇଁ ନୁହେଁ ଅଶୋକ ର ହସ ଖୁସି ର ସଂସାର ପାଇଁ |

ଆଜି ସେ ସ୍ୱାବଲମ୍ବୀ ହୋଇପାରିଛି, ନିଜ ଗୋଡ଼ରେ ଠିଆ ହୋଇପାରିଛି | ତା ସାଥିରେ ତା ପରିବାର ଖୁସି ରେ ଅଛନ୍ତି ତଥାବି ସେଇ ପୁରୁଣା ଅତୀତ ମଝିରେ ମଝିରେ ତା ଆଗରେ ଆସି ତାକୁ ତାଚ୍ଛଲ୍ୟ କରୁଛି | ସେ ଧନ୍ୟବାଦ ଜଣାଉଛି ଅଶୋକ କୁ ଆଉ ତା ପରିବାର କୁ, କେବଳ ତାଙ୍କ ଯୋଗୁ ହିଁ ସେ ନିଜକୁ ଉନ୍ନତି କରି ପାରିଛି | ନିଜ ଖୁସି ଆଉ ନିଜ ଇଛା ଶକ୍ତି କୁ ଭଲ ରେ ଜାଣି ପାରିଛି | ଆଜି ସେ ଏକା ସତ କିନ୍ତୁ ଆତ୍ମ ସନ୍ତୋଷରେ ଅଛି | ଏତିକି ସବୁ ଭାବିବା ଭିତରେ ସନ୍ଧ୍ୟା ହୋଇସାରିଛି ଆଉ ରିମା ଘର ଭିତରେ ଘଣ୍ଟି ବଜେଇ ସନ୍ଧ୍ୟା ଆଳତି କରୁଛି ଆଉ ପୁଣି ଥରେ ସମସ୍ତଙ୍କ ମଙ୍ଗଳ ମନାସୁଛି |

ବାପା ମାଆ ଆସି କହୁଛନ୍ତି-" ତତେ, ଗତ କାଲି ଦେଖି ଆସିଥିବା ପିଲା ଟି ପସନ୍ଦ କରିଛି ଆଉ ତୋ ମତାମତ ଜାଣିବାକୁ ଚାହୁଁଛି ସେ ତୋର ପସନ୍ଦ କି ନାହିଁ" , ରିମା କହୁଛି-" ମୋର ବି ସେ ପସନ୍ଦ ବୋଲି ଜଣେଇ ଦିଅ" | ଏତିକି ଶୁଣି ବାପା ମାଆ ଦୁହେଁ ଖୁସିରେ ନାଚି ଉଠିଲେ | ରିମା ନିଜ କାନ୍ଧକୁ ଆଉ ଗୋଟେ ହାତରେ ଥାପୁଡ଼େଇ କହୁଛି - "ଚାଲ୍, ରିମା ନିଜକୁ ପ୍ରସ୍ତୁତ କରିନେ ନୁଆ କରି ଆଉ ଗୋଟେ ଜୀବନ ଦେଖିବାକୁ "|


Rate this content
Log in