Lopamudra Mishra

Others

2  

Lopamudra Mishra

Others

ଭରସା ଓ ବିଚାର

ଭରସା ଓ ବିଚାର

5 mins
7.1K


14.10 18 💥 ଭରଷା ଓ ବିଚାର 💥

ଲୋପାମୁଦ୍ରା ମିଶ୍ର

ଦୁର୍ଗାପୂଜା ପାଇଁ ଗାଁଟି ଉତ୍ସଵ ମୁଖର l କେତେ ନାଲି ନେଳି ଆଲୁଅରେ ଦୁର୍ଗାମଣ୍ଡପ ଝଲସି ଉଠୁଛି l ଅଲଗା ଦିନେ ଫାଙ୍କା ପଡିଥିବା ପଡିଆଟିରେ ଆଜି ସୋରିଷ ବୁଣିବାକୁ ଜାଗା ନାହିଁ l ଗୁପଚୁପ, ଚାଟ, ଫାଷ୍ଟଫୁଡ ଦୋକାନ ରେ ଭିଡ଼ ଜମିଛି l ନାନା ରକମର ମନୋହରୀ ସାମଗ୍ରୀର ଦୋକାନ ପଡିଛି l ଲୋକେ ମାଆଙ୍କୁ ମୁଣ୍ଡିଆଟେ ମାରିଦେଇ ଆସି ମେଳାରେ ବ୍ୟସ୍ତ ହୋଇପଡୁଛନ୍ତି l

ଆଜି ଦୁର୍ଗାଷ୍ଟମୀ l ଅନ୍ୟଦିନ ଅପେକ୍ଷା ଭିଡ଼ଟା ଆଜି ଟିକେ ବେଶୀ l ରାତି କୁ ପୁଣି ମେଲୋଡି ର ପ୍ରୋଗ୍ରାମ ଅଛି l ଲୋକେ ଆଗୁଆ ଆସି ଜମା ହେଲେଣି l

ରାତିରେ ଜେଜେମାଆ ପାଖରେ ଶୋଇଥିବା ଟିକି ଝିଅ ସୁମିର ନିଦ ହଠାତ ଭାଙ୍ଗି ଗଲା l ହାତରେ ଅଣ୍ଡାଳି ପକେଇ ଦେଖିଲା ବୋଉ ପାଖରେ ନାହିଁ l ସୁମିର କାନ୍ଦ ଆରମ୍ଭ ହେଇଗଲା l ତା କାନ୍ଦଶୁଣି ଜେଜେମାଆ ଉଠି ପଡିଲା l ବୋଧ ଦେଇ କହିଲା, " କାନ୍ଦେନା ଲୋ ମାଆ l ବାପା,ବୋଉ ପା ଦୁର୍ଗା ପାଖକୁ ଯାଇଛନ୍ତି ମେଲୋଡି ଦେଖି l ତୁ ଶୋଇପଡ଼ିଥିଲୁ, ଯେତେ ଡାକିଲେ ଉଠିଲୁନି l ହେଇ ଆସୁଥିବେ ବୋଧେ l ଶୋଇପଡ ମୋ ଗେଲ୍ଲୀ ନାତୁଣୀ l "

ସୁମି କି ବୁଝିବା ଝିଅ l ଆହୁରି ବେଶୀ ବେଶୀ କାନ୍ଦିଲା l 'ମୋ ବୋଉ','ମୋ ବୋଉ' ହେଇ ରାହା ଧରିଥାଏ l ଜେଜେମାଆ ଆଉ ବୁଝେଇପାରିଲାନି l ରାଗିକି କହିଦେଲା, "କେଁ କେଁ ହୋନା କହୁଛି l ଯାଆ ପଳା ତୋ ବୋଉ ପାଖକୁ l ଆଚ୍ଛା ଝିଅ ଖଣ୍ଡେ ! ଶୁଆଇ ଦେଲାନି ମତେ l ଗଲୁନା ଏଠୁ l ଯାଆ ପରା କହିଲି l ଆଉ ସକେଇ ହୋନା l"

ସୁମି ସେମିତି କାନ୍ଦି କାନ୍ଦି ଆସି ଦାଣ୍ଡ କବାଟ ଖୋଲିଲା l ଜେଜେମାଆକୁ ନଡାକି ଗାଁ ମୁଣ୍ଡ ଆଡକୁ ଦୌଡିଗଲା l ଦୂରରୁ ମେଲୋଡି ସ୍ଥଳରୁ ସୁମଧୁର ଆଧୁନିକଗୀତର ସ୍ୱର ଭାସି ଆସୁଛି l ଲୋକେ ଵି ରାସ୍ତାରେ ଯିବା ଆସିବା କରୁଛନ୍ତି l ବୁଢୀ ଜେଜେମାଆ ଭାବିଲା, "ଏଇତ ପାଖରେ ପୂଜା ହେଉଛି l ରାସ୍ତାରେ ଵି ଲୋକ ଆସୁଛନ୍ତି ଯାଉଛନ୍ତି l ଆଉ ଡର କଣ? ସେ ଯାଉ l ତା ବାପାବୋଉଙ୍କ ସାଙ୍ଗରେ ବଳେ ପଳେଇଆସିବ l"

ମେଲୋଡି ସରିନଥାଏ ସୁମିର ବାପା ରଞ୍ଜନ ଓ ବୋଉ ଶାନ୍ତି ହସାହସି ହେଇ ଘରକୁ ଫେରିଲେ l କବାଟ ବାଡେଇଲାରୁ ସୁମିର ଜେଜେମାଆ ଦୁଆର ଫିଟେଇଲା l ଜେଜେମାଆ ଏପଟ ସେପଟକୁ ଅନେଇ ପଚାରିଲା, "ଆରେ ତୁମେ ଦୁଇଜଣ ତ ଆଇଲ,ସୁମି କୁଆଡେ ଗଲା? "

ରଞ୍ଜନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ସୁମି ପା ତୋ ପାଖରେ ଶୋଇଥିଲା l ଭୁଲି ଗଲୁଣି ନା କଣ? "

--ନାଇଁ ରେ ବାପ l ସେ କେତେବେଳୁ ଉଠିକି ଗଲାଣି l କାନ୍ଦି କାନ୍ଦି ରଖେଇ ଦେଲାନି l ତୁମ ପାଖକୁ ଯିବାକୁ ଜିଦ୍ଦି କଲା ଆଉ କବାଟ ଖୋଲି ଦୌଡ଼ି ପଳେଇଲା l ମୁଁ ଯେତେ ଅଟକେଇଲେ ପା ମାନିଲାନି l

"ବୋଉ ! ତୁମେ କେମିତି ଛୋଟ ଛୁଆଟାକୁ ରାତି ରେ ଏକା ଛାଡ଼ି ଦେଲ? ",ଶାନ୍ତି ରାଗିଉଠି କହିଲା l

ରଞ୍ଜନ ଆଉ ଅପେକ୍ଷା ନକରି ପୁଣି ଦୁର୍ଗାଙ୍କ ମେଲୋଡି ସ୍ଥଳକୁ ଧାଇଁଲେ l ସେଠି ବହୁତ ଖୋଜା ଖୋଜି କଲାପରେ ଵି ସୁମିର ଖବର ମିଳିଲାନି l ମାଇକରେ ଵି ଡକାହେଲା l କିଛି ଫଳ ହେଲାନାହିଁ l ସୁମି ବୋଉ ଆଉ ଜେଜେମାଆଙ୍କର ଆଖି କାନ୍ଦି କାନ୍ଦି ଫୁଲିଗଲାଣି l

ରାତି ପାହିବାକୁ ଅଳ୍ପ ବାକି ଅଛି ସୁମି ଘର ଆଗରେ କିଛି ଲୋକଙ୍କର କୋଳାହଳ ଶୁଭିଲା l ଆରସାହିର ଶମ୍ଭୁଆ ହାତରେ ସୁମିକୁ ଅଚେତ ଅବସ୍ଥାରେ ଦେଖି ସମସ୍ତେ ଡରିଗଲେ l ଶମ୍ଭୁଆ ସୁମିକୁ ଟେକିନେଇ ତାଙ୍କ ଦାଣ୍ଡଘରେ ଶୁଆଇଦେଲା l କୁନି ଝିଅଟାର ଦେହ ସାରା କ୍ଷତ ଚିହ୍ନ l ପିନ୍ଧା ଫ୍ରକଟା ଚିରି ଚାରି ଓହଳି ପଡିଛି l ଗାଲ ଆଉ ଓଠ ରେ ବଡ ବଡ ଖଣ୍ଡିଆ ହୋଇ ରକ୍ତ ଝରି ପଡୁଛି l ତାର ଏପରି ଅବସ୍ଥା ଦେଖିଲେ ମାଲୁମ ହେଉଛି କୋଉ ହିଂସ୍ର ପଶୁର ଭୀଷଣ ହିଂସ୍ରତାର ଶିକାର ହେଇଛି ନିରୀହ ବାଳିକାଟି l

ସୁମିକୁ ତତକାଳୀନ ଚିକିତ୍ସା ଯୋଗେଇ ଦିଆଗଲା l ଦେହର ଖଣ୍ଡିଆ ଓ ଘା' ଗୁଡାକ ରେ ମଲମ ଲଗାଇ ଠିକ କରାଗଲା l କିନ୍ତୁ ତାର କୁନି ମନଟିରେ ଯେଉଁ କ୍ଷତ ହେଲା ତାକୁ କିଏ ଭରିବ?

ଘଟଣାଟି ପ୍ରଚାରିତ ହେଇଗଲା l ସମସ୍ତେ ଜାଣିଲେ କିପରି ଶମ୍ଭୁଆ ଆଉ ତାର ଜଣେ ସାଙ୍ଗ ମେଲୋଡି ଦେଖିସାରି ତୋଟା ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଘରକୁ ଫେରୁ ଫେରୁ କୁନି ଝିଅଟେର ବିକଳ ଚିତ୍କାର ଶୁଣି ସେ ଆଡକୁ ଧାଇଁଗଲେ ଆଉ ସେଠି ଯାଇ ଦେଖିଲେ ଦୁର୍ଗାମାଧଵବାବୁ ଙ୍କ ଇଞ୍ଜିନିଅରିଙ୍ଗ ପଢ଼ୁଥିବା ପୁଅ ଲିଟୁ ରଞ୍ଜନର ଟିକି ଝିଅଟା କୁ ତଳେପକାଇ ମାଡିବସିଛି l ଶମ୍ଭୁଆ ଆଉ ତାର ସାଙ୍ଗକୁ ଦେଖି ଲିଟୁନା ସୁମିକୁ ଛାଡ଼ି ଧାଇଁ ପଳେଇଗଲା l ଦୁଇଦିନ ହେଲା ଲିଟୁନା ଵି ତା ଘରକୁ ଫେରିନାହିଁ l

ଆଜି ବିଜୟାଦଶମୀ l ସୁମି ଟିକେ ସୁସ୍ଥ ଅନୁଭବ କରୁଛି l ସାହି ପଡିଶାରୁ କେତେ କିଏ ଆସି ଝିଅଟାକୁ ଦେଖି ଆହାଃ ଚୁ ଚୁ ହେଉଛନ୍ତି l ସୁମିର ଦୁଇଆଖି ତଳ ମୁଥ ମାଡରେ ଫୁଲିଯାଇଛି l କେମିତି ତୋଟାରେ ପହଞ୍ଚିଲୁ ପଚାରିଲେ କହୁଛି, "ଲିଟୁଭାଈ କହିଲା, "ଏକା ଏକା କୁଆଡେ ଯାଉଛୁ ? ଚାଲେ ମୁଁ ତତେ ତୋ ବୋଉବାପାଙ୍କ ପାଖକୁ ନେଇଯିବି l "ଏଇଆ କହି ମତେ ସେ ତୋଟା ଆଡେ ନେଇଗଲା l"

ରଞ୍ଜନ ଆଉ ଶାନ୍ତିଙ୍କୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ପରାମର୍ଶ ଦେଉଛନ୍ତି l କିଏ କହୁଛି ଚାଲ ଆମ ସଙ୍ଗେ ଥାନାକୁ ତ ଆଉ କିଏ କହୁଛି କୋର୍ଟ କଚେରୀ ଚକ୍କର ରେ ପଡି ଝିଅର ଜୀବନ ବର୍ବାଦ କରେନା l

ଲିଟୁନାର ବାପା ଦୁର୍ଗାମାଧଵ ଆସି ରଞ୍ଜନଙ୍କ ପାଦ ଧରି ପକେଇଲେ l କେସ ବାସର କୁପରିଣତି ସମ୍ବନ୍ଧରେ ରଞ୍ଜନ ଓ ଶାନ୍ତିଙ୍କୁ ଅନେକ ବୁଝେଇଲେ l "କେସ କଲେ ଲିଟୁନାର ତ ଭବିଷ୍ୟତ ଖରାପ ହେଇଯିବ ତା ଛଡା ତୁମ ଝିଅର ଜୀବନ ଵି ନଷ୍ଟ ହେବ", କହି ରଞ୍ଜନଙ୍କୁ କିଛି ଟଙ୍କା ଯାଚିଲେ l ରଞ୍ଜନ ଟଙ୍କା ରଖିଲେନାହିଁ କିମ୍ବା ଲିଟୁନା ନାଁରେ ଅଭିଯୋଗ ମଧ୍ୟ କଲେନାହିଁ l

ଶାନ୍ତି ସେହି ଦୁର୍ଗାଙ୍କୁ କାନ୍ଦି କାନ୍ଦି ସମସ୍ତ ଦୁଃଖ ଜଣେଇଲେ l କେହି କିଛି ପଚାରିଲେ କହନ୍ତି, "ମାଆ ସାକ୍ଷୀ ଅଛି l ସେହି ସବୁ ବିଚାର କରିବ l ଦୋଷୀକୁ ଆଉ କେହି ନୁହେଁ ମାଆ ଦୁର୍ଗା ହିଁ ଶାସ୍ତି ଦେବେ l ମୋ ନିରୀହ ଝିଅକୁ ଯିଏ ଏତେ ଯାତନା ଦେଇଛି ତାକୁ ଦେବୀ କେବେ ଛାଡ଼ିବେନି l ମହିଷାସୁର ପରି ପ୍ରବଳ ପ୍ରତାପୀକୁ ତ ଛାଡିନଥିଲେ ଆଉ ଛାର ଏ ପାପୀ ନରକୁ କି ଛାଡ଼ିଦେବେ !! ଆମର ମାଆଙ୍କ ଉପରେ ପୁରା ଭରସା ଅଛି l"

ସେହି ଘଟଣାକୁ ବାରବର୍ଷ ବିତିଗଲାଣି l ସୁମି ବାହା ହୋଇ ଶାଶୂଘରକୁ ଯାଇଥିଲା l ମାସ କେଇଟାରେ ସ୍ୱାମୀ ଆଣି ପୁଣି ବାପଘରେ ଛାଡ଼ିଦେଇଗଲେ l ପିଲାଦିନର ସେହି କାଳରାତ୍ରୀଟି ତାର ତମାମ ଜୀବନ କୁ ଆବୋରୀ ବସିଛି l ସ୍ୱାମୀ କୋଉଠୁ ସେ ଯନ୍ତ୍ରଣା ଜର୍ଜରିତ ରାତିଟି ବିଷୟରେ ସନ୍ଧାନ ପାଇ ସୁମି ସହ ଆଉ ସଂସାର କରିବାକୁ ଅମଙ୍ଗ ହେଉଛନ୍ତି l

ଲିଟୁନା କିନ୍ତୁ ବାହା ସାହା ହୋଇ ବଡ କମ୍ପାନୀରେ ବଡ ଇଞ୍ଜିନିଅର ଚାକିରୀ ପାଇ ଖୁବ ସୁନ୍ଦର ଜୀବନଟେ ବିତାଉଛି l ଅସଲ ଅପରାଧୀ ଉପରେ ତାର କ୍ରୁରଅପରାଧର କୌଣସି ଖରାପ ପ୍ରଭାବ ପଡିନାହିଁ l

ଦୁର୍ଗାମାଆଙ୍କର ବୋଧେ ଏହି ବିଚାର ଥିଲା l ସେ ସୁମିକୁ ତାଙ୍କ ନିଜ ପାଖରେ ହିଁ ଆଶ୍ରା ଦେବାକୁ ଚାହୁଁଥିଲେ l ସେହି ଦୁର୍ଗାମନ୍ଦିର ଆଗରେ ସୁମି ଏବେ ଫୁଲ ମାଳ ଗୁନ୍ଥୀ ବିକ୍ରି କରୁଛି l

ଲିଟୁନାର ଯେଉଁଦିନ ଝିଅଟିଏ ହେବାର ଖବର ଶୁଣାଗଲା, ସେଦିନ ସୁମି ଆଉ ତା ବାପାବୋଉ ଖୁବ ଖୁସି ହେଇଥିଲେ l ଦୁର୍ଗାଙ୍କୁ ବଡ ଫୁଲମାଳଟେ ଚଢେଇ ମୁଣ୍ଡିଆ ମାରି ଖୁସି ଜାହିର କରିଥିଲେ l

ଜେଜେମାଆ କୋଉ କାଳରୁ ଚାଲିଗଲାଣି l ବାପା ବୋଉଙ୍କର ଵି ଯଥେଷ୍ଟ ବୟସ ହେଇଗଲାଣି l ତଥାପି ସୁମି ବୋଉର ମାଆଙ୍କ ଉପରୁ ଭରସା ତୁଟିନି l ଦୋଷୀକୁ ଯେ ଦିନେ ଉପଯୁକ୍ତ ଶାସ୍ତି ମିଳିବ ଆଉ ତାଙ୍କ ଜୀବନରେ ପୁଣି ଥରେ ଖୁସି ଫେରିଆସିବ ସେତିକି ବିଶ୍ୱାସ ଟିକକ ମନରେ ଧରି ତିନିପ୍ରାଣୀ ଜୀଇଁଚାଲିଛନ୍ତି l

*****ଲୋପାମୁଦ୍ରା ମିଶ୍ର ******


Rate this content
Log in