Padmalaya Mishra

Others

3  

Padmalaya Mishra

Others

ବେତ

ବେତ

2 mins
254



  ସ୍କୁଲ୍-ଟ୍ୟୁସନ୍-ଘର କୋଉ ଅଞ୍ଚଳ ବି ଦଣ୍ଡ ନିଷେଧ ଅଞ୍ଚଳ ନଥିଲା । ଟିକେ ଟିକେ ଭୁଲରେ ବୋଉ ପିଠିରେ ଖଡିକା ଲାଛିଦେଇ ଯାଉଥିଲା । ବଡ଼ ଭୁଲ କରିବାକୁ ଆଉ ସାହସ ନଥିଲା । ବାପାଙ୍କ ଚାହାଣୀ ହିଁ ଯଥେଷ୍ଟ ଥିଲା ଭୁଲ୍ କଣ ଜାଣିଯିବା ପାଇଁ । ତଥାପି ଗାଲୁଆମିରେ ଧୁରନ୍ଧର ମୋ ଭାଇ ବାପାଙ୍କ ଠାରୁ ବିଧା ଚାପୁଡ଼ା ଖାଇଛି । ମୁଁ ଝିଅଟେ ବୋଲି ବିଶେଷ ଖାଇନି ତଥାପି ପାଠ ଭୁଲ୍ କରି ବେତ ପାହାର ଖାଇଛି । ଟ୍ୟୁସନ୍ ତ ମାଡ଼ କାରଖାନା ଥିଲା । ସାର୍ ହାତରେ ବେତ ବାଡିଟେ ଧରି ବସନ୍ତି । ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ପାଞ୍ଚ ପାହାର ଥୁଆ । ପୁଅ ଝିଅର ପ୍ରଭେଦ ନାହିଁ । 

  ସ୍କୁଲ୍ ଦଣ୍ଡ ଯୁକ୍ତ ଅଞ୍ଚଳ ଥିଲା । ମତେ ତ ସାର୍ ସ୍ଵୟଂ ଯମଙ୍କ ଅବତାର ଲାଗୁଥିଲେ । ଖରାରେ ଆଣ୍ଠୁ ତଳେ ଗୋଡି ଦେଇ ନିଲଡାଉନ୍ କରାଇବା, ଦୁଇଜଣ ପରସ୍ପରର କାନ ଧରି ଶହେଥର ବସ ଉଠ୍ ହେବା, ସ୍କୁଲ୍ ହତାରେ ଦଶ ରାଉଣ୍ଡ ଦଉଡିବା, କାନ୍ଥରେ ଚୌକି ବସିବା ପରି ବିଭିନ୍ନ ଦଣ୍ଡ ଯୋଗାଡ ଥାଏ । ସାରଙ୍କ ଟେବୁଲ ଉପରେ ତଥାପି ବେତ ବାଡିଟେ ଥାଏ । ସେଇଟା ବି ହାତରେ ଦି ଚାରିଟା ପଡେ । ସ୍କୁଲରୁ ଫେରିଲା ବେଳକୁ ହାତ ନାଲି ଟହଟହ, ଜଙ୍ଘ ପଚା ପଡି ଚାଲି ହେଉନଥିବ, ଆଣ୍ଠୁରୁ ରକ୍ତ ଝରୁଥିବ । ଘରେ ପହଞ୍ଚି ସହାନୁଭୂତି କଣ ମିଳିବ ଦଣ୍ଡର କାରଣ ଜାଣି ଆଉରି ବାପା ବୋଉ ଦଣ୍ଡ ଦେବେ । 

   ଆଜି ଦଣ୍ଡକୁ ଭଲରେ ଗ୍ରହଣ କରି ଆମେ ସମସ୍ତେ ପ୍ରାୟ ଜଣେ ଜଣେ ସଫଳ ନାଗରିକ । ସମୟ ସହ ବେତ ଏବେ ଅଦୃଶ୍ୟ । ସ୍କୁଲ ଦଣ୍ଡମୁକ୍ତ ଅଞ୍ଚଳ । ଟ୍ୟୁସନ୍ ବ୍ୟବସାୟିକ ସଂସ୍ଥା । ଘରେ ବାପା ବୋଉ ଫ୍ରେଣ୍ଡ । ବାପାମାନଙ୍କର ଆଉ ସେ ଚାହାଣୀ ନାହିଁ । ପିଲା ପୁରା ଭୟମୁକ୍ତ । ମାର୍କ ନବେ ପ୍ରତିଶତ ଉପରକୁ । ହେଲେ ଏ ବର୍ଷ ପାଠ ପରୀକ୍ଷା ସରିବା ପରେ ଭୁଲି ଯାଉଛନ୍ତି । ବିଦ୍ୟା ବୁଦ୍ଧି ଘର ପ୍ରାୟ ଶୂନ । ଆଜିର ପିଲା କହୁଛନ୍ତି ଆମେ ସ୍ମାର୍ଟ, ବ୍ରିଲିୟାଣ୍ଟ୍ ।ତମେ ମାନେ ପଢୁ ନଥିଲ ବୋଲି ବେତ ପାହାର ପାଉଥିଲ ।


Rate this content
Log in