Pratap Chandra Mishra

Others

4.0  

Pratap Chandra Mishra

Others

ଅତୃପ୍ତ ପ୍ରତୀକ୍ଷା

ଅତୃପ୍ତ ପ୍ରତୀକ୍ଷା

5 mins
191



ପିଲା ଦିନେ ପଢ଼ିଥିବା ରେବତୀ ଗପଟା ଶ୍ରୀକାନ୍ତ ବାବୁ ଖରା ବେଳ ଦାଣ୍ଡରେ ଥିବା ଆମ୍ବ ଗଛ ଛାଇରେ ଖଟିଆଟେ ପକାଇ ଅଳସ ମାରୁ ମାରୁ ମନେ ପକାଉଥାନ୍ତି। ସେ ଆମ୍ବ ଗଛ ପିଲାଦିନେ ତାଙ୍କ ଜେଜେ ଲଗାଇଥିଲେ। ଶ୍ରୀକାନ୍ତ ବାବୁଙ୍କ ଭଳି ଧୀରେ ଧୀରେ ଗଛଟି ପାକଳ ହୋଇ ଯାଇଛି ।ତାଙ୍କ ଭଳି ଠାକୁଆ ପାକୁଆ, ଚମ ଧୁଡୁ ଧୁଡ଼ିଆ ଶରୀର ଭଳି। ହେଲେ ସେ ସିନା ମଣିଷ, ଆମ୍ବ ଗଛ କିନ୍ତୁ ଯେତେ ପାକଳ ହେଉଛି ସେତେ ଭଲ ଫଳ ଫଳାଇ ଚାଲିଛି। ଏବଂ ହୁତ୍ ହୁତ୍ ଖରାରେ ବି ଶୀତଳ ଚାୟା ଢ଼ାଳି ଜନ ମାନସରେ କାୟା ବିସ୍ତାରି ମୁଣ୍ଡ ଟେକିଛି।ହେଲେ ଜେଜେ ପାଲଟି ଥିବା ଶ୍ରୀକାନ୍ତ ବାବୁ , ବିଶାଳ ବଙ୍ଗଳାରେ କିଛି ପେନସନ ଟଙ୍କା ମାସକୁ ମାସ ପାଇ ନାତି ଟୋକା ହୃଦୟ ସହ ସେହି ବଙ୍ଗଳାରେ ରୁହନ୍ତି। ଘର କାମ ପାଇଁ ରୋଷେୟା ନିଯୁକ୍ତ ହୋଇଛି। ସେ ସକାଳ ରାତିରେ ଯାବତୀୟ ଖାଦ୍ୟ ରୁଚି ଅନୁସାରେ ରାନ୍ଧି ଦିଏ ଓ ସେବା ଯତ୍ନ ପାଇଁ ପାଖରେ ଥାଏ।

ନାତି ଟୋକା ଟା କଲେଜ ପଢ଼ା ସାରି NDA(national defence academy) ରେ ସାମିଲ ହେବାକୁ ନିଜକୁ ଯୋଗାଡ଼ କରିବାକୁ ବନ୍ଦୋବସ୍ତ କରିବା ପାଇଁ ସଜବାଜ ହେଉଛି।

ଶ୍ରୀକାନ୍ତ ବାବୁ ସରକାରୀ ଯନ୍ତ୍ରୀ ହୋଇ ଅବସର ନେବା ପରେ ସ୍ତ୍ରୀ କ୍ୟାନ୍ସରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରି ଥିଲେ। ସେ ତା ପର ଠାରୁ ଏକୁଟିଆ ହୋଇଯାଇଛନ୍ତି। ବୃଦ୍ଧା କାଳେ ପତ୍ନୀ ବିୟୋଗ ନିଶ୍ଚିତ୍ତ ରୂପେ ଯନ୍ତ୍ରଣା ଦାୟକ ଓ ସେ ଚିନ୍ତାରେ ଶ୍ରୀକାନ୍ତ ବାବୁ ଆହୁରି ଦୁର୍ବଳ ହୋଇ ଯାଇଛନ୍ତି।

ପୂର୍ବ ଘଟଣା ଯେତେ ଭୁଲି ବା ଚାହିଁଲେ ବି ମର୍ମନ୍ତୁଦ ପ୍ଲେନ୍ ଦୁର୍ଘଟଣାରେ ପୁଅ ବୋହୂ ପ୍ରାଣ ହରାଇଥିବା ସେ ପାସୋରି ପାରୁନାହାନ୍ତି।ବିଦେଶରେ ଚାକିରୀ କରିଥିବା ପୁଅ ଘରକୁ ଫେରିବା ବାଟରେ ପ୍ଲେନ ଦୁର୍ଘଟଣାରେ ଶିକାର ହୋଇ ପ୍ରାଣ ହାରି ଥିବା ପୁଅ ଓ ବୋହୂଙ୍କ ଖବର ଶୁଣି ସେ ସ୍ତବ୍ଧ ହୋଇଯାଇଥିଲେ ଏବଂ ଅଳ୍ପକେ ବର୍ତ୍ତି ଥିବା ନାତି କୁ ପାଇ, ତା ପାଇଁ ବଞ୍ଚି ରହିବା ପାଇଁ ଦୃଢ କରିଥିଲେ।

ହେଲେ ତଥାପି ଦୁର୍ଦ୍ଦିନ ପିଛା ଛାଡୁନାହିଁ। ପୁଅ ଓ ବୋହୂର ଚିନ୍ତାରେ ବୁଡି ଆଖି ର ଜ୍ୟୋତି କ୍ଷୀଣ ହେଉଥିଲା ବେଳେ ସ୍ତ୍ରୀ ଛାଡ଼ି ଚାଲି ଯିବା କଷଣ ଆହୁରି ବଞ୍ଚିବା ସମସ୍ୟା ବଢାଇ ଦେଇଥିଲା। ତନୁ ଦୁର୍ବଳ ଓ ନାତି କୁ ଭଲ ମଣିଷ କରି ଗଢ଼ିବା ପାଇଁ ଜୀବନ ଧରି ବଞ୍ଚିବା ଶ୍ରୀକାନ୍ତ ବାବୁଙ୍କ ପାଇଁ ଏକ ବୃହତ୍ ଲକ୍ଷ୍ୟ ହୋଇଯାଇଥିଲା।ତେଣୁ ହୃଦୟ (ନାତି)ର ପ୍ରତ୍ୟେକ କଥା କୁ ଗୁରୁତ୍ଵ ଦେଇ ଶ୍ରୀକାନ୍ତ ବାବୁ ସହଯୋଗର ହସ୍ତ ବଢ଼ାଇ ଥିଲେ।ହୃଦୟ ବି ଆଜ୍ଞାଧୀନ ହୋଇ ସଫଳତା ମାର୍ଗ ଆଦରି ଯାଉଥିଲା ଓ ଦୁର୍ବଳ ମୁହୂର୍ତ୍ତ ଭୁଲି ଆଗକୁ ବଢ଼ୁ ଥିଲା।

କିନ୍ତୁ ପୃଥିବୀ ବକ୍ଷରେ ପୁରା ବିଶ୍ଵରେ କରାଳ ଛାୟା ଘୋଟି ଆସିବ ବୋଲି କିଏ ବି ବିଶ୍ୱାସ କରିନଥିଲେ। ଅଜଣା ମହାମାରୀ କରୋନା ଗ୍ରାସିିବ କାହା ମନେ ଲେଷ ମାତ୍ର ଚିହ୍ନ ବର୍ଣ୍ଣ ନ ଥିଲା। ଦୁନିଆ କୁ ତା କରାଳ ଚକ୍ରରେ ଗୋଟି ଗୋଟି କରି ନାଶ କରିଚାଲିଛି। କାହାକୁ ବି ଛାଡୁନି ଔଷଧ କାମ କରୁନି କି ବଇଦ ବି ରୋଗ ନିରୂପଣ କରି ପାରୁନି। ଏ ହା ହୁତାସନ କାଳରେ ସେହି ଗ୍ରାମ ର ଗ୍ରାମ ରକ୍ଷୀ ମରିଗଲା। କିଏ ତାକୁ ଛୁଇଁଲେ ନାହିଁ। ତା ପାଖକୁ ବି କିଏ ଗଲେ ନାହିଁ। ମଲା ବେଳକୁ ପାଖରେ ତାର ସହୋଦର କିଏ ବି ରହିଲେ ନାହିଁ।ସରକାର ନିୟମ ପ୍ରକାରେ ଅଜାତି ,ଅଜଣା ଦଣ୍ଡାସି କି ପାଣ ଝିକି ଲା। କୋଉଠି ପୋତିଲା କି ପୋଡ଼ିଲା ସେ କଥା ସରକାର ବାବୁଙ୍କ ଗୋଚରରେ।ସ୍ୱଜନଙ୍କୁ ଯାହା ଖବର ଦେଇଥିଲେ ଯେ ସେ ଘରର ପୀଡ଼ିତ ବ୍ୟକ୍ତିଙ୍କ ଦେହାନ୍ତ ହୋଇଯାଇଛି ବୋଲି ବାସ ।


ଏସବୁ ଘଟଣା ଦେଖି ଶ୍ରୀକାନ୍ତ ବାବୁ ନାତି କୁ ସବୁ ସରକାରୀ ନିୟମ ମାନି ଚଳିବାକୁ ପ୍ରବର୍ତ୍ତାଇ ନିଜେ ବି ମାସ୍କ ପିନ୍ଧି, ହାତ ତୁହାକୁ ତୁହା ସାବୁନରେ ଧୁଅନ୍ତି, ସାନିଟାଇଜର ପାଖରେ ରଖି ନିଜେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ଦିଅନ୍ତି ଓ ସଉଦା ପତ୍ର ଆଣିବାକୁ ବାହାରକୁ ଗଲେ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟ ସମାପ୍ତ କରି ଘରକୁ ଫେରନ୍ତି। ନାତିକୁ ଘରେ ସତର୍କ ରହିବାକୁ ଆଦେଶ ଦେଇ ନିହାତି ଆବଶ୍ୟକ ହେଲେ ବାହାରକୁ ଯିବାକୁ ଦିଅନ୍ତି। ଏବଂ ସୁରକ୍ଷା ବଳୟରେ ନିରାପଦ ରହିବାକୁ ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶକୁ ଟେଲିଭିଜନରେ ଦେଖି ଆପଣେଇ ଥାନ୍ତି। କିନ୍ତୁ ଦୃଶ୍ୟ ଶକ୍ତି ଊଣା ହେତୁ ଶ୍ରବଣ ମାଧ୍ୟମରେ ସବୁ ଜାଣି ପାରନ୍ତି ।

କରୋନା ପ୍ରଭାବରେ ଅନ ଲାଇନରେ ପାଠ ପଢା ହେଉଛି। ହୃଦୟ ଘରେ ବସି ପଢୁଛି । କିନ୍ତୁ କିଛି ଗୁରୁତ୍ଵ କାରଣ ଯୋଗୁଁ ହୃଦୟ କୁ ଡକାଯାଇଛି ସହର କୁ ଯିବାପାଇଁ ସେହି ଅନୁଷ୍ଠାନ,ଯେଉଁଠି NDA ପାଇଁ ସେ ନିଜକୁ ପ୍ରସ୍ତୁତ କରୁଛି। ଜେଜେ ଛାଡ଼ିବାକୁ ନାରାଜ।ହେଲେ ହୃଦୟ ଭବିଷ୍ୟତ ର ଦ୍ଵାହି ଦେଇ ଯିବାକୁ ବାଧ୍ୟ ହେଲା। ସହରରେ ପ୍ରବଳ ଜରୋନା ବ୍ୟାପିଛି। ଜେଜେଙ୍କ ଅନିଚ୍ଛା ସତ୍ବେ ହୃଦୟ ସହର ଯାଇ ଫେରିଲା। ଫେରିବା ବାଟରେ ଗାଆଁ ସରପଞ୍ଚ ବାଟ ଓଗାଳି,ସଂଗରୋଧ କେନ୍ଦ୍ରରେ ଚଉଦ ଦିନ ରହିବାକୁ ନିର୍ଦ୍ଦେଶ ଦେଲେ। ସେଠି ପଶ୍ଚିମ ବଙ୍ଗ ଓ ସୁରାଟ ଭଳି ସହରରୁ କିଛି ଲୋକ ଫେରିଥିଲେ।ସେମାନଙ୍କ ସହ ହୃଦୟ ରହିଲା। ଜେଜେ ଏ କଥା ଜାଣି ଭାରି ବ୍ୟସ୍ତ ହେଲେ। ପାଖରେ ଥାଇ ନାତି ଟୋକାକୁ ନ ପାଇ ଦୁଃଖ ବଢିଯାଏ। ଏବଂ ଉଦୁଉଦିଆ ଖରା ବେଳେ ଖଟିଆରେ ପଡ଼ି ରେବତୀ ବିଷୟ ମନକୁ ବହୁତ୍ କଷଣ ଦେଉଥାଏ। ପିଲା ବେଳେ ଗଳ୍ପ ପଡ଼ିଥିଲେ,ହେଲେ ଏ ଭୟଙ୍କର ମହାମାରୀ ତାଙ୍କ ପାଇଁ ସେମିତି ନ ହେଉ ନିଜ ଇଷ୍ଟଙ୍କୁ ସ୍ମରଣ କରିବାରେ ମନସ୍ଥ କରି ନାତି ର ଫେରିବା ବାଟକୁ ରୋଷେୟା ସହ ଅନାଇ ବସିଥିଲେ।


ସପ୍ତାହ ପରେ ଯାଇ ନାତି ଆସିବ।ଗାଆଁ ର ଲୋକା କହୁଥିଲା ସଙ୍ଗରୋଧ କେନ୍ଦ୍ରରୁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜେଜେ ଏ କଥା ଶୁଣିଲା ପରେ ସେ ଆଉ ସ୍ଥିର ହୋଇ ରହି ପାରିଲେ ନାହିଁ।ସରପଞ୍ଚକୁ ବୁଝିଲେ।ଉତ୍ତର ଆସିଲା ସେହି କେନ୍ଦ୍ରରୁ ଦଶ ଜଣକୁ ହୋଇଛି କରୋନା।ସେ ଭିତରେ ହୃଦୟ ବି ରହିଛି। ତାକୁ ନିକଟସ୍ଥ କୋଭିଡ କେୟାର ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଶ୍ରୀକାନ୍ତ ବାବୁ ଅଥୟ ହୋଇ ଦୌଡ଼ିଲେ।ରୋଷେଇୟା ଜେଜେଙ୍କୁ ସାହାଯ୍ୟ କରି ବାକୁ ଆଗେଇଲା।ଦୁହେଁ ହସ୍ପିଟାଲକୁ ଗଲେ। କିନ୍ତୁ ଭିତରକୁ କାହାକୁ ପ୍ରବେଶ ନିଷେଧ । ବହୁ ଅନୁନୟ ବିନୟ ପରେ ଶ୍ରୀକାନ୍ତ ବାବୁ ହୃଦୟ ସହ ଫୋନ୍ ରେ କଥା ହେଲେ। ହୃଦୟ ସୁସ୍ଥ ଥିବା କଥା ତା ଠାରୁ ଜାଣି ବାକୁ ପାଇଟିକେ ଆଶ୍ବସ୍ତ ହେଲେ।ରୋଷେୟା ଜେଜେଙ୍କୁ ସେଠାରେ ଛାଡି ଗାଁ କୁ ଫେରି ଆସିଲା ।ହେଲେ ଜେଜେ ସ୍ଥିର କଲେ ନାତିଆ ନ ଫେରିବା ଯାଏଁ ସେ ବି ସେ ହସ୍ପିଟାଲ୍ ସମ୍ମୁଖରେ ଥିବା ଆବାସ ସ୍ଥଳୀରେ ପଡ଼ି ରହିବେ,ଯେଉଁଠି ରୋଗୀଙ୍କ ସମ୍ପର୍କୀୟଙ୍କୁ କୋଭିଡ୍ ନିୟମ ପ୍ରକାରେ ସରକାର ରଖିଥାନ୍ତି। ତା ପରେ ନାତି ଛଡ଼ା ଆଉ କିଏ ଅଛି ଯେ ସେ ଗାଆଁ କୁ ଯିବେ। ତେଣୁ ନାତି ବାଟକୁ ଚାହିଁ ସେଠାରେ ବିଶ୍ରାମ ନେଲେ। ଚାହୁଁ ଚାହୁଁ ଅଧା ରାତି ହେଲା। ହଠାତ୍ କିଏ ଶ୍ରୀକାନ୍ତ ବାବୁଙ୍କୁ ଚହଲାଇ ଦେଲା। ସେ ଅଧା ନିଦ ଓ ଅଧା ଜାଗ୍ରତ ଥିବା ଅବସ୍ଥାରେ ଚମକି ପଡ଼ିଲେ। ଆଖିକୁ ଠିକ୍ ଦେଖା ଯାଉନି। ହେଲେ ସଂଜତ୍ତ୍ ହେଲା ବେଳକୁ କିଏ କହୁଛି ହୃଦୟ ତୁମର କଣ ହେବ? ସେ ଆଉ ନାହିଁ ! ଜେଜେ ମୁଣ୍ଡଟା ବଧିର ହୋଇଗଲା। ସେ କିଛି ବୁଝିବା ଆଗରୁ ରେବତୀ କଥା ଦୋହରାଇ ମାଳିକା ବଚନ ଭାବୁ ଥିଲେ,

ମୁହଁରେ ତୁଣ୍ଡି ବାନ୍ଧିବେ ବଇଦ ବୁଦ୍ଧି ବଣା ହୋଇଯିବ ଅଜଣା ରୋଗରେ ସବୁ ମରିବେ।


ବାପାକୁ ପୁଅ ଅଗ୍ନି ଦେବନି ଶବକୁ ଛୁଇଁ ବା ତ ଦୁରକଥା , ପାଖକୁ କିଏ ବି ଯିବେନି.....।


କିନ୍ତୁ ଏଠି ଓଲଟା। ନାତି କାନ୍ଧରେ ଜେଜେ ଯିବା କଥା, ଜେଜେ ଜଗିଛି ନାତିକୁ କରିବ ଶେଷ ଦେଖା।


ମୃତ ହୃଦୟ କଥା ସରିଛି କି ନାହିଁ ଜେଜେଙ୍କ ଲକ୍ଷଣରେ ମହାମାରୀ କରୋନାର ପ୍ରଭାବ ଆରମ୍ଭ ହେବାକୁ ଯାଇଥିଲା। ସେ ଦୂରରୁ ହୃଦୟର ଅସହାୟ ଶବ ପଡ଼ିଛି ବୋଲି ,ଅଦୃଶ୍ୟ ସତ୍ବେ ଜ୍ଞାନ ଚକ୍ଷୁରେ ବାରି ପାରୁଥିଲେ ଓ ସେଠାରେ ବେହୋସ୍ ହୋଇଯାଇଥିଲେ। ସୁରକ୍ଷା ଦାଇତ୍ୱରେ ଥିବା କରୋନା ଯୋଦ୍ଧା ମାନେ ଶ୍ରୀକାନ୍ତ ବାବୁଙ୍କୁ ସନ୍ଦେହରେ କୋଭିଡ ହସ୍ପିଟାଲ୍ ରେ ଭର୍ତି କରାଇ ଦେଇଥିଲେ ।


Rate this content
Log in