Jyotiranjan Sahu

Others

3  

Jyotiranjan Sahu

Others

ଅନୁଭୂତିରେ ଶ୍ରୀକ୍ଷେତ୍ର

ଅନୁଭୂତିରେ ଶ୍ରୀକ୍ଷେତ୍ର

10 mins
743


ମୁଁ ସ୍ବର୍ଗତଃ ଭିକାରୀ ବଳ କିମ୍ବା ବନ୍ଧୁ ମହାନ୍ତି ନୁହେଁ।ମୁଁ ସେହି ଲକ୍ଷ ଲକ୍ଷ ଓଡିଆ ମଧ୍ୟରୁ ଜଣେ ଯାହାର ପ୍ରାଣ କାଳିଆ ପାଇଁ କାନ୍ଦେ ଯାହାର ହୃଦୟ ଜଗା କରୁଣାରେ ସ୍ପନ୍ଦିତ ହୁଏ ଆଉ ଯାହାର ମନ କଳାସାଆନ୍ତ ପାଖରେ ବନ୍ଧକ।ଏପରି ଓଡିଆକୁ ବହୁତ କଷ୍ଟ ହୁଏ ଯେତେବେଳେ ତା ବିଶ୍ବାସରେ ଏ ଦୁନିଆଁ ପ୍ରଶ୍ନବାଚୀ ଟିଏ ଆଙ୍କିଦିଏ। ଏହି ଯେପରି ନବକଳେବର ର ବିଭ୍ରାଟ ହେଉ ବା ଜଗନ୍ନାଥ ନିତି ଅନିୟମିତତା ହେଉ ଅଥବା ଜଗାକୁ ନେଇ ବ୍ୟବସାୟକରଣ ହେଉ।ମନରେ ,ବିଶ୍ବାସରେ ପ୍ରତି ଓଡିଆଙ୍କୁ ମିଳୁଛି ଆଘାତ।ମନରେ ସ୍ବତଃ ଉଠୁଅଛି ପ୍ରତିବାଦର ସ୍ବର।

ବୋଧହୁଏ ମହାପ୍ରଭୁଂକ ଇଚ୍ଛାରେ ଆଜି ବହୁଦିନ ପୁରୁଣା ଘଟଣାଟି ପ୍ରକାଶ କରିବାକୁ ଇଚ୍ଛା ହେଉଛି।ଜୟ ଜଗନ୍ନାଥ!ମସିହା ଥିଲା ୨୦୦୫ ମାସ ଅଗଷ୍ଟ କିମ୍ବା ସେପ୍ଟେମ୍ବର ହବ ଅର୍ଥାତ ଶ୍ରାବଣର ଶେଷଭାଗ। ନିମ୍ନ ମଧ୍ୟବିତ୍ତ ପରିବାରରେ ମୋପରି ଗୋଟେ ବେରୋଜଗାରିଆ ପୁଅ ର ଅସନ୍ତୁଳିତ ମାନସିକଭାରସାମ୍ୟ ।ସମାଜର ଭିନ୍ନ ଏକ ଦୃଷ୍ଟିଭଙ୍ଗୀ ମୋପରି ଯେଉଁମାନେ ଜୀବନର ସଫଳତା ପାଇଁ ସଂଘର୍ଷରତ। ଅନ୍ତର ର ବେଦନାରେ ବିଚଳିତ ମୋ ମନ କାହିଁକି କେଜାଣି ଆତ୍ମବିସର୍ଜନ ପାଇଁ ଚିନ୍ତାକଲା। ମୋ ପ୍ରାଣର ଦେବତା ଜଗନ୍ନାଥଙ୍କ ପାଇଁ ସେତେବେଳେ ମୋ ମନରେ ଥିଲା ଅଭିମାନର ସ୍ବର। ଇଚ୍ଛା ହେଲା ଯଦି ଶରୀର ଛାଡିବି ତେବେ ତାହାରି ଧାମରେ ତାହାରି ପାଖରେ ଛାଡିବି। ଆଉ ତାକୁ କହିବି ତା ଭକତ ତାଲିକାରୁ ମୋ ନାକୁ କାଟିଦେବା ପାଇଁ। ଏହା ଚିନ୍ତାକରି ବାପା ଆଦରରେ ଦେଇଥିବା ୧୦୦ଟଙ୍କା ଟିକୁ ଟିକିଏ ଚାହିଁଲି ଆଉ ମନେ ମନେ ବାପା ମାକୁ ପ୍ରଣାମ କରି ବସ୍ରେ ଟିକଟ ଟିଏ କାଟିଲି। ମନ ଥିଲା ଭୋକ ଶୋଷ ଏ ସଂସାର ଠୁ ବହୁ ଦୁରରେ। ରାତି ‍୧୦ଟା ବାଜିବାରୁ ବୋଧହୁଏ ମୋତେ ଖୋଜାପଡିଲା। ଅନୁମାନ କରି ବାପା ଓ ମାମୁଁ ମୁଁ ବସିଥିବା ବସ୍ ଅଟକାଇ ଖୋଜାଖୋଜି କଲେ। କିନ୍ତୁ ଆଜି ପର୍ଯ୍ଯନ୍ତ ମୁଁ ଜାଣିପାରୁନାହିଁ ବସ୍ ଭିତରେ ମୋତେ ଦେଖି ମଧ୍ୟ କେହିକିପରି ଚିହ୍ନି ପାରିଲେନାହିଁ?ଆଜି ମୁଁ ପ୍ରଶ୍ନ କଲେ ଉତ୍ତର ମିଳେ ବସ୍ ଭିତରଟା ଖାଲିକୁହୁଡିଆ ଦେଖାଯାଉଥିଲା। ସେ ଯାହା ହେଉ ମୁ କିନ୍ତୁ ନିର୍ବିକାର ଭାବେ ବସ୍ ଭିତରେ ବସିଥାଏ। ବସ୍ ବାରିପଦା ଛାଡିଲା ପରେ ସେ ରାତିରେ ସେ ବସ୍ ଭିତରେ ନିରବରେ ବହିଥିଲା ମୋ ଆଖିରୁ ଅନେକ ଅଶ୍ରୁ। ସକାଳୁ ବରମୁଣ୍ଡାରେ ଓହ୍ଲାଇ ସିଧାଯାଇ ପୁରୀ ବସ୍ରେ ବସିଗଲି। ମୋତେ ଆଉ ଏ ଦୁନିଆଁଟା କିଛି ଦେଖା ଯାଉନଥାଏ। ମୁଁ ଥିଲି ନୀରବ ଶାନ୍ତ ଆଉ ଲକ୍ଷ୍ୟ ଥିଲା ପୁରୀ। ପାଖରେ ଆଉ ଥିଲା ୧୦ଟଙ୍କା ମାତ୍ର। କିନ୍ତୁ ଏଭଳି ପରିସ୍ଥିତିରେ ମୁଁ ଥିଲି ନିର୍ବିକାର। ଭଡାପାଇଁ ଟଙ୍କା ନାହିଁ କି କଣ ହେବ ପରିଣାମ ତା ପାଇଁ ଭୃକ୍ଷେପ ନାହିଁ। ମୋ ଚତୁଃପାର୍ଶ୍ବରେ କଣ ଘଟି ଯାଉଥିଲା ସେଥିପ୍ରତି ମୋର ନଜର ନଥିଲା। ସମୟ ସହ ତାଳଦେଇ ବସ୍ ମାଡିଚାଲିଥାଏ ପୁରୀ ଅଭିମୁଖେ। ଏହା ଭିତରେ ବସ୍ ପହଞ୍ଚିଲା ପୁରୀରେ। ନା କଣ୍ଡକ୍ଟର ମୋ ପାଖକୁ ଆସିଲା ନା ମୋଠାରୁ ଭଡା ଦାବିକଲା। ମୁଁ ଏକ ଯନ୍ତ୍ର୍ର ମାନବ ପରି ବସ୍ ରୁ ଓହ୍ଲାଇ ଶ୍ରୀ ମନ୍ଦିର ଅଭିମୁଖେ ଅଗ୍ରସର ହେଲି। ଅଶ୍ରୁର ଦୁଇଧାର ମୋ ଅଜାଣତରେ ମୋ ଓଠକୁ ଛୁଇଁ ଚାଲିଥିଲା। ମୋ ଚାରିପାଖର ଦୁନିଆଁଟା ମୋ ପାଇଁ ଯେମିତି ପାଲଟିଯାଇଥିଲା ମହାଶୂନ୍ୟ ଆଉ ସେ ଶୂନ୍ୟତା ଭିତରେ ମୁଁ ଚାଲିଥାଏ ଅନ୍ତର୍ଦ୍ଧାନ ହୋଇଯିବାପାଇଁ ମହାପ୍ରଭୁଙ୍କ ଚରଣରେ। ମନ୍ଦିର ଭିତରେ ଚକାନୟନର ନୟନରେ ନୟନକୁ ମିଶାଇଲି ଅଭିମାନ ଭରା ମୁଦ୍ରାରେ। ମନ୍ଦିରର ଦକ୍ଷିଣ ପାର୍ଶ୍ଵର କାନ୍ଥକୁ ଆଉଜି ବହୁତ କାନ୍ଦିଲି। ଅଭିମାନ ଭରା ଅନେକ ପ୍ରଶ୍ନକୁ ଜଗା ପାଖରେ ଛାଡିଦେଇ ଚାଲିଗଲି ସାଗର କୂଳକୁ। ଚିନ୍ତା କଲି ଆଜି ରାତି ହେବ ଏ ସାଗରତଟରେ ଶେଷ ରାତ୍ରି।

ଅପରାହ୍ନ ର ସମୟ। ସାଗର କୂଳରେ ସ୍ଥିର ଚିତ୍ତ ନିର୍ବିକାର ମୁଦ୍ରାରେ ମୋର ଏହି ଶରୀର। ମହାବାତ୍ୟା ର ପୂର୍ବ ନିରବତା ସଦୃଶ ମୋର ଅର୍ନ୍ତମନ। ଆଖି ଯୋଡିକ ଅନୁସରଣ କରୁଥାଏ ସାଗର ର ଜୁଆରକୁ । ଏହିପରି ଏକ ସମୟରେ ଅନ୍ୟମନସ୍କ ଭାବେ ଚାହିଁଲି ମୋର ବାମପାଖକୁ। କିନ୍ତୁ ଏ କଣ !............

ଜଣେ ଶ୍ୟାମଳ ବର୍ଣ୍ଣ କିଶୋର ମୋର ଅତି ନିକଟରେ ବସି ଅପଲକ ନୟନରେ ଚାହିଁରହିଛି ଗଭୀର ସାଗରକୁ । ମୋର ଅଜାଣତରେ କେତେବେଳେ ଆସି ସେ କିଶୋରଟି ମୋ ପାଖରେ ବସିଲା ତାହା ଭାବୁ ଭାବୁ ମୁଁ ଅବଲୋକନ କରିଚାଲିଥାଏ ତାହାର ମୁଖମଣ୍ଡଳକୁ। ମନେମନେ ଭାବୁଥାଏ ହଲ୍କା ହଲ୍କା ବର୍ଷାରେ ସ୍ବଳ୍ପ ଜନସମାଗମ ଭିତରେ କିଏ ଏ ବାଳକ ଯେ ଆଉ କୋଉଠି ନ ବସି ମୋ ପାଖରେ ଆସିବସିଛି? ଏକ ଅପରିଚିତ ପୁଣି ମୋର ସେ ସମୟର ଦୁଃସ୍ଥ ମାନସିକ ସ୍ଥିତିରେ ମୋ ପାଖରେ ବସିବାଟା ସହଜରେ ଗ୍ରହଣୀୟ ହୋଇପାରିଲା ନାହିଁ ମୋ ପାଇଁ। ଅସନ୍ତୋଷରେ ଭରିଗଲା ମୋ ମନ। ନିରବରେ କିଛି ସମୟ କଟିଗଲା ମୁଁ ତାକୁ ଓ ସେ ସମୁଦ୍ରକୁ ଅବଲୋକନ କରିବାରେ। ୧୦ ରୁ ୧୨ ବର୍ଷର ସେ ବାଳକକୁ ମୁଁ ଯେତେ ଅଧିକ ଦେଖୁଥାଏ ଏକ ଅଦ୍ଭୁତ ରୋମାଞ୍ଚ ମୋ ଭିତରେ ଖେଳିଯାଉଥାଏ। ବିରକ୍ତି ଓ ଅଭିମାନର ପୂର୍ଣ୍ଣକୁମ୍ଭ ଟା କାହିଁକି କେଜାଣି କମି ଯାଉଥିବାର ଅନୁଭବ ଦେଉଥାଏ। ଧୀରେ ଧୀରେ ଯେପରି ମୁଁ ସମ୍ମୋହିତ ହୋଇଯାଉଥାଏ ସେ ବାଳକଟିର ଅଦୃଶ୍ୟ ସ୍ପର୍ଶରେ। ହଠାତ୍ ସେ ପ୍ରଶ୍ନ କଲା କଣ ଦେଖୁଛ???

ଉତ୍ତରରେ ମୋର ସେହି ଏକା ପ୍ରଶ୍ନ ତୁମେ କଣ ଦେଖୁଛ???

ତାର ସେ ଉତ୍ତରଟା ଆଜିବି ମୋର ମନେ ଅଛି। "ଏଇ ସମୁଦ୍ରକୁ। ଦେଖ ତାକୁ। ଆମ ଜୀବନଟାବି ଏହି ସମୁଦ୍ର ପରି। ଜୁଆର ର ଘାତ ପ୍ରତିଘାତକୁ ପାର କରି ଯଦି ଆମେ ଭିତରକୁ ଯିବା ତେବେ ଦେଖିବା ସମୁଦ୍ରଟା କେତେ ଶାନ୍ତ ଆଉ ସୁନ୍ଦର , ଜୀବନଟା ବି ଠିକ୍ ଏହିପରି"। ଏତେ ଛୋଟ ବାଳକ ମୁଖରୁ ଏ ବାକ୍ୟ ଶୁଣି ମୁଁ ହୋଇପଡିଥାଏ ସମ୍ମୋହିତ। ଲାଗୁଥାଏ ଯେପରି ଆମର ଦୀର୍ଘଦିନର ପରିଚୟ। ତାପରେ ମୁଁ ପ୍ରଶ୍ନକଲି ତମ ଘର କେଉଁଠି?ସେ ମଧ୍ୟ ସେହି ଏକା ପ୍ରଶ୍ନ କଲା। ମୁଁ ଉତ୍ତର ଦେଲି ରାଇରଂଗପୁର। ସେ ଉତ୍ତର ଦେଲା ମୋ ସମ୍ପର୍କୀୟକଂ ଘର ସେହି ପାଖରେ। ମୁଁ କେବେକେବେ ସେଠାକୁ ଯାଏ। ମୁଁ ପୁଣି ପଚାରିଲି ରାଇରଂଗପୁର କେଉଁ ଜାଗା?ସେ କହିଲା "ସେଇଠି ମ ଟାଟା ରାଇରଂଗପୁର ମଝିରେ"। ମୁଁ ପୁନଃ ପ୍ରଶ୍ନ କଲି ତାହାହେଲେ ତମ ଘରଟା?ସେ କହିଲା ମୋ ଘର ଏହି ପୁରୀ ପାଖରେ। ବାପା ମୋର ମୂର୍ତ୍ତି କାମ କରନ୍ତି। ମୁଁ ବି ମୂର୍ତ୍ତୀ କାମ କରେ। ରକମ ରକମ ର ମୂର୍ତ୍ତୀ ତିଆରି କରେ। ଆଜି ଲୋକନାଥ ମହାପ୍ରଭୂଙ୍କ ଠାରେ ଶ୍ରାବଣ ପାଣି ଭାର ଢାଳିବାକୁ ଆସିଛି। ମନ୍ଦିର ଭିଡ ତ ସେଇଥି ପାଇଁ ଏଠାକୁ ବୁଲିବାକୁ ଚାଲିଆସିଲି। ଲୋକନାଥଙ୍କ ମନ୍ଦିର କେଉଁଠାରେ ତା ବିଷୟରେ ମୋର କୌଣସି ଧାରଣା ନଥିଲା। ତେଣୁ ମୁଁ ଚୁପ୍ ରହିଲି। ଏହା ଭିତରେ ବେଶ କିଛି ସମୟ ଅତିବାହିତ ହୋଇଯାଇଥିଲା। ବାଳକଟି ମୋତେ କହିଲା ଆସ ମନ୍ଦିର ଦର୍ଶନରେ ଯିବା। ମୁଁ କହିଲି ନା ମୋର ଦର୍ଶନ ସରିଲାଣି। ତୁମେ ଦର୍ଶନ କରିବାକୁ ଯାଅ। ମୋତେ ନେବାର ସମସ୍ତ ପ୍ରୟାସ ବୃଥା ହେବାରୁ ସେ କହିଲା ଆଚ୍ଛା ମୋତେ ଟିକିଏ ହାତ ଦିଅ ମୁଁ ଟିକିଏ ଛିଡା ହୁଏ। ବାଳକଟି ମୋ ହାତର ଆଶ୍ରାରେ ଉଠି ଛିଡା ହେଲା। ମୁଁ ଯିବାକୁ ଉଦ୍ୟତ ହେବାରୁ ସେ କହିଲା ଭାଇ ପାଣି ଭାର ବୋହି ବୋହି ମୋର ଗୋଡ ଚାଲୁନାହିଁ। ମୋତେ ଟିକିଏ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଛାଡିଦେଇ ଆସ। ମୁଁ ତା ହାତକୁ ମୋ କାନ୍ଧରେ ରଖି ମୁଖ୍ୟ ରାସ୍ତା ପଟକୁ ଆଗେଇଲି। କିଛି ବାଟ ଯଆନ୍ତେ ଦେଖିଲି ଆଉ ଜଣେ ଗୌର ବର୍ଣ୍ଣ ତେଜବନ୍ତ ବାଳକ ଆମ ପଟକୁ ସ୍ମିତ ହାସ୍ୟ ଦେଇ ଆସୁଅଛି। ନିକଟ ତର ହେବାରୁ ମୁଁ ଦେଖିଲି ସେ ଦୁହେଁ ପରସ୍ପରକୁ ଦେଖି ହସ ର ଆଦାନପ୍ରଦାନ କରୁଛନ୍ତି। ମୁଁ ପଚାରନ୍ତେ ଶ୍ୟାମଳ ବାଳକଟିକହିଲା ଆମେ ଦୁଇ ସାଙ୍ଗ ଏକା ସାଥେ ପାଣି ଢାଳିବାକୁ ଆସିଛୁ। ଗୌର ପିଲାଟି ସ୍ବଳ୍ପ କଥା ଆଉ ସ୍ମିତ ହସ ମୋତେ ଯେପରି ସମସ୍ତ କଷ୍ଟ ରୁ ଦୂରେଇ ନେଉଥାଏ। ସେହି ସମୟରେ ଗୋଟିଏ ମଣିଷ ଟଣା ରିକ୍ସା ମୁଖ୍ୟ ରାସ୍ତା ଦେଇ ଯାଉଥିଲା। ସେହି ରିକ୍ସାକୁ ଅଟକାଇଲେ ସେ ଦୁହେଁ। ସେ ଦୁହେଁ ପୁଣି ଅନୁରୋଧ କଲେ ମୋତେ ସେହି ରିକ୍ସାରେ ବସି ମନ୍ଦିର ଯିବାପାଇଁ। ମନରେ ସଙ୍କୋଚ ରଖି ମୁଁ ମନାକଲି ଯିବାପାଇଁ। କହିଲି ମୋର ମନ୍ଦିର ଦର୍ଶନ ସରିଯାଇଛି। ପୁଣି ମୋ ପାଖରେ ପଇସା ମଧ୍ୟ ନାହିଁ କାହାରିକୁ ଦେବାପାଇଁ। କିନ୍ତୁ ସେମାନେ କହିଲେ ନା ନା ତମେ ଠିକ୍ ଭାବେ ଦେଖିନାହଁ। ଯେଉଁଭଳି ଦର୍ଶନ କରିବା କଥା ସେଭଳି କରିନାହଁ। ଚାଲ ଆମ ସାଥୀରେ ଆମେ ଠିକ୍ ଭାବେ ଦର୍ଶନ କରାଇ ଦେବୁ। ତମେ ନଗଲେ ଆମେ ମଧ୍ୟ ଯିବୁନାହିଁ। ତାଂକର ସରଳ କଥାରେ ଯେପରି କୌଣସି ଶକ୍ତି ଥିଲା ଯାହା ମୋର ଚିନ୍ତା ଶକ୍ତି ଉପରେ ଅଧିପତ୍ଯ ବିସ୍ତାର କରି ଚାଲିଥିଲା। ନା କହିବାର ଶକ୍ତି ଯେପରି ଜ୍ବିହା ମୋର ହରାଇସାରିଥିଲା। ମୁଁ ପ୍ରଥମେ ରିକ୍ସାରେ ବସିଲି। ମୋର ଦୁଇ ଜାନୁରେ ବସିଲେ ବାଳକ ଦୁହେଁ।

ରିକ୍ସା ମାଡି ଚାଲିଥାଏ ଆଗକୁ ଆଗକୁ। ମୁଁ ଆଉ ମୁଁ ହୋଇ ନଥାଏ। ସେ ଦୁହିଁଙ୍କର ସ୍ପର୍ଶ ଯେପରି ଦିବ୍ଯ ଆନନ୍ଦ ଆଣିଦେଉଥାଏ। ଲାଗୁଥାଏ ଯେପରି ଏମାନେ ମୋର ବହୁ ପରିଚିତ। ବହୁ ଦିନର ସମ୍ପର୍କ ମୋର ସେମାନଙ୍କ ସାଙ୍ଗରେ। ପିତା ମାତା ଭାଇ ଭଉଣୀ ଏ ସମ୍ପର୍କ ମୋ ମନରୁ ଲିଭିସାରିଥିଲା। ମୁଁ ଖାଲି ଏତିକି ଅନୁଭ ବ କରୁଥିଲି ସତରେ କଣ ଏ ଦୁହେଁ ମୋର ଜନ୍ମ ଜନ୍ମ ର ପରିଚିତ।

ଏହା ଭିତରେ ରିକ୍ସା ଯାଇ ପହଞ୍ଚିଲା ଶ୍ରୀ ମନ୍ଦିର ନିକଟରେ। ଖୁବ୍ ସଙ୍କୋଚରେ ଓହ୍ଲାଇଲି ରିକ୍ସାରୁ। କାରଣ ଥିଲା ଭଡା ମୋ ପାଖରେ ନଥିଲା। କିନ୍ତୁ ମୋ ଚିନ୍ତା କରିବା ଭିତରେ କିଏ ଭଡା ଦେଲା କେଜାଣି ରିକ୍ସା ବାଲା ଚାଲିଗଲା।

ବଡ ଅପ୍ରସ୍ତୁତ ଲାଗିଲା ମୋତେ। ମୁଁ କହିଲି ମୋଠାରୁ ଭଡା ନେଲନି? ସେମାନେ କହିଲେ ଆମ ପାଖରେ ବହୁତ ପଇସା ଅଛି ତମେ ଚିନ୍ତା କରନି। ଏହା ଭିତରେ ସେ ଗୋରା ପିଲାଟି ମୋ ପାଦରୁ ଚପଲ ଖୋଲିବାକୁ ଲାଗିଲା। ମୁଁ ବାରଣ କଲି। କହିଲି ମୁଁ ଏଇଠି ଅଛି ତମେ ଯାଇ ଦର୍ଶନ କର। ସେମାନେ କହିଲେ ମନ୍ଦିର ପାଖକୁ ଆସି ଦର୍ଶନ ନକରି ରହିଯିବ। ପୁଣି ଖାଲି ପାଦରେ ଚାଲି ଚାଲି ଆମର ଆଉ ବାଇଶି ପାହାଚ ଚଢିବାକୁ ବଳ ନାହିଁ। ତୁମ ବିନା ଆମେ ଦର୍ଶନ କରିବା କିପରି? ମୋ ର ଆଉ ବାରଣ କରିବାର ଶକ୍ତି ନଥିଲା। ମୋ ଚପଲ ଧରି ଚାଲିଗଲା ପିଲାଟି। ମୁଁ କହିଲି ଚପଲ ରଖିବା ପଇସା ନ ନେଇ ସେ ପିଲା ଚାଲିଗଲା ଯେ। ଶ୍ୟାମଳ ପିଲାଟି ହସି ହସି କହିଲା ତା ପାଖରେ ବହୁତ ପଇସା। ତା ଅଣ୍ଟା ମୁଣି ଟା ହଲେଇ ଦେଲେ ଖାଲି ପଇସା ଝଡିବ। କିଛି ସମୟ ପରେ ଗୋରା ପିଲାଟି ଅରୁଣ ସ୍ତମ୍ଭ ପାଖରେ ପହନ୍ଚିଲା ଯେଉଁଠି ଆମେ ଛିଡା ହୋଇଥିଲୁ।

ଶ୍ଯାମଳ ପିଲାଟି ର ହାତକୁ ମୁଁ ମୋ କାନ୍ଧରେ ରଖି ଧରି ଧରି ବାଇଶି ପାହାଚ ଆଡକୁ ଗଲି। ଗୋରା ପିଲାଟିକୁ ବି ମୁଁ କହିଲି ଆସ ଅନ୍ୟ ପଟ କାନ୍ଧରେ ହାତରଖି ଆଗକୁ ଯିବା। କିନ୍ତୁ ସେ ଭଦ୍ରତାର ସହ୍ କହିଲା ମୁଁ ଧୀରେ ଧୀରେ ଚାଲିପାରିବି ତମେ ତାକୁ ଧର କାରଣ ସେ ବହୁତ ଥକିପଡିଛି।

ଏହା ଶୁଣି ମୁଁ ଧୀରେ ଧୀରେ ଶ୍ରୀ ମନ୍ଦିର ମଧ୍ୟକୁ ଅଗ୍ରସର ହେଲି। ମୋତେ ଲାଗୁଥାଏ ସମୟଟା ଯେମିତି ଅଟକି ଯାଇଛି ମୋ ପାଇଁ। ଏହା ପୂର୍ବରୁ ମୋତେ ଜଣା ନଥଲା ଜଗନ୍ନାଥ ମନ୍ଦିରକୁ ଗଲେ ପ୍ରଥମେ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବାକୁ ହୁଏ ବୋଲି। ସେହି ପିଲାଦୁହିଁ କଂ କଥାକୁ ସମ୍ମାନ କରି ଅଜି ବି ମୁଁ ପୁରୀ ଗଲେ ପ୍ରଥମେ ଲକ୍ଷ୍ମୀ ମାଙ୍କ ଦର୍ଶନ କରେ।

ଲକ୍ଷ୍ମୀ ମନ୍ଦିର ଦର୍ଶନ ସାରି ଆମେ ଆସିଲୁ ବଡ ମନ୍ଦିର। ମନ୍ଦିର ଭିତରେ ପ୍ରବେଶ କରନ୍ତେ ଶ୍ୟାମଳ ପିଲାଟି ହଠାତ୍ କହିଉଠିଲା ଆଗ ଗରୁଡ ଖମ୍ବ ପାଖକୁ ମୋତେ ନିଅ। ମୁଁ ମଧ୍ୟ ଯତ୍ନବତ ତାକୁ ନେଇ ଚାଲିଗଲି ଗରୁଡ ଖମ୍ବ ନିକଟକୁ। ସେଠାରୁ ସେ ମୋତେ ପ୍ରଭୂଂକୁ ଦର୍ଶନ କରିବାକୁ କହିଲା। ଠିକ୍ ସେତିକି ବେଳେ ଆରତୀ ଚାଲିଥିଲା। ଶ୍ୟାମଳ ପିଲାଟି ମୋତେ କହିଲା ଟିକିଏ ଟେକି ଦିଅନ୍ତନି ମୁଁ ଟିକିଏ ଆଳତୀ ଦେଖି ଥା ଆନ୍ତି। ମୁଁ ମଧ୍ୟ ସାଙ୍ଗେସାଙ୍ଗେ ମୋର ଦୁଇ ହାତରେ ଟେକି ଧରିଲି ତାକୁ ପ୍ରଭୂ ଦର୍ଶନ ନିମିତ୍ୟ। କାହିଁକି କେଜାଣି ମୋର ସମଗ୍ର ଶରୀର ପୁଲକିତ ହୋଇଉଠିଲା। ନା କ୍ଷୁଧା ନା ତୃଷା , ସବୁ ଯେପରି ମୋଠାରୁ ଅପସରି ଯାଇଥିଲେ। ମୁଁ ସେହି ଗୌର ବର୍ଣ ପିଲାଟିକୁ କହିଲି ଆସ ତୁମକୁ ବି ଟେକି ଦେବି ଦର୍ଶନ କରିବ। ଆଜିବି ତା କଥା ମୋର ମନେ ପଡେ ଯାହାକୁ ମୁଁ ସେତେବେଳେ ଭାବିନଥି ଲି । ସେ ଟିକିଏ ହସିଦେଇ କହିଲା" ମୋତେ ଟେକିବା ଦରକାର ନାହିଁ । ତାକୁ ଖାଲି ଟେକିଦିଅ ସେ ଦର୍ଶନ କରୁ। ତା ପରେ ଆମେ ନିତିଦିନ ଠାକୁର ଦର୍ଶନ କରୁଛୁ "।

ଦର୍ଶନ ପରେ ଆମେ ତିନିଜଣ ଠିକ୍ ସେହି ଜାଗାରେ ଯାଇ ବସିଲୁ ଯେଊଁଠି ମୁଁ ଛାଡିଯାଇଥିଲି ଅନେକ ପ୍ରଶ୍ନ। କିନ୍ତୁ ବୋଧ ହୁଏ ମୋର ଆଉ ଉତ୍ତର ର ଆବଶ୍ୟକତା ନଥିଲା। ମୁଁ ହୋଇଯାଇଥିଲି ଚିନ୍ତା ଶୂନ୍ୟ। ଜଣେ କାନ୍ଥରେ ଆଉଜି ଓ ଆଉ ଜଣେ ମୋ କୋଳରେ ମୁନ୍ଡ ରଖ ତିନି ଜଣ ହଜିଯାଇଥିଲୁ କେଉଁଏକ ଭିନ୍ନ ଦୁନିଁଆରେ।

ଏହାପରେ ତିନିଜଣ ଉଠିଲୁ। ମୁଁ କହିଲି ଏଥର ଯାଏ। କିନ୍ତୁ ସେମାନେ କହିଲେ ରୁହ ଟିକିଏ ଆମ ସହିତ ଟିକେ ଜଗନ୍ନାଥ ସଂଗ୍ରହାଳୟ ଚାଲ। ମୁଁ ଆଗରୁ ଜାଣି ନଥିଲି ମନ୍ଦିର ଭିତରେ ମ୍ୟୁଜିୟମ ଟିଏ ଅଛି। ଯାଇ ଦେଖିଲି ଟିକଟ ବୋଧହୁଏ ୧୦ଟଙ୍କା ଥିଲା। ମୋତେ ଭାରି ଖରାପ ଲାଗିଲା ଯେ ସେ ଛୋଟପିଲା ଦୁହେଁ ମୋ ପାଇଁ ପଇସା ଦେଉଛନ୍ତି। ଏଥର ବି ଦୁହେଁ ମୋପାଇଁ ପଇସା ଦେଇଦେଲେ। ସେତେ ପର୍ଯନ୍ତ ସେହି ଶ୍ୟାମଳ ପିଲାଟି ମୋ ଉପରେ ଭାରା ଦେଇ ଚାଲୁଥାଏ। ଏଥିପାଇଁ ମୋ ମନରେ ତିଳେହେଲେ ବିରକ୍ତି ଭାବ ଆସୁନଥିଲା। ଆମେ ତିନିଜଣ ଗଲୁ ମ୍ୟୁଜିଅମ୍ ଭିତରକୁ। ଭିତରେ ଥିଲା କହ୍ନେଇ ର ବାଲ୍ୟଲୀଳା ଘଟଣାବଳୀ ର ମୂର୍ତ୍ତୀ । ସେହି ମୂର୍ତ୍ତୀ ଙ୍କୁ ଦେଖି ଆତ୍ମବିଭୋର ହୋଇଉଠୁଥିଲେ ଦୁହେଁ। ଲାଗୁଥିଲା ଯେପରି ସେମାନେ ଉକ୍ତ ଘଟଣା ବଳୀ ର ପ୍ରତକ୍ଷ୍ୟ ଦର୍ଶୀ। କୌଣସି ଆଧୁନିକ ଯୁଗର ବାଳକ ଉକ୍ତ ମୂର୍ତିରେ ସେଭଳି ରୋମାନ୍ଚିତ ହୋଇପାରେନା ଯେଉଁଭଳି ସେମାନେ ପ୍ରତ୍ୟୟମାନ ହେଉଥିଲେ। ସେହି ମୁହୁର୍ତକୁ ମୁଁ ବର୍ଣ୍ଣନା କରିପାରିବିନି। ମୁଁ ସେ ଦୁହିଁଙ୍କୁ ଦେଖୁଥାଏ ନିରବ ହୋଇ। ତାହାକୁ କେବଳ ଅନୁଭବୀ ହିଁ ଅନୁଭବ କରିପାରିବ। ସେଠାରୁ ବାହାରିଲା ପରେ ମୁଁ କହିଲି ମୁଁ ଏଥର ଯାଏ। ତୁମ୍ଭେମାନେ ଭଲରେ ଘରକୁ ଫେର। କିନ୍ତୁ ସେମାନେ ମୋତେ ଆଉ ଛାଡିଲେ ନାହିଁ। କହିଲେ ତୁମେ ଆମ ଧାମ ଆମ ଘରକୁ ଆସିଛ ; ଆମକୁ ଅତିଥି ସତ୍କାର ର ସୁଯୋଗ ଦେବନାହିଁ। ଚାଲ ଆମେ ମିଶି ଅବଢା ଖାଇବା। ମୋର ମନା କରିବାର ଉପାୟ ନଥିଲା । ଏପଟେ ଅବଢା କିଣିବାକୁ ମୋର ଶକ୍ତି ନାହିଁ। କିନ୍ତୁ ମୋର ଚିନ୍ତା କରିବା ପୂର୍ବରୁ ଅବଢା ଆସିସାରିଥିଲା। ଅବଢା କଦଳୀପତ୍ର ସବୁର ବ୍ୟବସ୍ଥା ସେମାନେ ତୁରନ୍ତ କରିପକାଇଲେ। ଆନନ୍ଦ ବଜାର ର ଗୋଟିଏ କଡରେ ଆମେ ଜାଗାଟିଏ ବାଛିଲୁ ଅବଢା ସେବନ କରିବା ପାଇଁ। ଜାଗାଟି ଟିକିଏ ଅସନା ଲାଗୁଥିଲା। କିନ୍ତୁ ମୁଁ କିଛି ଚିନ୍ତା କରିବା ପୂର୍ବ ରୁ ଗୋରା ପିଲାଟି ତାର କାନ୍ଧରେ ପଡିଥିବା ନାଲି ଗାମୁଛାକୁ ବାହାର କରି ତୁରନ୍ତ ତଳେ ବସିବା ଜାଗାକୁ ଘସିବାରେ ଲାଗିପଡିଲା। ମୁଁ କହିଲି ଆରେ ଭଲ ଗାମୁଛାଟା ନଷ୍ଟ ହୋଇଯିବ । କିନ୍ତୁ କିଛି ଲାଭ ହେଲାନାହିଁ। ସଫା ସରିଲା ପରେ ଆମେ ତଳେ କଦଳୀପତ୍ର ପକାଇ ବସିଲୁ ଆଉ ଗୋଟିଏ ଲେଖାଏଁ ପତ୍ର ସଭିଁକଂ ଆଗରେ ପଡିଲା। ସବୁ ଚୁପ୍ଚାପ୍। ମୁଁ କହିଲି ବାଢିବା ପାଇଁ, କିନ୍ତୁ ସେମାନେ କହିଲେ ତମେ ବାଢିଲେ ଆମେ ଖାଇବୁ। ମୁଁ ବଢାବଢି କାମଟା ସାରିଲି। ଅଳ୍ପ କିଛି ଖାଇବାପରେ ମୋ ପେଟ ଭରିଗଲା। ସେ ଦୁହେଁ ବି ଖାଇସାରିଲେ। ହଠାତ୍ ଗୋରା ପିଲାଟି ଶ୍ୟାମଳ ପିଲାଟିକୁ ପଚାରିଲା ତୋ ପେଟ ପୁରିଲାତ? ଶ୍ୟାମଳ ପିଲାଟି ଅଳ୍ପ ହସି ମୁଣ୍ଡ ହଲାଇ ନା କହିଲା। ସେତେବେଳେ ଗୋରା ପିଲାଟି କହିଲା ମୁଁ ଜାଣିଚି ତୋ ପେଟ ପୁରି ନଥିବ। ମୁଁ ତୁରନ୍ତ ବଳିଥିବା ଅବଢା ତାକୁ ବାଢିଦେଲି। ଖାଇ ସାରି ସେମାନେ ମୋତେ କହିଲେ ଚାଲ ବଢିଆ ଜିନିଷଟେ ପିଈବା। ଏହା କହି ସେମାନେ ମୋତେ ଟଙ୍କ ତୋରାଣି ପିଇବାକୁ ଦେଲେ। କହିଲେ ଏବେ ମିଳିବ ପୂର୍ଣ୍ଣ ଶାନ୍ତି। ଏହାପରେ ସେମାନେ କହିଲେ ଏବେ ଘରକୁ ଯାଅ। ମୁଁ ପ୍ରଶ୍ନ କଲି ପୁଣିକେବେ ଦେଖାହେବ? ସେମାନେ କହିଲେ ଆମେ ନିୟମିତ ପୁରୀ ଆସୁ। କେବେ ନା କେବେ ନହାତି ଦେଖାହୋଇଯିବ। ଏହାପରେ ଆମେ ମନ୍ଦିର ବାହାରକୁ ଆସିଲୁ। ସେତେବେଳକୁ ୪ଟା କିମ୍ବା ୫ଟା ସମୟ ହେବ। ମୋ ଅଜାଣତରେ କେତେବେଳେ ଅଟୋ ଟିର ବନ୍ଦୋବସ୍ତ କରିଦିଆଯାଇଥିଲା। ମୋତେ ଅଟୋରେ ବସାଇ କହିଦେଲେ ଭାଈକୁ ନେଇ ଠିକ୍ ଜାଗାରେ ଛାଡି ଦେବୁ। ଯେଉଁ ମୁହୁର୍ତ୍ତରେ ମୁଁ ଅଟୋରେ ବସିଲି ମୋ ହୃଦୟ ଟା ହଠାତ୍ ବ୍ୟାକୁଳ ହୋଇ ଉଠିଲା। ମନ ଖୋଜିଲା ସେହି ଆତ୍ମତୃପ୍ତି। ବିକଳ ହୋଇ ଅଟୋରୁ ପଛକୁ ଦେଖିଲି। କିନ୍ତୁ ସେ ଜନସମୁଦ୍ରରେ ସେ ଦୁହେଁ ଅନ୍ତର୍ଦ୍ଧାନ ହୋଇସାରିଥିଲେ। ମନ ଟା ମୋର ଅଶାନ୍ତ ହୋଇଉଠିଲା। ଅଜିବି ମୋ ଶରୀର ମନରେ ଶିହରଣ ଖେଳିଯାଏ ଯେତେବେଳେ ମୁଁ ସେହି ସ୍ବର୍ଗୀୟ ମିଳନକୁ ସ୍ମରଣ କରେ। ଅଟୋ ଟି ମୋତେ ନେଇ ବସ୍ ଷ୍ଟାଣ୍ଡରେ ପହଞ୍ଚାଇଦେଲା। ଭଡା ନ ନେଇ ଛୋଟିଆ ହସଟିଏ ହସି ଗାଡି ଛୁଟାଇ ଚାଲିଗଲା। ମୁଁ ଚିନ୍ତା କଲି ବସ୍ରେ ବସେ ଯାହା ହେବ ଠାକୁରେ ବୁଝିବେ। ବସ୍ରେ ବସି ଭାବୁଥାଏ ବିଗତ ୨୪ ଘଣ୍ଟାରେ ମୋ ସହ କଣ ସବୁ ଘଟିଗଲା। ସେତେବେଳେ ଯାଇ ମୋ ମନକୁ ଆସିଲା 'ଆରେ ସେ ପିଲା ଦୁହିଁଙ୍କ ନା ତ ମୁଁ ପଚାରିପାରିଲିନି। ମନ ଟା ଏକ ଅଦ୍ଭୁତ ସ୍ଥିତିକୁ ଚାଲିଗଲା ।

ସେତିକି ବେଳେ ପଛ ସିଟ୍ ରୁ କେହି ଜଣେ ବ୍ୟୋୟଜ୍ୟେଷ୍ଠ ବ୍ୟକ୍ତି ଆଉ ଜଣକୁ କହୁଥିବାର ଶୁଣିଲି"ଆରେ! ଏ ପରା ଜଗନ୍ନାଥ ଧାମ। ଏଠାରୁ କେହି କଣ ଓପାସରେ ଫେରେ। ଜଗା ଯେମିତି ହେଉ ଖୁଆଇ ପିଆଇ ପଠାଇବ ନା! ଭୋକରେ ଏଠାରୁ ଚାଲିଗଲେ କାଳିଆକୁ କଣ ଭଲ ଲାଗିବ?""। ବାସ୍ ଆଉ କିଛି ଶୁଣିବାକୁ ମୋର ଧୈର୍ଯ୍ୟ ନଥିଲା। ହୃଦୟଟା ଖାଲି ନୀରବରେ ଚିତ୍କାର କରୁଥିଲା। ଆଖି ର ଲୁହ ବନ୍ଧ ବାଡ ଡେଇଁ ବହିଚାଲିଲା ମୋର ବିନା ଅନୁମତିରେ। ମୁଁ ମଧ୍ୟ ତାକୁ ଅଟକାଇବାକୁ ଚେଷ୍ଟା କଲିନାହିଁ। ଲୁହ ର ଦର୍ପଣରେ ମୁଁ ଦେଖୁଥିଲି ବିତିଯାଇଥିବା ସେହି ମୁହୁର୍ତ୍ତ ଗୁଡିକୁ। ଆଶ୍ଚର୍ଯ୍ୟ ର ବିଷୟ ଏହା ଯେ ଭୁବନେଶ୍ବର ପହନ୍ଚିଗଲି, କିନ୍ତୁ ବସ୍ କଣ୍ଡକ୍ଟର ମୋ ପାଖକୁ ମଧ୍ୟ ଆସିଲା ନାହିଁ।

ଘଟଣା ଟି ନିଶ୍ଚୟ କାଳ୍ପନିକ ଲାଗୁଥିବ। କିନ୍ତୁ ଏହି ବାସ୍ତବତାକୁ ଜୀବନ ର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ଅନୁଭବ କରୁଥିବି।

ଜୟ ଜଗନ୍ନାଥ


Rate this content
Log in