Pramod Kumar Jena

Others

4  

Pramod Kumar Jena

Others

ଅନ୍ତର୍ଦ୍ୱନ୍ଦ୍ୱ

ଅନ୍ତର୍ଦ୍ୱନ୍ଦ୍ୱ

5 mins
14.5K


ମୁହଁରେ ଭେନ୍ଟିଲେଟର୍, ହାତରେ ସାଲାଇନ୍, ମୁଣ୍ଡ ପାଖେ ଭଳି ଭଳି ମନିଟର୍ l ଆଇ.ସି.ୟୁ.ର ଖଟ ଉପରେ ଶୋଇଛନ୍ତି ଧଡି ବାବୁ l ଡାକ୍ତର କହିଛନ୍ତି ଦୁଇଟା ଆର୍ଟେରୀରେ 90% ବ୍ଲକେଜ୍ ଅଛି l ବୟସରେ ଆମ ଠାରୁ ବହୁତ ବଡ l ଅତି କମରେ କୋଡିଏ ବର୍ଷର ବ୍ୟବଧାନ l ଆମେ ସବୁ ୟଙ୍ଗ୍ ମାସ୍ ତାଙ୍କୁ ବଡ ଭାଇ ବୋଲି ଡାକୁ l ଆମମାନଙ୍କର ହାତ ଧରି କାମ ଶିଖେଇଛନ୍ତି l ଭାରି ମଜାକିଆ l ଆଉ ଜଣେ ଗୁରୁ ଲୋକ l ସେତେବେଳେ ଆମେ ନୂଆ ନୂଆ ଚାକିରି କରିଥାଉ l ପାନ ତାଙ୍କର ଭାରି ପ୍ରିୟ l ପାନ ଦୋକାନିଙ୍କର ସେ ଜଣେ ବଡ ଗ୍ରାହକ l ବଡବାବୁ ମାନେ ଆଗେ ଜୁହାର l ଆଗେ ଚାହା.......... ତା’ପରେ ପାଟିରେ ପାନ ପୁରାଇ ସିଗାରେଟ୍ ଧୂଆଁ ଖୁବ୍ ଷ୍ଟାଇଲରେ ଛାଡନ୍ତି l ଅଧା ଅଫିସ୍ ତାଙ୍କୁ ଘେରି ରହିଥାନ୍ତି l ପଇସା ଦେବାରେ ବଡବାବୁ କେବେ କଞ୍ଜୁସି କରନ୍ତି ନାହିଁ l ବାକି ଖାଇବା ତାଙ୍କର ସ୍ୱଭାବ ନାହିଁ l ଧାର କାହିଁକି ଖାଇବେ ? ଯେବେ ଦେଖିଲେ ବି ତାଙ୍କ ପକେଟ୍ ଗରମ ଲାଗେ l

ମୁଁ ଯେତେବେଳେ ଆପଏଣ୍ଟମେଣ୍ଟ୍ ଲେଟର୍ ପାଇଲି, ଆମ ଗାଆଁର ଅନେକ ଲୋକ ପଚାରିଲେ, ଦରମା କେତେ, ଆଉ ଉପୁରି କେତେ??? ସେଇ କଥା ଦିନେ ଘରେ ବି ପଚାରିଥିଲେ l ତାଙ୍କ ହିସାବରେ ଏଇଟା ବି ରୋଜଗାର l ଅନେଷ୍ଟି ଆଉ ଡିଜ୍-ଅନେଷ୍ଟି l ବେଶି କିଛି ଭାବିନାହାନ୍ତି l ମୋର ବି ମନ ଭିତରେ ଥାଏ l ଏ ଉପୁରି କ’ଣ ? କେମତି ମିଳେ ? କିଏ ଦିଏ ? ଆଉ କେତେ ? ନୂଆ ନୂଆ ଚାକିରି l ପଚାରିବି କାହାକୁ ? ଥରେ ମୌକା ଦେଖି ବଡ ବାବୁଙ୍କୁ ପଚାରିଦେଲି l

ବଡ ବାବୁ ହସିଲେ l କହିଲେ, କିରେ ଦୁଇ ଦିନ ହୋଇନି ................ ହୁଁ............ ଓଳିଆରୁ ପଡି ଗଜା l ଘରେ ପଶୁ ପଶୁ ଚାଳ ବାଜିଲାଣି l ଟିକେ ଅପଦସ୍ତ ଲାଗିଲା l

ଦିନେ ତାଙ୍କର ମୁଡ୍ ଭଲ ଥିଲା l ମୋତେ ଡାକି ଗୋଟିଏ ନଳ ପାଖକୁ ନେଇ ଗଲେ l ଟ୍ୟାପ୍ ଖୋଲା ଅଛି l ପାଣି ବୋହି ଚାଲିଛି l ଚାହା ବାଲା, କାମ ବାଲା ଅଫିସ୍ ହତା ଭିତରକୁ ପଶି ଆସି ପାଣି ନେଉଛନ୍ତି l ମୋତେ ପଚାରିଲେ, ଅଫିସ୍ ପାଣି ନେଲା ବେଳେ ସେମାନେ ଆମକୁ ପଚାରିଲେ ?

ମୁଁ କହିଲି, ନାଁ............

ତା’ପରେ ଜଣେ ମଜଦୁର୍ ବୋତଲ୍ ଧରି ଆସିଲା l ଆମ ଦୁଇ ଜଣଙ୍କୁ ଦେଖି ପଚାରିଲା, ‘ଆଜ୍ଞା ଟିକେ ପାଣି ନେଇଥାନ୍ତି l’

ବଡ ବାବୁ ହସିଲେ l କହିଲେ, ‘ତୁମ କଣ୍ଟ୍ରାକ୍ଟର୍ ବ୍ୟବସ୍ଥା କରିବା କଥା ନା l ହଉ ନେ l’ ଟିକିଏ ମୁରୁକି ହସି ମୋ ଆଡେ ଚାହିଁଲେ l କହିଲେ, ‘କିଛି ବୁଝିଲୁ ?’ ଭଲା ଏଥିରେ କ’ଣ ବୁଝିବାର ଥିଲା, ମୁଁ ଜାଣି ପାରିଲି ନାହିଁ l

କହିଲେ, ‘ସେଇଟା ହିଁ ତୋତେ ବୁଝୋଉଛି l ’ ତା’ ପରେ କହିଲେ,

ଟ୍ୟାପ୍ ଖୋଲ l ମୁଁ ଟ୍ୟାପ୍ ଖୋଲିଲି l ସେ କହିଲେ ବନ୍ଦ କର l ମୁଁ ବନ୍ଦ କଲି l

ଏଥର ସେ କହିଲେ , ‘ଦେଖ୍ ପାଣି ବାହାରୁଥିଲା, ଆଉ ଆମେ ବନ୍ଦ କରିଦେଲୁ l ସେଇଟା ହିଁ ଟ୍ରିକ୍ l’

: ମାନେ............

: ମାନେ............ ଯୋଉଠି ପାଣି ବାହାରୁଛି ବନ୍ଦ କରି ଦେବୁ l ଯାହାର ପାଣି ଦରକାର୍ ସେ ତୋତେ ମାଗିବ l ଆଣେ ପାଣି ଆସିଲେ କେହି ମାଗିବେନି l ଏଣିକି ଚାବି ଆମ

ପାଖରେ l କାହାକୁ ଦେବା, କାହାକୁ ନ ଦେବା ତାହା ଆମେ ସ୍ଥିର କରିବା l ଏତେ ଆରାମରେ ସାଙ୍କେତିକ ଭାଷାରେ ସେ ଦିନ ସେ ମୋତେ ବୁଝେଇ ଦେଲେ ଯେ ସେହି ଦିନ ମୁଁ ବୁଝିଗଲି ବଡବାବୁଙ୍କର ଉପୁରିରି ରହସ୍ୟ l କ’ଣ ସବୁ ହେବା କାମକୁକ ଅଟକାଇ ବସିଛନ୍ତି l ପାଉଣା ମିଳିଲେ କାମ ଆଗକୁ ବଢିବ l ନ ହେଲେ ସେଠି ପଡି ରହିଲା l

ବାଃ........ ଚମତ୍କାର............

ସେ ଦିନ ଟିକିଏ ହସି ବଡ ବାବୁ କହିଲେ, ଆରେ ଆପେ ଆପେ ଯଦି କାମ ହୋଇଯିବ, ତା’ହେଲେ କିଏ କାହିଁକି ପଚାରିବ ? ନଳ ବନ୍ଦ କରିଦେ.......... ହାଃ.............. ହାଃ..............ହାଃ.............ହସି ହସି ପିଠି ଥାପୁଡେଇ ଦେଲେ l ଆଜି ଘଟରେ ଶୋଇଛନ୍ତି l ପାଖରେ ତାଙ୍କର ଶ୍ରୀମତି l ବଡ ଭାଇଙ୍କ ଅବସ୍ଥା ଦେଖି ପୁରା ଭାଙ୍ଗି ପଡିଛନ୍ତି l ଦୁଇଟା ଭିଜିଟିଙ୍ଗ୍ ପାସ୍ ଧରି ମୁଁ ଆଉ ମୋର ସହକର୍ମୀ ପ୍ରଶାନ୍ତ ଆସିଛୁ ଦେଖିବାକୁ l ଆମକୁ ଦେଖି ଲୁହକୁ ଅଟକେଇ ପାରିଲେନି l କହିଲେ, ‘ତୁମ ବଡ ଭାଇ କେତେ ଲୋକଙ୍କୁ ସାହାଯ୍ୟ କରି ନାହାନ୍ତି l ହଜାରେ କାମ ନେଇ ହଜାରେ ଲୋକ ଆମ ଦୁଆରେ ଠିଆ ହୁଅନ୍ତି l ସେମାନଙ୍କର କାମ କଥା ଚିନ୍ତା କରି ଘର କଥା ସବୁ ଭୁଲି ଯାଇଥାନ୍ତି l ଆଜି ଦେଖ l ଠାକୁରେ ତାଙ୍କୁ ଏ କି ପ୍ରକାର ଶାସ୍ତି ଦେଇଛନ୍ତି l’

ମନେ ମନେ କହୁଥାଏ, ‘ଭାଉଜ ! ସେ ଲୋକମାନଙ୍କର କାମ କରି ଦେଉ ନ ଥିଲେ l ବରଂ ଅଟକେଇ ଦେଉଥିଲେ l ସେଥିପାଇଁ ଆପଣଙ୍କ ଘରେ ସେମାନେ ହାତ ଗୁଞ୍ଜା ଦେଇ କାମ କରେଇବାକୁ ଆସୁଥିଲେ l’

ବିଚରା ଭାଉଜ ଏ ସବୁ କ’ଣ ଜାଣନ୍ତି l ତାଙ୍କ ହିସାବରେ ବଡ ଭାଇ ଜଣେ ଉଦାର ପ୍ରକୃତିର ବ୍ୟକ୍ତି l ଲୁହ ପୋଛୁ ପୋଛୁ କହୁଥାନ୍ତି, ‘ଫିଲିଙ୍ଗ୍ କଲା ବେଳେ ଭେନ୍ଟିଲେଟର୍ ଖୋଲିବାକୁ ପଡୁଛି l ଖାଲି ଚମକୁଛନ୍ତି l ହାତକୁ ଧରି ବିଳି ବିଳୋଉଛନ୍ତି l କହୁଛନ୍ତି, ମୋତେ ସେ ବାଡେଇ ପକେଇବ l ମୋତେ ସେ ବାଡେଇ ପକେଇବ l ଏଇ ତ ଆସିଲା l’

ଆଇlସିlୟୁl ଭିତରକୁ ନର୍ସ୍ ଜଣେ ପଶି ଆସିଲେ l ବିlପିl, ପଲ୍ସ୍, ସବୁ ନୋଟ୍ କଲେ l ସାଲାଇନ୍ ବଟଲ୍ ଦେଖି କହିଲେ, ‘ସରି ଆସିଲାଣି l ଦଶ ମିନିଟ୍ ପରେ ମୋତେ ଖବର ଦେବେ l ନ ହେଲେ କଲିଙ୍ଗ୍ ବେଲ୍ ବଜେଇ ଦେବେ l ମୁଁ ଆସି ଚେଞ୍ଜ୍ କରିଦେବି l’ ତା’ ପରେ ବଡବାବୁଙ୍କୁ ହଲେଇ ଦେଇ ପଚାରିଲେ, ‘ମଉସା ! କେମିତି ଲାଗୁଛି ?’

ବଡ ବାବୁ ଆକି ଖୋଲିଲେ l ଆମକୁ ଦେଖି ବିଳି ବିଳେଇବା ଆରମ୍ଭ କରି ଦେଲେ l ମୁହଁରେ ଭେନ୍ଟିଲେଟର୍ ଥିଲା l କିଛି ବୁଝି ପାରିଲୁ ନାହିଁ l ଟିକିଏ ଇତଃସ୍ତତଃ ହୋଇ ନର୍ସ୍ ଭେନ୍ଟିଲେଟର୍ ବାହାର କରିଦେଲି ପଚାରିଲା, ‘କ’ଣ କହୁଛନ୍ତି ?’

ବଡ ବାବୁ ବିକଳ ହୋଇ କହିଲେ, ‘ପ୍ରଶାନ୍ତ............. ପ୍ରଶାନ୍ତ.............. ତା’ ଫାଇଲଟା ପଠେଇଦେବ l ଜଲଦି ପଠେଇଦେବ l ନ ହେଲେ ମୋତେ ସେ ଛାଡିବନି......... ଛାଡିବନି l ’

ଭାଉଜ ପଚାରିଲେ, ‘କିଏ ଛାଡିବନି ? କାହା କଥା କହୁଛ ?’

: ହେଇ ସେ ବୁଢା ବାଙ୍କୁଲି ବାଡି ଧରି ମାଡି ଆସୁଛି l ପ୍ରଶାନ୍ତ............ ପ୍ରଶାନ୍ତ.............

ନର୍ସ୍ ମୁଣ୍ଡକୁ ସାଉଁଳେଇ ଦେଇ କହୁଥାଏ, ‘କାମ୍ ଡାଉନ୍.......... କାମ୍ ଡାଉନ୍.......... ଶୋଇ ପଡନ୍ତୁ............ ଶୋଇ ପଡନ୍ତୁ . କ’ଣ ଗୋଟେ ସ୍ୱପ୍ନ ଦେଖିଛନ୍ତି ବୋଧ ହୁଏ l’

ଭାଉଜ ମୁହଁରେ ଲୁଗା ଚାପି କାନ୍ଦିବାକୁ ଲାଗିଲେ l ମୁଁ ପ୍ରଶାନ୍ତ ମୁହଁକୁ ଚାହିଁଲି l ଆମେ ଦୁହେଁ ଠିକ୍ ଜାଣିପାରିଲୁ ସେ ବୁଢା କିଏ ? ସେ ହେଉଛନ୍ତି ଗୋବର୍ଦ୍ଧନ ମହାପାତ୍ର l ସ୍କୁଲ୍ ହେଡ୍ ମାଷ୍ଟର୍ ଥିଲେ l ତାଙ୍କ ରିଟାୟାରମେଣ୍ଟ୍ ଫାଇଲ୍ ବଡ ବାବୁ ଅଟକାଇ ରଖିଥିଲେ l ଯେତେ ଥର ଆସିଲେ ବାହାନା କରି ଫେରାଇ ଦେଲେ l ମାଷ୍ଟ୍ରିଆ ଲୋକ l ହାତ ଗୁଞ୍ଜା ଦେବାକୁ ତାଙ୍କ ବିବେକ ବାଧା ଦେଇଛି ବୋଧ ହୁଏ l ପ୍ରଥମେ ଅନୁରୋଧ କଲେ l ପରେ ଧମକ ଦେଇ ଝଗଡା କଲେ l କହିଲେ, ଉପର ଅଫିସରଙ୍କୁ କମ୍ପ୍ଲେନ୍ କରିବେ l ଛାଡିବେନି l ଧଡି ବାବୁ ତ କଂସାରୀ ଘରର ପାରା l ତାଙ୍କୁ ସେ ଧମକ କ’ଣ କାମ ଦେବ ? ଏଇ ମାସ ପନ୍ଦର ତାରିଖରେ ତାଙ୍କର ବିୟୋଗ ହୋଇଗଲା l କିନ୍ତୁ ତାଙ୍କର ପେନସନ୍ ନିଷ୍ପତ୍ତି ହୋଇ ପାରିଲା ନାହିଁ l

ଆଜି ବଡ ବାବୁ ତାଙ୍କ ବିବେକ ନିକଟରେ ହାରି ଯାଇଛନ୍ତି l ସେ ବୁଢା ମାଷ୍ଟ୍ର କିଛି କରିପାରିଲାନି ସତ, ହେଲେ ତାଙ୍କ ନିଜ ବିବେକ ତାଙ୍କୁ ଡରାଉଛି ଅତି ଭୟଙ୍କର ଭାବରେ l ସବୁ ଜାଣି ବି ଆମେ ଦୁହେଁ ଚୁପ୍ ରହିଲୁ l


Rate this content
Log in