Lokanath Rath

Children Stories Drama Inspirational

4  

Lokanath Rath

Children Stories Drama Inspirational

ଅକୁହା ଯନ୍ତ୍ରଣା

ଅକୁହା ଯନ୍ତ୍ରଣା

5 mins
390



ଯଶୋଦା ଦେବୀ ପରେଡ ପଡିଆର ପ୍ରଥମ ଧାଡିରେ ବସି ସାଧାରଣତନ୍ତ୍ର ଦିବସର ପରେଡ ଦେଖୁଥିଲେ । ମନ ଭିତରେ ଅତୀତର ବହୁତ କଥା ମନେ ପଡୁଥିଲା । ଏମିତି କେତେଥର ସେ ପରେଡ ଦେଖିଛନ୍ତି ସ୍ୱାମୀ ସହିଦ ମେଜର ବିକାଶ ଦାସ ଙ୍କ ଥିବା ଅବସ୍ଥାରେ । ହଠାତ୍ କ୍ୟାପଟେନ ସଙ୍ଗୀତା ଦାସ ନାମ ଶୁଣି ଚଷମା ପୋଛି ପୁଣି ପିନ୍ଧିଲେ ଓ ଦେଖିଲେ ।

ଆଜି ତାଙ୍କର ଅଲିଅଳି ସଙ୍ଗୀତାକୁ ତାର ବୀରତ୍ୱ ପାଇଁ ମେଡାଲ ମିଳୁଛି । ନିଜେ ରାଷ୍ଟ୍ରପତି ମହୋଦୟ ପ୍ରଦାନ କରୁଛନ୍ତି । ମୁହଁରେ ହସ ଓ ଆଖିରୁ ଲୁହ ଝରାଇ ସେ ତାଳି ମାରିଲେ । ପେଣ୍ଡାଲକୁ ଚାହିଁ ମନ ବହୁତ ଖୁସି ହେଲା ଝିଅର ସମ୍ମାନକୁ ଦେଖି ,କିନ୍ତୁ ଅତୀତର ସେ ଅକୁହା ଯନ୍ତ୍ରଣାକୁ ଚାପି ରଖି ସେ ବି ଠିଆ ହୋଇ ସମସ୍ତଙ୍କ ସାଙ୍ଗରେ ଝିଅକୁ ସମ୍ମାନ ଜଣାଇଲେ, ଆଜି ସଙ୍ଗୀତା ପଚିଶ ବର୍ଷର ହେଇଯାଇଛି ।


ଆଜିକୁ ପନ୍ଦର ବର୍ଷ ତଳେ ଯଶୋଦା ଭି ଯାଇଥିଲା ପେଣ୍ଡାଲ ଉପରକୁ ବିକାଶଙ୍କର ମରଣୋତ୍ତର ମେଡାଲ ଗ୍ରହଣ କରିବାକୁ । ସେଦିନ ଘରକୁ ଫେରି ବହୁତ କାନ୍ଦିଥିଲା ବିକାଶଙ୍କର ଫଟୋ ପାଖରେ । ସେତେବେଳେ ସଙ୍ଗୀତାକୁ ମାତ୍ର ଦଶ ବର୍ଷ । ସେ ଯଶୋଦାଙ୍କ ପାଖକୁ ଆସି ତାଙ୍କ ଲୁହ ପୋଛିଦେଇ କହିଥିଲା, ମାମା ତୁମେ କାନ୍ଦ ନାହିଁ । ମୋ ଡାଡି ଅମର, ତାଙ୍କ ପାର୍ଥିବ ଶରୀର ସିନା ଆମ ପାଖରେ ନାହିଁ କିନ୍ତୁ ତାଙ୍କର ବୀରତ୍ୱର କାହାଣୀ ଆଜି ସାରା ଦୁନିଆରେ ଚର୍ଚ୍ଚାର ବିଷୟ । ଦେଖ ମୁଁ କାନ୍ଦୁ ନାହିଁ କାରଣ ମୁଁ ମୋ ଡାଡିଙ୍କ ପାଖରେ ଶପଥ କରିଛି ତାଙ୍କ ଅଧୁରା କାମକୁ ମୁଁ ପୁରା କରିବି ।ସେତେବେଳେ ତା ମୁହଁ ରୁ ଏ ସବୁ ଶୁଣି ଯଶୋଦା ନିଜକୁ ବୁଝାଇ ପଣ କରିଥିଲେ ଝିଅକୁ ଖୁବ ପଢ଼ାଇବେ ଏବଂ ଭାରତୀୟ ସ୍ଥଳସେନା ରେ ସାମିଲ କରାଇବେ ।

ବାସ ସେହି ଦିନଠାରୁ ଆରମ୍ଭ ହେଲା ତାଙ୍କ ଜୀବନର ଯାତ୍ରାର ଏକ ନୂତନ ଯାତ୍ରା । ସେ ନିଜେ ଚାକିରୀ ଅନ୍ୱେଷଣ ରେ ବାହାରିଲେ । ବହୁତ ଜାଗାରେ ଯାଇ ସାକ୍ଷାତକାର ଦେଲେ । କିନ୍ତୁ କେଉଁଠି କିଛି ମିଳିଲା ନାହିଁ ।ଶେଷରେ ଝିଅ ସଙ୍ଗୀତା କୁ ନେଇ ନିଜ ଗ୍ରାମକୁ ଗଲେ ।ସେଇଠି ଥିବା ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାମ କରିବାକୁ ଲାଗିଲେ । ନିଜ ଗାଁରେ ବଳକା ସମୟରେ ଘରୁ ସିଲାଇ କାମ ମଧ୍ୟ କଲେ । ଦୁଇ ପଇସା ଅଧିକ ରୋଜଗାର କରି ଝିଅକୁ ଭଲ ଶିକ୍ଷା ଓ ତାଲିମ ଦେବା ଥିଲା ତାଙ୍କର ଏକ ମାତ୍ର ଲକ୍ଷ । ଦେଖୁ ଦେଖୁ ଦିନ ମାସ ବର୍ଷ ବିତି ଗଲା । ଝିଅ ସଂଗୀତା ଦଶମରେ ଉତୀର୍ଣ୍ଣ ହେଲା । ଏବେ ମହାବିଦ୍ୟାଳୟରେ ପଢିବାକୁ ହେବ । ସହରରେ ରହି ସେ କେମିତି ଏକା ପଢିବ ଭାବି ଭାବି ବେଳେ ବେଳେ ଯଶୋଦା ଲୁଚି ଲୁଚି କାନ୍ଦନ୍ତି । ଶେଷରେ ସଙ୍ଗୀତାର ନାମଲେଖା ହେଲା ଓ ସେ ଛାତ୍ରୀ ନିବାସରେ ରହି ପଢିଲା । ପାଠ ସାଙ୍ଗରେ ସେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରେ ଅଂଶ ଗ୍ରହଣ ବି କଲା । ସଙ୍ଗୀତାର ଭି ଲକ୍ଷ ସ୍ନାତକ କରି ଭାରତୀୟ ସେନାରେ ନିଜକୁ ସାମିଲ କରିବ । ଦେଶ ପାଇଁ ସଙ୍ଗ୍ରାମ କରିବ । ତା ଡାଡିଙ୍କୁ ଦେଇଥିବା କଥା ସେ ପୁରା କରିବ । ଯେଉଁ ସୀମା ରେ ଯୁଧ୍ୟ କରୁ କରୁ ତା ଡାଡି ସହିଦ ହେଇଗଲେ , ସେହି ସୀମା ରେ ସେ ଶତ୍ରୁଙ୍କୁ ଉଚିତ ଶିକ୍ଷା ଦେବ । ଏଣେ ଯଶୋଦା ଦିନ ତମାମ କାମ କରି ଯଥେଷ୍ଟ କିଛି ସଞ୍ଚୟ କରିବାକୁ ଲାଗିଲେ । ସଙ୍ଗୀତାର ସ୍ନାତକ ପରୀକ୍ଷା ସରିଲା .ଏବେ ସେନାରେ ଭର୍ତ୍ତି ହେବା ପାଇଁ ସେ ଯୋଗ୍ୟତା ପରୀକ୍ଷା ପାଇଁ ନିଜକୁ ସଜାଡ଼ିବାକୁ ଲାଗିଲା । ପାଖରେ ଥିବା କୋଚିଂ କେନ୍ଦ୍ର ରେ ଯୋଗ ଦେଲା ଏବୋ ଶାରୀରିକ ଯୋଗ୍ୟତା ପାଇଁ ବ୍ୟାୟାମ କରିବା ସହ ପରିଶ୍ରମ ବି କରିଚାଲିଲା । ଯଶୋଦାଙ୍କର ସଞ୍ଚିଥିବା ଅର୍ଥ ଏବେ କାମରେ ଲାଗିଲା । ସ୍ନାତକ ପରୀକ୍ଷାରେ ସଙ୍ଗୀତା କୃତ୍ତିତ୍ୟ ସହ ଉତ୍ତୀର୍ଣ ହେଲା । ତା ପରେ ପରେ ଭାରତୀୟ ସେନା ର ପରୀକ୍ଷା ଦେଲା । ସେଥିରେ କୃତକାର୍ଯ୍ୟ ହେଲା । ଶାରୀରିକ ପରୀକ୍ଷାରେ ବି କୃତକାର୍ଯ୍ୟ ହେଲା .ଏବେ ତାକୁ ଭାରତୀୟ ସେନାରେ ଯୋଗ ଦେବାକୁ ଚିଠି ବି ମିଳିଲା । ମାସକ ଭିତରେ ପ୍ରଶିକ୍ଷଣ ପାଇଁ ଯିବାକୁ ହେବ । ଖୁସିରେ ସେ ନାଚି ଉଠିଲା । ସିଧା ନିଜ ଗାଁ କୁ ଚାଲିଲା ତା ମାମାକୁ ଭେଟିବାକୁ । ଆଗ ଗାଁ ରେ ପହଞ୍ଚି ମାମା କୁ କୁଣ୍ଢାଇ ଖୁସିରେ କହିଲା , ମୋ ଆଶା ପୂରଣ ହେଲା ଆସନ୍ତା ମାସରେ ପ୍ରଶିକ୍ଷଣ ପାଇଁ ଯିବି । ଏତିକି କହି ଚିଠି ଟି ଯଶୋଦାଙ୍କୁ ବଢ଼ାଇଦେଲା । ତାକୁ ପଢୁ ପଢୁ ଉଭୟ ମା ଓ ଝିଅ ଆଖିରୁ ଲୁହ ଝରାଇ ଟିକେ ଟିକେ ହସି ବିକାଶଙ୍କ ଫଟୋ ପାଖକୁ ଗଲେ ଓ ସେ ଚିଠି ପଢି ଶୁଣିବାକୁ ଲାଗିଲେ । ସତେ ଯେମିତି ବିକାଶ ଏହି ଦିନକୁ ଅପେକ୍ଷା କରିଥିଲେ । ଉଭୟଙ୍କୁ ଲାଗିଲା ବିକାଶ ଚାପି ଚାପି ହସୁଛନ୍ତି ।

ଯଶୋଦାଙ୍କ ଖୁସି କହିଲେ ନ ସରେ । ସାରା ଗାଁରେ ଏ କଥା ଖେଳିଗଲା .କୁଟୁମ୍ବ ର କିଛି ବୟସ୍କ ଆସି ଯଶୋଦାକୁ କହିଲେ , ମା ଆମ ସଙ୍ଗୀତା ତ ଝିଅ ପିଲାଟି । ସେ ସେନାରେ ଯାଇ କଣ କରିବ ?ତାର ବାହାଘର କରିଦିଅ । ଏହା ଶୁଣି ଯଶୋଦା ରାଗି ଯାଇଥିଲେ ବି ସମ୍ମାନର ସହ ଉତ୍ତର ଦେଲେ ,ସେ ସେନାରେ ଭର୍ତ୍ତି ହୋଇ ତା ଡାଡି ର ସ୍ବପ୍ନ ପୂରଣ କରିବ ଓ ଆମ ଦେଶର ସମ୍ମାନ ର ରକ୍ଷା କରିବ .ଆଉ ତା ବାହାଘର ଠିକ ସମୟରେ ନିଶ୍ଚୟ ହେବ।

ମନରେ ବହୁତ ଅଭିମାନ ଓ ରାଗ ହେଉଥାଏ ଯଶୋଦାଙ୍କର ବିକାଶଙ୍କ ଉପରେ, କାହିଁକି ଏକା କରି ଚାଲିଗଲେ । ଜୀବନର ଗଢି ଆସୁଥିବା ଖୁସିର ଘରକୁ କାହିଁକି ଅଧା କରି ଚାଲିଗଲେ । ଠିକ ଅଛି ସେ ବୀର ପରି ଲଢ଼ି ଶତ୍ରୁ ର ଦଶ ଜଣକୁ ନିହତ କରି ନିଜର ଚାରି ସାଥୀଙ୍କୁ ବଞ୍ଚାଇ ଏ ଦେଶ ପାଇଁ ନିଜ ଜୀବନର ବଳିଦାନ ଦେଲେ । ସେ ସହିଦ ହେଇଗଲେ ସମ୍ମାନ ବି ପାଇଲେ କିନ୍ତୁ ଏ ସମାଜ ଏବେବି ତାଙ୍କ ଚିନ୍ତାଧାରାକୁ ବୁଝି ପାରୁନି ସମସ୍ତେ ନିଜ ପାଇଁ ସ୍ୱାର୍ଥପର ଦେଶ ପାଇଁ ନୁହେଁ .କିନ୍ତୁ ମୋ ଝିଅ ଦେଶ ପାଇଁ ସ୍ୱାର୍ଥପର ଓ ଏବେ ଦେଶପାଇଁ ନିଜକୁ ସମର୍ପଣ କରିବାକୁ ଯାଉଛି । କେହି ବୁଝି ପାରୁନାହାନ୍ତି । କେବଳ ପୁରୁଷ ଓ ନାରୀ କୁ ଦେଖୁଛନ୍ତି ।ନାରୀକୁ ଏବେ ବି ଅବଳା ଭାବୁଛନ୍ତି । ଅନ୍ତରର ଯନ୍ତ୍ରଣାକୁ ଚାପି ରଖି ଛାତିରେ କୋହକୁ ଧରି ଉଠିଗଲେ ।

ଠିକ ମାସକ ପରେ ସଂଗୀତା ବାହାରିଲା ତା ପ୍ରଶିକ୍ଷଣ ପାଇଁ ସେଦିନ ଝିଅକୁ କୁଣ୍ଢାଇ ଧରି ବହୁତ କାନ୍ଦିଥିଲେ ଯଶୋଦା ।

ସେଥିରେ କିଛି ଯନ୍ତ୍ରଣା , କଚି ବିରହ ବେଦନା ଓ କିଛି ସମ୍ମାନର ଆଶା ଝଲସୁଥିଲା । ଠିକ ଦୁଇ ବର୍ଷ ପରେ ଲାଗିଲା ଘୋର ଯୁଧ୍ୟ ।ସଂଗୀତା ତା ଡାଡିଙ୍କ ମେଳିର କ୍ୟାପଟେନ ହିସାବରେ ସେନାକୁ ନେତୃତ୍ୱ ଦେଉଥାଏ ।

ସଙ୍ଗୀତା ମନରେ ଥାଏ ଶତ୍ରୁ ପକ୍ଷର ସମ୍ପୂର୍ଣ୍ଣ ବିନାଶ । ସେ ସେଥିରେ ସଫଳ ହେଲା । ଶତ୍ରୁଙ୍କ ପାଞ୍ଚ ଟି ଘଟି କୁ ନିଜେ ଧ୍ବଂସ କରିଦେଲା । ଯେତେ ଅନୁପ୍ରବେଶକରି ସମସ୍ତଙ୍କୁ ସଫା କରିଦେଲା ।

ଶେଷରେ ଯୁଦ୍ଧ ଶେଷ ହେଲା । ଦେଶ ବିଜୟୀ ହେଲା ।ସଙ୍ଗୀତାର ପରାକ୍ରମ ପାଇଁ ତାକୁ ଆଜି ସାଧାରଣତନ୍ତ ଦିବସରେ ମାନନୀୟ ରାଷ୍ଟ୍ରପତିଙ୍କ ଠାରୁ ସୂର୍ଯ୍ୟଚକ୍ରର ମେଡାଲ ଓ ସମ୍ମାନ ମିଳୁଛି । ତାକୁ ଦେଖି ଯଶୋଦା ଆଜି ଗର୍ବିତ । ବିକାଶ ବି ଉପରେ ରହି ଆଜି ବହୁତ ଖୁସି ହେଉଥିବେ ।

ସେଦିନ ଘରକୁ ଫେରି ସଙ୍ଗୀତା ଆଗ ତା ଡାଡି ଙ୍କ ଫଟୋ ପାଖକୁ ଯାଇ ପ୍ରଣାମ କଲା ଓ ମେଡାଲ ଟା ତାଙ୍କ ଫଟୋ ପାଖରେ ରଖି ଯଶୋଦାଙ୍କୁ ଧରି କାନ୍ଦି କାନ୍ଦି କହିଲା ,ଆଜି ମୋ ଡାଡି ଥିଲେ କେତେ ଖୁସି ହେଇଥାନ୍ତେ ,ସେ ନିଶ୍ଚୟ ଉତ୍ସବ ମନେଇ ଥାନ୍ତେ ।

ଯଶୋଦା କହିଲେ ଏବେ ଟିକେ ସେ ଘରକୁ ଚାଲ ।

ସଂଗୀତା ଯେତେବେଳେ ସେ ଘରକୁ ଗଲା ଦେଖିଲା ତା ଗାଁ ର ଲୋକମାନେ ଫୁଲ ହାର ନେଇ ଆସିଛନ୍ତି ତାକୁ ସ୍ୱାଗତ କରିବାକୁ । ଯେଉଁମାନେ ତାକୁ ଗୋଟିଏ ଝିଅ ପିଲା ଭାବି ଅବଳା କହୁଥିଲେ ଆଜି ସେମାନେ ଖୁସିରେ ଆତ୍ମହରା ତା କୃତିତ୍ୱ ଓ ସମ୍ମାନ ପାଇଁ । ସଙ୍ଗୀତା ଦେଖିଲା ଦୂରରେ ତା ମାମା ଯଶୋଦା ଠିଆ ହୋଇ ତାଳି ମାରୁଛନ୍ତି ଓ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଛି ।ସେ ବୁଝି ପାରିଲା ଲୁହ ଗୁଡିକ ତା ମାମାର ଅକୁହା ଯନ୍ତ୍ରଣାର ଧାର ।



Rate this content
Log in