ଅଖା ବାୟା
ଅଖା ବାୟା
ସାହିର ସବୁ ଛୋଟ ପିଲା ଖୁସି ଥିଲେ କି ଅଖାବାୟା ମରିଗଲା. ମରିଯିବା ଅର୍ଥ ସେମାନେ ବୁଝି ଯାଇଥିଲେ କି ଆଉ କେବେ ଅଖା ବାୟା ଏପଟେ ଆସିବନି କି ବୋଉ, ମମି,କି ଆଈ, ଜେଜେମା ମାନେ ତା ନାମ କହି ଛୋଟ ପିଲାଙ୍କୁ ଡରେଇ ଶୁଆଇ ଖୁଆଇ ଦେବେ ବରଂ ଏଣିକି ସେମାନେ ଅଖାବାୟା କବଳରୁ ମୁକ୍ତ. ସବୁଦିନ ଅଖା ଧରି ଆସେ. କଣ ସବୁ ଗୋଟାଉ ଥାଏ. ମାଆ କହନ୍ତି ପିଲା ଖୋଜୁଛି. ଯୋଉ ପିଲା କଥା ନମାନି ଶୋଇନଥିବ, ଖାଇନଥିବ ବା କଥା ମାନିନଥିବ, ତାଙ୍କୁ ଦେଖିଲେ ଧରିକି ଅଖାରେ ଭରି ନେବ. ଆଉ ଯଦି ନପାଏ?ସେଇଥି ପାଇଁ ତ ଏଣୁ ତେଣୁ ପ୍ଳାଷ୍ଟିକ ଜରି ବୋତଲ ଭରି ରଖୁଛି ଅଖାରେ.ଦୁଷ୍ଟ ପିଲା କେହି କାନ୍ଦିଲେ ଋଷିଲେ ନଖାଇଲେ, ନଶୋଇଲେ ଧରି ନେଇ ଅଖା ସହ ବେପାରୀକୁ ବିକି ଦେବ. ସେ କଣ କରିବ? କଣ ଆଉ କରିବ, ଆଖି ନାକ କାନ କାଟିବ. ଘୋଡ଼ି ପୋଡି ହୋଇ କିଏ ଶୋଇଯାଏ ତ କିଏ ଢ଼ୋକି ଦିଏ ଖାଦ୍ୟ. ଆଉ ଆଜି ସେ ମରିଗଲା ଶୁଣି ମୁନାର ସାନଭାଇ,ଟୁନା ହସୁଥିଲା ବେଳେ ମୁନା କାନ୍ଦୁଛି କଣ ପାଇଁ?
ମୁନା ଜାଣିଥିଲା ସେ ଜରି ଗୋଟାଳି ଜଣେ ମାତ୍ର. ଅଳ୍ପ ପଇସା ରୋଜଗାର ସତ କିନ୍ତୁ ପରିବେଶ ସୁରକ୍ଷା ସହ ପ୍ଳାଷ୍ଟିକ ଭଳି ପଦାର୍ଥ ସବୁକୁ ନେଇ ବେପାରୀକୁ ଦିଏ ନହେଲେ ପଶୁ ପକ୍ଷୀ ମାନେ ସେଥିରେ ମୁହଁ ଭରିକି ହଇରାଣ ହେବା ସହ ମାଟିରେ ପ୍ଳାଷ୍ଟିକ ନମିଶିବା ଯୋଗୁଁ କେତେ ଅସୁବିଧା ହୁଅନ୍ତା!ମାଆ ମୁନା କାନ୍ଦୁଥିବାର ଦେଖି ପଚାରିଲେ ତୁ କେମିତି ଜାଣିଲୁ ସେ ଅଖା ବାୟା ନଥିଲା ବୋଲି. ତାଙ୍କ ପୁଅ ମୋ ସଙ୍ଗେ ଏକାଠି ପଢେ ମାଆ. ଖାତା ନଥିବାରୁ ପେନ ନଥିବାରୁ ଗାଳି ଖାଏ କ୍ଲାସରେ ତ ମୁଁ ଓ ମୋ ସାଙ୍ଗମାନେ ଆମ ପକେଟ ମନିରୁ ତା ପାଇଁ ଖାତା କଲମ କିଣିଦେଉ. ମୁନା ଆହୁରି ଜୋର ଜୋର କାନ୍ଦୁଥିଲା ତ ଟୁନା କଣ ବୁଝିଲା କେଜାଣି,କହିଲା ଅଖାବାୟା କହିବା ଉଚିତ ନୁହେଁ. ସବୁ ଛୋଟ ପିଲାଙ୍କ କଥା ଭଗବାନ ଶୁଣନ୍ତି. ଅଖାବାୟା ମରିଯାଉ ବୋଲି ତ ନିଶ୍ଚୟ ସମସ୍ତେ ଭଗବାନଙ୍କୁ ଡାକିଥିବେ କହି ସେ ମଧ୍ୟ କାନ୍ଦି ପକେଇବା ଦେଖି ମାଆ ମଧ୍ୟ କାନ୍ଦୁଥିଲେ.ଅନୁତାପରେ କି କଣ ଟୁନା ମୁନା ବୁଝିପାରୁ ନଥିଲେ।