Soumya Shubhadarshinee

Others

2  

Soumya Shubhadarshinee

Others

ଅଭିଯୋଗ

ଅଭିଯୋଗ

5 mins
3.8K


ଆଧୁନିକ ମଣିଷ ନିଜ ସ୍ୱପ୍ନ ସମ୍ଭାର ପଛରେ ଏତେ ବ୍ୟସ୍ତ ଯେ ଭୁଲିଯାଉଛି ତାର ପ୍ରକୃତ କର୍ତ୍ତବ୍ୟ।...

******

ଅଫିସରେ ପହଞ୍ଚୁ ପହଞ୍ଚୁ ଦୁଇଜଣ ଷ୍ଟାଫ୍ ଏକରକମ କୁଣ୍ଢେଇ ପକେଇଲେ ଆଉ ବଡ଼ ସ୍ମାଇଲ୍ ଦେଇ କହିଲେ

" ଥ୍ୟାଙ୍କୁ ଫର୍ ଏଭ୍ରିଥିଙ୍ଗ, ରାଣ ଅଛି ଆମେ କେବେ କରିପାରିନଥାନ୍ତୁ ଏମିତି , ୟୁ ଆର୍ ଜିନିୟସ୍" !

ସ୍ନେହା ଟିକେ ଅଶ୍ଚର୍ଯ୍ୟ ହେଇ ଅନେଇଲା କାରଣ ପ୍ରକୃତରେ ସେ ବୁଝିପାରୁ ନଥିଲା କ'ଣ କରିଛି ସେ? ତଥାପି କିଛି ଭଲ କାମ କରିଛି ଯାହା ତାକୁ ଏତେ ପପୁଲାର୍ କରିଦେଇଛି। ଖୁସି ଲାଗିଲା ତାକୁ।

ଯେବେ ପିଅନ ଆସି ଜଣେଇଲା ମ୍ୟାନେଜର ଡାକୁଛନ୍ତି ସତରେ ଖୁସି ହେଇଗଲା ସେ।ମ୍ୟାନେଜର ବୁଢା ଜଉ ରାଢ, ନରମଣିଷ ଙ୍କୁ କଥା ହୁଏନା ତାକୁ ଡାକୁଛି , ମାନେ ସତରେ କିଛି ଘଟିଛି। ଟିକେ ଝାଡିଝୁଡି ହେଇ ସେ ଗଲା ଚ୍ୟାମ୍ବର।

କିନ୍ତୁ ଏଠି ପାଶା ପଲଟି ଗଲା। ଇସ୍ ବୁଢା ଏମିତି କଦର୍ଯ୍ୟ ଭାବେ ଗାଳି ଦେବ ସ୍ନେହା ବିଲକୁଲ ଭାବି ନଥିଲା। ତାକୁ ଲାଗୁଥିଲା ଲାଷ୍ଟ ମାସରେ ସେ ଟାର୍ଗେଟ ଆଚିଭ୍ କରି ଦେଇଥିବା ହେତୁ ଖୁସିରେ କିଛି କହିବ ବା' ପ୍ରଶଂସା କରିବ । ବା' ସେ ସାଙ୍ଗ ଦୁଇଟା ଯେଉଁ କାରଣ ହେତୁ ଖୁସି ଥିଲେ ସେଇ କଥା କହିବ । କିନ୍ତୁ ବିଚିତ୍ର ବୁଢା ପୁରା ଟିଉସନ୍ କଲା ଆଉ ଗାଳି ଦେଲା। ହେଲେ କାହିଁକି ବୁଢା ଏମିତି ଫିଡିକି ଗଲା କିଛି ବୁଝା ପଡୁ ନଥିଲା। କଣ କହୁଥିଲା ସେ , " ଡୁ ୟୁ ଥିଙ୍କ ୟୁ ଆର୍ ଭେରୀ ସ୍ମାର୍ଟ ? ହାଓ ଡେୟାର୍ ୟୁ ଟୁ ଡୁ ଦିସ୍ ? "

ଆହୁରି ବହୁତ କିଛି କହିଲା ବୁଢା । ଆଉ ଯଦି ଆଗକୁ ଏମିତି ସେ କିଛି କରିବାକୁ ଚେଷ୍ଟା କରିବ ପରିଣାମ ଭୟଙ୍କର ହେବ ବୋଲି

ଧମକ ବି ଦେଲା। ହେଲେ ରାଣ ଅଛି ସ୍ନେହା ତା' କଥାରୁ କାଣିଚାଏ ବି ବୁଝିପାରିଲା ନାହିଁ। କେବେ ସିଏ ସ୍ମାର୍ଟ ହେଇକି ଏ ମ୍ୟାନେଜର

ବୁଢାର କିଛି ବିଗାଡି ଦେଲା ?......

କିନ୍ତୁ ପୂରା ଚୁପ୍ ରହି ସେ ସବୁ ଗାଳି ସହିନେଲା। ଏଇ କାମଟା ଭୟଙ୍କର କଷ୍ଟ ଦିଏ ତା'କୁ କିନ୍ତୁ ସେ ଜାଣେ ପଦେ କହିଲେ ବୁଢା ଆହୁରି ଦଶ ପଦ ଯୋଡିବ ଆଉ ତା' ଗାଳି ବର୍ଷଣ ବଢିବ। ଯେବେଠୁ ଆସିଛି ଏ ମ୍ୟାନେଜର ଏମିତି ବିବ୍ରତ କରୁଛି ସବୁବେଳେ। ତେଣୁ ନିରବ ରହିବା ସର୍ବୋକୃଷ୍ଟ । ଚାକିରୀ ଜୀଵନର ଏଇ ଅନୁଭବ ସବୁଠୁ ତିକ୍ତ କିନ୍ତୁ ମଣିଷ ଏଠି ନିରୁପାୟ। ହୁଏତ କିଛି ଭୁଲ କରିଛି ସେ , କିନ୍ତୁ ପ୍ରକୃତରେ ସେ ଜାଣିନି !.....

ଚ୍ୟାମ୍ବରରୁ ବାହାରି ସେ ଦ୍ରୁତ ପଦରେ ଚାଲିଗଲା ନିଜ କେବିନ୍ କୁ। ନିଜ ସଜଳ ଆଖିକୁ ସମ୍ଭାଳିବାକୁ ଅପଚେଷ୍ଟା କଲା। ତଥାପି କେଇ ଟୋପା ତତଲା ଲୁହ ଗଣ୍ଡଦେଶକୁ ଛୁଇଁଗଲା। ହେଲେ କ୍ୟାସ କାଉଣ୍ଟରରେ କଷ୍ଟମର୍ ମାନଙ୍କ ଭିଡ଼ ଜମି ସାରିଥିଲା ତେଣୁ ବେଶି ସମୟ ନଥିଲା ତା' ପାଖେ । ନିଜକୁ ପ୍ରକୃତିସ୍ଥ କରି କାମ କରିବାକୁ ହେବ ତାକୁ। ତା' ନିଜ ପରିସ୍ଥିତି ବିଷୟରେ କି ଜାଣନ୍ତି ଏଇ ସାଧାରଣ ଲୋକଗୁଡା । ସେମାନେ ସବୁ ନିଜନିଜ ଜୀବନ ଜଞ୍ଜାଳ ଭିତରେ , ତାଙ୍କୁ କ'ଣ କହିହେବ କିଛି। ସତରେ ଆଜିର ମଣିଷ ରହୁଛି ଭିଡ଼ ଭିତରେ କିନ୍ତୁ ସବୁବେଳେ ଏକାକୀ।ଦୁଃଖରେ ସମଭାଗୀ ହେବାକୁ ନଥାନ୍ତି କେହି।

ହଠାତ୍ ତା' ପାଖକୁ ଆସିଲା ଅନୁରାଧା , ତା' ସବୁଠାରୁ ଭଲ ବାନ୍ଧବୀ। ଟିକିଏ କାନ୍ଧରେ ହାତ ଥାପି ଚୁପ୍ କି କହିଲା , " ବୁଢା ବିଗିଡି ଥିବ ବହୁତ ନୁହେଁ? ତୁ ବି କେମିତି ଏମିତି କଲୁ ଯେ? ଯେ କେହି ବିଗିଡି ଯିବ , ଟିକେ ଭାବିଲୁନି? କିନ୍ତୁ ରାଣ ଅଛି ଆମେ ସବୁ ଭାରି ଖୁସି , ତୋ ସାହସକୁ ମାନିବାକୁ ପଡିବ!.....

ସ୍ନେହା ଆଶ୍ଚର୍ଯ୍ୟ ହେଇ ଅନେଇଲା, ଅନୁରାଧା କଥା ବି ଅବୁଝା । କ'ଣ କରିଛି ସେ ଯାହା ବୁଢା ଲାଗି ଭାରି ଖରାପ ଆଉ ଅନ୍ୟ ସଭିଙ୍କ ଲାଗି ଗୋଟେ ବିରାଟ ସାହସ ଭରା କାମ?...

ତା' ଅବାକ ଚାହାଣୀ ଦେଖି ଅନୁରାଧା ହସିଲା, ଆଉ କହିଲା, " ସେତିକି ଅଭିନୟ କର ବୁଢା ତ ଗାଳି ଦେଇ ସାରିଲାଣି ,ପୁଣି ଆଉ କାହିଁକି?..

ବଡ଼ ବିକଳ ହେଇ ସ୍ନେହା କହିଲା, " ବିଶ୍ୱାସ କର ତୁ କି କଥା କହୁଛୁ , ମୁଁ ଜାଣିନି, ବୁଢା କାହିଁକି ବିଗୁଡୁଛି ବି ଜାଣେନା!....

ଅନୁରାଧା ବଡ଼ ବଡ଼ ଆଖି ରେ ଅନେଇଲା , ଯେମିତି ଗୋଟେ ବିଚିତ୍ର କଥା ଶୁଣୁଛି । ଆଉ ଆହୁରି ପାଖକୁ ଲାଗିଆସି କହିଲା, " ତୁ ଜାଣିନୁ ସେ ଅଡିଓ ମେସେଜ କଥା , ଯାହା ତୁ ପଠେଇଛୁ ଆମ ଅଫିସର ହ୍ଵାର୍ଟସପ୍ ଗ୍ରୁପ ରେ ?"

ସ୍ନେହା କିନ୍ତୁ ପ୍ରକୃତରେ ଜାଣି ନଥିଲା କି ମେସେଜ , କିଏ ପଠେଇଛି।ସେ କହିଲା , " ନାଁ ମୁଁ କିଛି ମେସେଜ ଦେଇନି,ରାଣ ଅଛି ।"

ଲଞ୍ଚ ବ୍ରେକ ସମୟ ହେଇ ଯାଇଥିଲା । ସଭିଏଁ ନିଜ ନିଜ ଖାଇବା ଟିଫିନ୍ ସହ ଏକତ୍ରିତ ହେଉଥିଲେ । ତେଣୁ ସନ୍ଧ୍ୟା ଅପା ଡାକିଲେ ସ୍ନେହାକୁ ଖୁବ୍ ଆଦରରେ।

ଅନୁରାଧା ଆଖିରେ ଇସାରା ଦେଇ ତାକୁ ଚୁପ୍ ରହିବାକୁ କହିଲା। ଆଉ ସେ ଦୁହେଁ ବି ଆସି ସାମିଲ ହେଲେ। ସମସ୍ତେ ଅଳ୍ପ ବହୁତ ସ୍ନେହାକୁ ପ୍ରଶଂସା କରୁଥିଲେ। ବାନାର୍ଜୀ ସାର୍ ତ ତା' କାମକୁ ଗୋଟେ ଅଭିନବ ଉପାୟ ଭାବେ ଖୁବ୍ ପ୍ରଶଂସା କଲେ। ସବୁବେଳେ କର୍ମଚାରୀ ମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଏମିତି ପ୍ରତିରୋଧ କରିବା ଉଚିତ ବୋଲି ଉପଦେଶ ଦେଲେ।

ସନ୍ଧ୍ୟା ଅପା , ଭାରି କୁହାଳିଆ , କହିଲେ" ତୁମେ ସବୁ ନୂଆ ପିଲା ନିଜ ଘରକୁ ବି ଉଚିତ ସମୟ ଦିଅ ହେଲା , ଛୁଆ ସବୁ ସତରେ ଅବହେଳା ହେଉଛନ୍ତି । "

ମାନୁ ଟିକେ ଚୁଲ୍ ବୁଲି, ହସିହସି କହିଲା,

" ସନ୍ଧ୍ୟା ଅପା ସେଇଟା ଗୋଟେ ବାହାନା ବୁଝିଲ , ଆମ ସ୍ନେହା ଦିଦି ଝିଅର ସାହାଯ୍ୟ ନେଇଛନ୍ତି ଟିକେ ନିଜ କଥାକୁ ଅଧିକ ସମ୍ବେଦନଶୀଳ କରିବାକୁ।"

ଏମିତି ଚର୍ଚ୍ଚାରେ ରହିଲା ସ୍ନେହା।କିନ୍ତୁ ସବୁ କଥା ଥିଲା ଅବୋଧ୍ୟ। ବଡ଼ ବିଚିତ୍ର ସ୍ଥିତି ଥିଲା ତା'ର ,ସେ କିଛି ପ୍ରତିକ୍ରିୟା ପ୍ରକାଶ କରି ପାରିଲା ନାହିଁ। କେଵଳ ହସିଦେଲା ସଭିଙ୍କୁ ଚାହିଁ।

ଲଞ୍ଚ କାର୍ଯ୍ୟକ୍ରମ ସରିବା ପରେ ଅନୁରାଧା ଆସି ବସିଲା ପାଖରେ ଆଉ ତା' ମୋବାଇଲ ଦେଖେଇଲା ସ୍ନେହାକୁ। ସତରେ ଥିଲା ସେଥିରେ ଗୋଟିଏ ଅଡିଓ ମେସେଜ, ସ୍ନେହାର ପାଞ୍ଚ ବର୍ଷର ଝିଅର।

ଶୁଣିଲା ସ୍ନେହା , ଆଉ ଧାର ଧାର ଲୁହ ଝରିଲା ତା' ଦୁଇ ଆଖିରୁ। ଏକରକମ ଅଧର୍ୟ୍ଯ ହେଇଗଲା ସେ ,ଆହାଃ କେତେ ଆତୁର ସ୍ୱରରେ କହୁଛି ଝିଅ ଲୋରୀ। ଆଉ ପ୍ରତ୍ୟେକ ଶବ୍ଦ ଭିତରେ ଅଛି ଗୋଟେ ଅବ୍ୟକ୍ତ ଯନ୍ତ୍ରଣା , ଯାହା ସବୁଦିନ ସହୁଛି ଛୋଟ ଝିଅଟି। ଆଉ ସେଇ ଦୁଖଦ ଶବ୍ଦ ସମ୍ଭାରକୁ ନେଇ ବିଚିତ୍ର ଭାବେ ବର୍ଣ୍ଣନା କରୁଛନ୍ତି ସଭିଏଁ। ......

ଲୋରୀର ସେଇ ମେସେଜ ରେ କହିଛି ଗୋଟେ ବ୍ୟଥାତୁର ଅପତ୍ୟର ସ୍ୱର।କେମିତି ତା' ମାମା ସବୁଦିନ ମାରୁଛି ତାକୁ ,ବିନା କାରଣରେ । ଗେଲ୍ହା କରୁଛି ବୋଲି କହୁଛି କେବଳ କିନ୍ତୁ ସତରେ ସବୁବେଳେ ବିରକ୍ତ ହେଉଛି। ପାପା ଓ ମାମା ବି ଝଗଡା କରୁଛନ୍ତି। ପାପା ଏବେ ଅନେକ ରାତିରେ ଫେରୁଛନ୍ତି। ଆଉ କେହି ଗେଲ୍ହା କରୁନାହାନ୍ତି ତାକୁ।ଆଉ ମମି କହୁଛି ଅଫିସର ବୁଢା ମ୍ୟାନେଜର ତା'କୁ ସବୁବେଳେ ବହୁତ କାମ

କରଉଛି ସେଥିପାଇଁ ମାମା ଥକି ଯାଉଛି, ଚିଡୁଛି, ଆଉ ତାକୁ ମାରୁଛି। ଝିଅ ଏତକ ବି କହିଛି ଯେ ଗଣେଶଜୀ ସେ ବୁଢାକୁ ଟିକେ ବୁଦ୍ଧି ଦିଅନ୍ତୁ , ସେ ଗୁଡ଼୍ ହେଇଯାଉ। ମମିକୁ ବେଶି ହଇରାଣ ନକରୁ। ନହେଲେ କୁନି ପିଲା ମାନେ ତାକୁ ନିଶ୍ଚିନ୍ତ ସବୁଦିନ ଗାଳି ଦେବେ ଆଉ ବୁଢାର ଦେହ ଖରାପ ହେଇଯିବ।.....

ସତରେ ଠିକ ଏମିତି କରୁଛି ସ୍ନେହା , ନୂଆ ମ୍ୟାନେଜର ଆସିବା ପରଠୁ। ତା' ଉପରେ ଅଧିକ କାମ ଲଦି ଦେଉଛି ଏ ମ୍ୟାନେଜର ଆଉ ସେ ହେଉଛି ଖୁବ୍ ବ୍ୟସ୍ତ ବିବ୍ରତ। ଅଫିସର କାର୍ଯ୍ୟକ୍ଲାନ୍ତି ଘରେ ମଧ୍ୟ ଅଶାନ୍ତ ପରିବେଶ ସୃଷ୍ଟି କରୁଛି।

କର୍ମକ୍ଷେତ୍ରର ତିକ୍ତତା ଘରେ ଛୋଟ ଝିଅଟି ଉପରେ ବର୍ଷୁଛି କେବେ ଗାଳି ନହେଲେ ମାଡ଼ ରୂପରେ। ଅତନୁ ମଧ୍ୟ କେବେ କେମିତି ସେଇ ପରିସର ଭୁକ୍ତ ହେଉଛନ୍ତି। ସତରେ କିଛି ଦିନ ହେବ ସେ ବିମୁଖ ହେଇ ଯାଇଛି ନିଜ ଝିଅ ଓ ଅତନୁଙ୍କ ପ୍ରତି ଆଉ କରିଛି ଭୀଷଣ ଅବହେଳା।

ଝିଅ ଏଇ ମେସେଜ ଟି ପଠେଇଲା ପରେ ଡିଲିଟ କରିଦେଇଛି ଫୋନ୍ ରୁ। ତେଣୁ ଜାଣିନାହିଁ ଏ ସଂକ୍ରାନ୍ତରେ ସ୍ନେହା। ଏଇ ଘଟଣାକୁ ଅଫିସର ସଭିଏଁ ସ୍ନେହାର ଅଭିନବ ଉପାୟ ରେ କରାଯାଇଥିବା ପ୍ରତିବାଦ ଭାବେ ଗ୍ରହଣ କରୁଛନ୍ତି ଆଉ ଅଫିସର ନିଜର ଅପମାନ ଭାବେ। କିନ୍ତୁ ପ୍ରକୃତ ଘଟଣା ହେଉଛି ଏଇଟି କେବଳ ଗୋଟେ ଅବୋଧ୍ୟ ଶିଶୁର ଅଭିଯୋଗ ।........

*ସୌମ୍ୟା*


Rate this content
Log in