Lopamudra Mishra

Others

5.0  

Lopamudra Mishra

Others

ଆରକ୍ଷଣ

ଆରକ୍ଷଣ

5 mins
375


ରାଧାନାଥ ଟ୍ରେନିଙ୍ଗ କଲେଜ ର ହଷ୍ଟେଲ ରେ ମୋ ରୁମରେ ମୁଁ, ଅଲିଭା ମିଶ୍ର ଓ ସରିତା ମୁଣ୍ଡା ରହୁଥିଲୁ । ଆମେ ରହିବାର କିଛି ଦିନ ଉତ୍ତାରେ ଆଉ ଜଣେ ବିବାହିତା ମହିଳା ଥାର୍ଡ଼ ସିଲେକ୍ସନରେ ନାମ ଲେଖାଇ ହଷ୍ଟେଲରେ ରହିବାକୁ ଆସିଲେ । ତାଙ୍କ ସାଙ୍ଗିଆ ମିଶ୍ର । ନୈଷ୍ଠିକ ବ୍ରାମ୍ହଣ ପରିବାରର ବୋହୂ । ମୁଣ୍ଡ ରୁ ଓଢଣୀ ଖସାନ୍ତିନାହିଁ । ତାଙ୍କୁ ଆମରି ରୁମ ହିଁ ଆଲଟ କରାଯାଇଥିଲା । ତାଙ୍କ ଶାଶୁ ଆସିଥାନ୍ତି ସାଙ୍ଗରେ ରୁମଟା ଦେଖିବା ପାଇଁ । ଶାଶୁ ମାଆଜଣଙ୍କ ଆମ ସଭିଙ୍କ ନାଁ ପଚାରି ଖୁସି ହେଇଗଲେ । ସରିତା ରୁମରେ ନଥିଲା । ଯେତେବେଳେ ସରିତା ଷ୍ଟଡି ରୁମରୁ ପଢ଼ା ପଢ଼ି ସାରି ଆସିଲା । ତାକୁ ବି ତା ନାଁ ପଚାରିଲେ । ସେ ବିନମ୍ରତାର ସହ ନିଜ ନାଁ କହନ୍ତେ ଶାଶୁ ବୋହୂ ଦୁଇଜଣ ଯାକ ପରସ୍ପର ଙ୍କୁ ଅଦ୍ଭୁତ ଇଶାରା ଦିଆ ଦେଇ ହେଲେ ଓ ସେହିକ୍ଷଣି ଉଠିଚାଲିଗଲେ । ହଷ୍ଟେଲ ମେଟ୍ରୋନ ଙ୍କୁ ସାଙ୍ଗରେ ଧରି ଆସିଲେ । ଆମ ରୁମ ରେ ଯେଉଁ ଗୋଟାଏ ବେଡ଼ ଖାଲି ଥିଲା, ସେଇଟି ସରିତାର ବେଡ କୁ ଲାଗିକରି ଥିଲା । ମେଟ୍ରୋନ ବେଡଟାକୁ ସରିତା ବେଡ ପାଖରୁ ଘୁଞ୍ଚାଇ ଆଣି ମୋ ବେଡ ପାଖେ ପକାଇବାର ବ୍ୟବସ୍ଥା କରିଦେଲେ ।

ନୂଆ ଆସିଥିବା ସେହି ଦିଦି ସବୁବେଳେ ସରିତାକୁ ଭିନ୍ନ ଗୋଟେ ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲେ । ସେ ଥାର୍ଡ଼ ସିଲେକ୍ସନରେ ଆଡ଼ମିଶନ ପାଇବାର କାରଣ ଏହି ସରିତା ମୁଣ୍ଡା ପରି ସ୍ଟୁଡେଣ୍ଟସ ବୋଲି କହୁଥିଲେ । ଏମାନଙ୍କୁ କୋଟା ନମିଳିଥିଲେ ସେ ଫାଷ୍ଟ ସିଲେକ୍ସନ ରେ ଅସିଥାନ୍ତେ ବୋଲି ଯୁକ୍ତି କରନ୍ତି । କିନ୍ତୁ ଅସଲ କଥା ହେଲା ସେହି ଦିଦି ନିଜେ କେଉଁ ଗୋଟେ ସଂସ୍କୃତ କଲେଜ ରୁ ବେସରକାରୀ ଭାବେ ବି.ଏ ପରୀକ୍ଷା ଦେଇ ପାସ କରି ଆସିଥିଲେ । ତାଙ୍କର ମାର୍କ୍ସ ସରିତା ଠାରୁ ଅଧିକ ଥିଲା ନିଶ୍ଚୟ ମାତ୍ର ସରିତାର ସଂଗ୍ରାମ ତାଙ୍କ ଠାରୁ କାହିଁ କେତେ ଅଧିକ କଠିନ ଥିଲା ।

ସରିତା ମୟୁରଭଞ୍ଜର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ ରୁ ଆସିଥିଲା । ଯେଉଁଠି ଝିଅ ମାନଙ୍କୁ ବାର ତେର ବର୍ଷ ବୟସ ହୋଇଗଲେ ବିବାହ ପାଇଁ ଉପଯୁକ୍ତ ବିବେଚନା କରାଯାଏ , ସେହି ଜାଗାରେ ଏ ଝିଅଟି ସ୍ନାତକ ଶିକ୍ଷା ଯାଏଁ ନିଜର ଯାତ୍ରା କେଡେ କଷ୍ଟ ରେ ସମାପ୍ତ କରିନଥିବ ସତରେ !ସରିତା ର ପାଠ ପଢିବାକୁ ଖୁବ ଆଗ୍ରହ ଥିଲା । ଦଶମ ପାସ ପରେ ଆଗକୁ ପଢିବାକୁ ଚାହିଁଲା ରୁ ଘରେ ଓ ଗାଁରେ ପ୍ରଚଣ୍ଡ ବିରୋଧ ର ସାମ୍ନା କରିବାକୁ ପଡିଥିଲା ତାକୁ । ଗାଁ ରେ ତାର ବାପା ମାଙ୍କୁ କୁହାଯାଇଥିଲା, "ଝିଅ କୁ ଜଲଦି ବାହା ଦିଅ ନହେଲେ ତୁମକୁ ଗାଁ ରୁ ବାଛନ୍ଦ କରାଯିବ" । ବାପାମାଆ ତାର ଡରି କରି ସରିତା ର କୁନି କୁନି ସାନ ଭଉଣୀ ଗୁଡ଼ାଙ୍କୁ ଖୁବ କମ ବୟସ ରେ ବିଭା କରେଇଦେଲେ । ସରିତା ନବାହା ହୋଇ ଜିଦି କରି ପଢିଲା । ବହୁ କଷ୍ଟ ରେ ସବୁ ବାଧା ବିଘ୍ନ ସତ୍ୱେ B.A ପାସ କଲା । କେତେ ସବୁ ଝଡ ଝଞ୍ଜାର ସାମ୍ନା କରି କଟକ ରେ B.Ed କରିବାକୁ ପହଞ୍ଚିଛି ବିଚାରୀ ଝିଅ ଟି । କିନ୍ତୁ ଅତି ସହଜରେ ଆଡ଼ମିଶନ ପାଇଯାଇଥିବା ବ୍ରାହ୍ମଣ ଝିଅଟିକୁ ଆହୁରି ଆରକ୍ଷଣର ଆବଶ୍ୟକତା ଥିବା ସେ ଅନୁଭବ କରୁଛନ୍ତି ଅଦ୍ଭୁତ !! ସରିତା ପରି ସଂଗ୍ରାମୀ ଝିଅମାନେ ତାଙ୍କ ରାସ୍ତା ରେ କୁଆଡେ କଣ୍ଟା ।

ସେ ନୂଆ ଦିଦିଙ୍କୁ ସରିତାର ସମସ୍ତ କାର୍ଯ୍ୟକଳାପରେ ଆପତ୍ତି ଥିଲା । ସରିତା ରୁମ ରେ ଥିଲେ ସେ ପ୍ରାର୍ଥନା କରୁନଥିଲେ । ସେହି ସମୟ ତକ ସରିତା କୁ ରୁମ ବାହାରକୁ ଯିବାକୁ ଅନୁରୋଧ କରୁଥିଲେ । ଗାଧୋଇ ଆସି ସରିତାର ମୁଁହ କାଳେ ଦେଖିପକେଇବେ,ସେଥିପାଇଁ ସେ ଆଡକୁ ନଅନେଇ ପ୍ରଥମେ ଆଖିବୁଜି ଠାକୁରଙ୍କ ଆଗେ ବସିଯାଉଥିଲେ । ସରିତା ଆଣିଥିବା କୌଣସି ବି ଖାଦ୍ୟ ପଦାର୍ଥ ସେ ଛୁଁ ନଥିଲେ । ତାଙ୍କର ଏପରି ବ୍ୟବହାର ରେ ଅତିଷ୍ଠ ହୋଇ ଆମେ ଯେବେ ତାଙ୍କୁ ବିରୋଧ କଲୁ । ସେ କହିଲେ, "ମୁଁ ବ୍ର।ହ୍ମଣ ଘର ବୋହୂ, ମୋ ହାତରୁ ପିତୃ ପୁରୁଷ ପାଣିପିଉଛନ୍ତି । ଆମ ଘରେ ମତେ କହିଛନ୍ତି ପବିତ୍ର ରହିବାକୁ । କାହାକୁ କଷ୍ଟ ଦେବା ମୋର ଉଦେଶ୍ୟ ନୁହେଁ । ମୁଁ କେବଳ ମୋର ପବିତ୍ରତା ରକ୍ଷା କରିବାକୁ ଚାହେଁ ।"

ଧୀରେ ଧୀରେ ସରିତା ଉପରେ ତାଙ୍କର ଆକ୍ରୋଶ ବଢ଼ି ବଢ଼ି ଚାଲିଲା । ଦୁହେଁ ଯାକ ଆର୍ଟ୍ସ ସ୍ଟୁଡେଣ୍ଟ ହୋଇଥିବାରୁ ଅନେକ ଗୁଡ଼ାଏ ବିଷୟ ସେମାନଙ୍କର ସମାନ ଥିଲା । ସରିତା ଯଦି କେବେ କୌଣସି ବିଷୟ ବୁଝି ନପାରି ତାଙ୍କୁ ପଚାରେ ସେ ବୁଝେଇଦେବା ବଦଳରେ ତାକୁ ଥଟ୍ଟା ପରିହାସ କରନ୍ତି । ତୋ ଦ୍ୱାରା ବି.ଏଡ଼ ହବନି କହି ତାକୁ ନିରୁତ୍ସାହିତ କରନ୍ତି । ସବୁବେଳେ ତାକୁ ଛୋଟ କରି ଦେଖାଇ ତାର ଆତ୍ମବିଶ୍ୱାସକୁ ଭାଙ୍ଗି ଚୁରମାର କରିଦିଅନ୍ତି । ସେହି ସମୟରେ ଅଲିଭା ଓ ମୁଁ ସରିତାକୁ ସାହସ ଦେବାକୁ ଖୁବ ଚେଷ୍ଟା କରୁ । ସରିତା କିନ୍ତୁ ସବୁବେଳେ ଚାହେଁ ସେ ଦିଦି ଜଣକ ଆମକୁ ଯେମିତି ଦୃଷ୍ଟିରେ ଦେଖୁଛନ୍ତି ତାକୁ ବି ସେହିପରି ଦୃଷ୍ଟିରେ ଦେଖନ୍ତୁ । ତାକୁ ବି ଟିକେ ଭଲ ପାଆନ୍ତୁ । ସରିତା ଦିଦି ଙ୍କୁ ବହୁତ ଡରୁଥିଲା ଓ ତାଙ୍କୁ ସନ୍ତୁଷ୍ଟ କରିବାକୁ ଅନେକ ଚେଷ୍ଟା ବି କରୁଥିଲା ।

ଥରେ ଗୋଟେ ରାତିରେ ଦିଦିଙ୍କୁ ଭୀଷଣ ଜ୍ୱର ଆସିଲା । ଅଲିଭା ଓ ମୁଁ ନିଘୋଡ଼ ନିଦରେ ଶୋଇଯାଇଥିଲୁ । ସରିତା ଉଠି ମେଟ୍ରୋନକୁ ଡାକିକରି ଆଣିଲା ପରେ ଯାଇ ଆମେ ଉଠିଲୁ । ସରିତା ସେହି ଶୀତ ରାତିରେ ମେଟ୍ରୋନଙ୍କ ସହ ଦିଦିଙ୍କୁ ନେଇ ହସ୍ପିଟାଲ ଗଲା । ସେଥିରେ କିନ୍ତୁ ଦିଦିଙ୍କ ପବିତ୍ରତା ନଷ୍ଟ ହେଲାନାହିଁ କେବଳ ଯାହା ଜର ଭଲ ହେଲା । ତଥାପି ସେ ନୃଶଂସ ନାରୀଙ୍କ ମନରୁ ସରିତା ପ୍ରତି ଘୃଣା ଭାବ ଗଲା ନାହିଁ ।

ପରୀକ୍ଷା ସମୟ ପାଖେଇଆସିଲା । ସରିତା ଆପ୍ରାଣ ଉଦ୍ୟମ କରି ପଢିଲା । ଯେବେ କିଛି ବୁଝି ହୁଏନି ସେ ଅନ୍ୟ କାହାଠୁ ବୁଝି ନିଏ । ଟିକେ ବି ସମୟ ନଷ୍ଟ ନକରି ପଢେ । ତା ପଢ଼ାରେ ବି ଦିଦି ଅନେକ ବାଧା ସୃଷ୍ଟି କରନ୍ତି । ଖାଲି ତାର ନୁହେଁ ଆମ ସଭିଙ୍କ ପଢାରେ ସେ ଅଯଥା ବିଶୃଙ୍ଖଳା ସୃଷ୍ଟି କରନ୍ତି,ପ୍ରାର୍ଥନା ଜଣାଣ, ଭଜନ ଗାଇ । ଗୁରୁବାର ସନ୍ଧ୍ୟାରେ ଚିତ୍କାର କରି ଲକ୍ଷ୍ମୀପୁରାଣ ଗାଆନ୍ତି ପୁରା ଅଧଘଣ୍ଟା ରୁ ବେଶୀ । ସୋମବାର ଦିନ ଶିବ ଙ୍କ ସ୍ତୁତି ।ଏହିପରି ଅନେକ ନାଟକ ବାଜି । ସେହି ସମୟରେ ସରିତା ରୁମ ରହିଲେ ବଡ ବିରକ୍ତ ହୁଅନ୍ତି । ପାଠ ନପଢି ସବୁବେଳେ ସରିତା ପଛରେ ଲାଗିଥାନ୍ତି ।

ସରିତାକୁ ପ୍ରାଞ୍ଜଳ ଓଡ଼ିଆ କହିବାରେ ପ୍ରଥମେ ସାମାନ୍ୟ କଷ୍ଟ ହେଉଥିଲା । ପାଠ ବୁଝିବାକୁ ଟିକେ ବିଳମ୍ବ ହେଉଥିଲା ସତ, କିନ୍ତୁ ସେ ହାର ମାନୁନଥିଲା । ଉଦ୍ୟମ ଜାରି ରଖୁଥିଲା । ସାମାନ୍ୟ ସାମାନ୍ୟ ବିଷୟରେ ପ୍ରଶ୍ନ କରୁଥିବା ସରିତାର ଯେ ବି.ଏଡ଼ ଫେଲହେବା ନିଶ୍ଚୟ , ଏଥିରେ ସେ ଦିଦି ଙ୍କର ଆଉ ସନ୍ଦେହ ନଥିଲା । କିନ୍ତୁ ପରୀକ୍ଷା ଫଳ ହିଁ ତାଙ୍କର ସବୁ ସନ୍ଦେହ କୁ ଭୂଲ ପ୍ରମାଣିତ କରିଦେଲା । ସରିତା 65% ମାର୍କ୍ସ ରଖି ବି. ଏଡ଼ ଫାଷ୍ଟ ଡିଭିଜନ ରେ ପାସ କଲା । ଦିଦି ସେକେଣ୍ଡ ଡିଭିଜନ ପାଇଲେ ।

ସରିତା ଏବେ ମୟୁରଭଞ୍ଜ ରେ ଗୋଟେ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଅଛି । ସେକେଣ୍ଡ ଡିଭିଜନ ପାଇଥିବା ହେତୁ ଦିଦିଙ୍କୁ ଚାକରୀ ମିଳିଲାନାହିଁ । ତଥାପି ଦିଦି କହନ୍ତି ଆରକ୍ଷଣ ବ୍ୟବସ୍ଥା ନଥିଲେ ତାଙ୍କର ଆଗ ଚାକିରୀ ହୋଇଥାନ୍ତା ।

ଲୋପାମୁଦ୍ରା ମିଶ୍ର


Rate this content
Log in