puspanjali das

Others

3.9  

puspanjali das

Others

ଆରାମ ଚେୟାର

ଆରାମ ଚେୟାର

4 mins
533



    ତରତର  ହୋଇ ଅଟୋବାଲା କୁ ପଇସା ଦେଇ,ଦୁଇ ହାତରେ ଦୁଇଟି ବ୍ୟାଗ ଧରି,ଅନିମା ଗେଟ ଖୋଲିବାକୁ ବସିଲା ବେଳକୁ, ଦେଖିଲା ଯେ ସେଇଟା ପୂର୍ବରୁ ଖୋଲା ହୋଇଯାଇଛି।ହଇରାଣ ହେବାକୁ ପଡିବନି ଭାବି ସାମାନ୍ୟ ଖୁସି ହୋଇଯାଇ,ଗେଟ୍ ଭିତରକୁ ପଶି ଆସୁ ଆସୁ ଆଖିରେ ତା'ର ପଡିଥିଲା କବାଡି ବା ଲା ର ଟ୍ରଲି ରିକ୍ସା,ଆଉ ବାରଣ୍ଡା ରେ ନିଶ୍ଚଳ ହୋଇ ବସିଥିବା ବୋଉ ର ଶୁଖିଲା ମୁହଁ।'ବୋଉ,ଏଇଠି ଏମିତି ମୁହଁ ଶୁଖେଇ କାହିଁକି ବସିଛୁ?'କହି ପାଖକୁ ଚାଲିଯାଇଥିଲା। ବୋଉ ର ଆଖି ଦୁଇଟି ଯେମିତି ନିର୍ଜୀବ ହୋଇଯାଇଥିଲା!ନାଁ ତାର ହଠାତ୍ ଆସିବାର ଖୁସି ରେ ଚମକି ଉଠିଥିଲା,ନାଁ ପ୍ରଶ୍ନ ର ଘେର ହିଁ ଟିକିଏ ଥିଲା!ବାରଣ୍ଡା ଉପରେ ବ୍ୟାଗ ଦୁଇଟିଯାକ ରଖିଦେଇ ବୋଉ ପାଖରେ ବସିପଡ଼ିଲା,ଆଉ ସେତିକି ବେଳେ ମଧୁଆ ଘର ଭିତରୁ ଆର୍ମ ଚେୟାର ଟି ଆଣିବାର ଦେଖିପାରିଥିଲା।ଅଧଭଙ୍ଗା ଚେୟାର ଟିକୁ ଏକପ୍ରକାର ଘୋଷାଡି ଘୋଷାଡି ଆଣି,କବାଡି ଵାଲା ର ଟ୍ରଲି ରିକ୍ସା ଉପରେ ରଖିଦେଲା।ବୋଉ ର ଆଖିଦୁଇଟି ସେଇ ଚେୟାର ଟି ଉପରେ ଯେମିତି ନିବିଦ୍ଧ ହୋଇ ଯାଇଥିଲା!ସତେ ଯେମିତି ତା',ଜୀବନ ର ସବୁକିଛି ସାଇତା ସ୍ମୃତି କୁ ସେ ଚେୟାର ଟି ତା'ସାଙ୍ଗରେ ପୋଛି ନେଇଯାଉଛି!

     ଅନିମା ଉଠିଯାଇ ସେ ଚେୟାର ଟିକୁ ଆଉଁଷି ପକାଇଲା।ମଧୁଆ କୁ ଡାକି କହିଦେଲା-ଏଇଟା କବାଡିଵାଲା କୁ ଦେବାକୁ ତତେ କିଏ କହିଲା?ବୋଉ କୁ ପଚାରିଥିଲୁ?ହଠାତ୍ ଏମିତି ପ୍ରଶ୍ନ ରେ ଯଦିଓ ମଧୁଆ ହଡ଼ବଡେଇ ଯାଇଥିଲା, ତଥାପି ଟିକିଏ ରହିଯାଇ କହିଲା-ନାଇଁ ଅପା,ଦୀପାବଳି ଯୋଗୁଁ ସବୁ ରୁମ ସଫାସୁତୁରା କରିବାକୁ ବୋହୁ ମା କହିଥିଲେ,ଆଉ ଷ୍ଟୋର ରୁମ ର ସବୁ ଭଙ୍ଗାଜିନିଷ କୁ କବାଡି ଵାଲା କୁ ଡାକି ଦେଇଦେବାକୁ ମଧ୍ୟ କହିଥିଲେ,ସେଇଥିପାଇଁ ବଡ଼ମା' ତ କେବେ କିଛି କୁହାନ୍ତିନାହିଁ ଏଥର ଅନିମା କୁ ବୁଝିବାକୁ କିଛି ବାକି ରହିଲାନି!

      ମଧୁଆ ର କଥା ତକ ଯଦିଓ ଅନିମା ର କାନ ରେ ପଡୁଥିଲା,ହେଲେ ଚେୟାର ଟି ର ସ୍ପର୍ଶ,ତାର ଭାବନା ର ଡୋର କୁ ଅନେକ ବର୍ଷ ତଳକୁ ଯେମିତି ନେଇ ଯାଇଥିଲା ବାପାଙ୍କ 'ଆର୍ମଚେୟାର',କିନ୍ତୁ ବୋଉ ର 'ଆରାମ ଚେୟାର 'କାହାଣୀ ଥିଲା ନିଆରା।ବାପା ଙ୍କୁ ଜାଣିଶୁଣି ଚିଡ଼େଇଲା ଭଳିଆ ବୋଉ ର ପାଟିରୁ ସବୁବେଳେ ବାହାରି ଆସୁଥିଲା-'ଆରାମ ଚେୟାର',ଆଉ ବାପା ମଧ୍ୟ ସବୁଥରକ ତାକୁ ଠିକ୍ କରିକି ଆର୍ମଚେୟାର ବୋଲି କହି କି ବୋଉ କୁ ସୁଧାରୁଥିଲେ!ବୋଉ କୁ ଯେତେ କହିଲେ ବି ସେ ସେଇ ଆରାମ ଚେୟାର ହିଁ କହୁଥିଲା,ଆଉ ବାପାଙ୍କ ମୁହଁ ରୁ ଠିକ୍ ଶବ୍ଦ ଟି ଶୁଣି ହସିପକାଉ ଥିଲା!।ବାପା ଓ ଆରାମ ଚେୟାର ର କାହାଣୀ ଦିନେ ନୁହେଁ,ମାସେ ନୁହେଁ,ବର୍ଷ ବର୍ଷ ର ଥିଲା!ଡ୍ରଇଂ ରୁମ ର ବାହାର ବାରଣ୍ଡା ରେ ସେ ଚେୟାର ଟି ଯେ ଆସ୍ଥାନ ଜମାଇ ରହିଥିଲା ବର୍ଷ ବର୍ଷ ଧରି!ପିଲାଟିଦିନୁ ସେ ଦେଖିଆସିଥିଲା,କେମିତି ବାପା ପ୍ରାୟ ସନ୍ଧ୍ୟା ସମୟ ରେ ସେଥିରେ ବସି ଅଳ୍ପ ଅଳ୍ପ ଝୁଲି ଝୁଲି ଚିନ୍ତାମଗ୍ନ ହୋଇ ଯାଉଥିଲେ।ବୋଉ ସେତେବେଳେ ଯେତେ ଆବଶ୍ୟକ ଥିଲେ ମଧ୍ୟ ତାଙ୍କୁ ପଦୁଟିଏ କିଛି କୁହେନି,ଆଉ ସମସ୍ତଙ୍କୁ ବି ତାଙ୍କୁ କିଛି ନ କହିବାକୁ ତାଗିଦ କରିଦିଏ।ବାପା ଯେ ସେତେବେଳେ କୌଣସି ଜଟିଳ ଘରୋଇ ସମସ୍ୟା କି ତାଙ୍କ ରୋଗୀ ଙ୍କ ସମସ୍ୟା କୁ ନେଇ ବ୍ୟସ୍ତ ହେବାରୁ ସେଇଠି ବସି ,ତାର ସମାଧାନ ଖୋଜନ୍ତି ବୋଲି ବୁଝାଇଦିଏ।ଆଉ ସତରେ ବାପାଙ୍କୁ ସମାଧାନ ମଧ୍ୟ


 ଖୁବ୍ ଶୀଘ୍ର ମିଳିଯାଉଥିଲା!ବେଳେବେଳେ ସେ ବୋଉ କୁ ଡାକି ପାଖରେ ଆଉ ଗୋଟିଏ ଚେୟାର ପକାଇ ବସିବାକୁ କହି ତା'ସାଙ୍ଗରେ ଆଲୋଚନା ମଧ୍ୟ କରିବାର ଅନିମା ଦେଖିଛି।ବୋଉ ହସି ହସି କହିପକାଏ -ବିକ୍ରମାଦିତ୍ୟ ଙ୍କ ସିଂହାସନ ଭଳିଆ ତୋ ବାପା ଙ୍କର ସେଇ 'ଆରାମ ଚେୟାର' ଟା ସବୁ ବାଟ ତାଙ୍କୁ ଦେଖେଇଦିଏ।ବାପା ମଧ୍ୟ ତା'କଥା କୁ ହସ ରେ ଉଡାଇଦେଇ କହିପକାନ୍ତି-ହଁ,ମୁଁ ସିନା ରାଜା ନୁହେଁ,ହେଲେ,ମୋ ସିଂହାସନ ସେଇଟା!ଭାରି ଲକି ଚେୟାର ଟି,ମୋ କ୍ଲିନିକ ରେ ଖଣ୍ଡିଏ ଚେୟାର,ଓ ଟେବୁଲ ଟିଏ ଥିଲାବେଳୁ ଆସିଥିଲା ଯେ,ସବୁ ସୁବିଧା, ଅସୁବିଧା ରେ ମତେ ବାଟ ଦେଖେଇ ଦେଖେଇ,ଏତେ ବଡ଼ କ୍ଲିନିକ କରେଇ,ମୋ ଛୋଟ ଛୋଟ ଛୁଆଙ୍କୁ ମଧ୍ୟ ଏ ସମାଜ ରେ ପ୍ରତିଷ୍ଠିତ କରେଇବା ପର୍ଯ୍ୟନ୍ତ ମୋ ସାଙ୍ଗରେ ଅଛି।ମୁଁ ଥିଲା ପର୍ଯ୍ୟନ୍ତ ମୋ ସାଙ୍ଗରେ ଥିବ।ମୋ ଅନ୍ତର ଆତ୍ମା ଟା ଯେମିତି ତା'ରିଭିତରେ କୋଉଠି ରହିଯାଇଛି!

    ଅନିମା ର ବାହାଘର ର ଅଳ୍ପ କେଇମାସ ପରେ,ହଠାତ୍ ହୃଦ୍ ଘାତ ରେ ବାପାଙ୍କ ର ଆରପାରିକୁ ଚାଲିଯିବାଟା ଯଦିଓ ପୁରା ପରିବାର ପାଇଁ ହୃଦୟବିଦାରକ ଥିଲା,ହେଲେ ବୋଉ ର ମନୋବଳ କୁ ନ ଭାଙ୍ଗିବାକୁ ସମସ୍ତେ ଆଗେଇ ଆସିଥିଲେ।ଖୁବଶୀଘ୍ର ବୋଉ ମଧ୍ୟ ସାମାନ୍ୟ ହୋଇଯାଇ,ନାତି,ନାତୁଣୀ ଙ୍କ ଗହଣରେ ସମୟ କାଟିବାକୁ ଲାଗିଥିଲା।ହେଲେ,ବାପାଙ୍କ ର ପ୍ରଥମ ଶ୍ରାଦ୍ଧ ରେ ତାଙ୍କର ସେଇ ଆର୍ମଚେୟାର ଟି ଷ୍ଟୋର ରୁମ କୁ ଚାଲିଯିବାଟା ଯେମିତି ବୋଉ କୁ ବଡ଼ ଧକ୍କା ଟିଏ ଦେଇଥିଲା!ନିତି ସେ ଚେୟାର ଟିକୁ ନିଜେ ପୋଛା ପୋଛି କରି ସଜାଇରଖିବା କାମଟା ଯଦିଓ ତା'ର  ଆଉ ରହିନଥିଲା,ହେଲେ ଷ୍ଟୋର ରୁମ କୁ ଯାଇ ସମସ୍ତଙ୍କୁ ଲୁଚି ଲୁଚି ସେଇଟିକୁ ସଜାଡି ରଖିବାକୁ ଭୁଲୁନଥିଲା!ସତେ ଯେମିତି ବାପା ଙ୍କ ସହିତ କିଛି ସମୟ ସେ କଟାଇଦେଉଥିଲା।ଅନିମା ର ଆଖିରେ ସେସବୁ ଥରେ ଅଧେ ପଡିଲେ ମଧ୍ୟ,ଆଡେଇ ଯାଉଥିଲା,ଆଉ ବୋଉ ମଧ୍ୟ ସେ ଚେୟାର ବିଷୟ ରେ ଥରୁଟିଏ ବି କହୁ ନଥିଲା!

   ଦିନକୁ ଦିନ କିନ୍ତୁ ଷ୍ଟୋର ରୁମ ରେ ଅବ୍ୟବହୃତ ଜିନିଷ ର ସଂଖ୍ୟା ବଢିବାକୁ ଲାଗିଥିଲା,ଆଉ ସେଇ ଭିଡରେ ବାପାଙ୍କ ଆର୍ମଚେୟାର ର ସ୍ଥିତି ହଜିବାକୁ ବସିଥିଲା।ଷ୍ଟୋର ରୁମ ଭିତରୁ ପୁଣି ବାରଣ୍ଡା କୁ ଆସିବାର ଆଶା ଯେମିତି ସେ ଚେୟାର ସହିତ ବୋଉ ମଧ୍ୟ ହରାଇ ବସିଥିଲା!ବଡ଼ ଭାଇଙ୍କ ର ଷ୍ଟାଇଲିଷ୍ଟ ଫୁଲକୁଣ୍ଡ ରେ ବାରଣ୍ଡା ର ଶୋଭା ଯଦିଓ ଖୁବ୍ ଚମତ୍କାର ଲାଗୁଥିଲା,ହେଲେ ବାପାଙ୍କର ସେଇ ଆର୍ମଚେୟାର ଜାଗା ର ଶୁନ୍ୟତା କେବଳ ଜଣେ ହିଁ ଅନୁଭବ କରିପାରୁଥିଲା!

      "ମା'ପଇସା ନିଅ"-ଶବ୍ଦ ରେ ଅନିମା ଭାବନାରାଜ୍ୟ ରୁ ଫେରି ଆସିଥିଲା।ଟ୍ରଲିବାଲା ର ହାତରେ କିଛି ଟଙ୍କା ଦେଖି କହିପକାଇଲା-ନାଇଁ,ତୁମେ ରଖ,ମଧୁଆ ,ଏ ଚେୟାର ଟା ଧରିକି ଚାଲେ,ବୋଉ ରୁମ ରେ ରଖିଦେବୁ,ଭାଉଜ ଙ୍କୁ ମୁଁ କହିଦେବି।ଟ୍ରଲିବାଲା ର ମୁହଁ ଶୁଖିଯିବା ଦେଖି ଅନିମା ସଙ୍ଗେ ସଙ୍ଗେ କହିପକାଇଲା-ଦେଖ,ମଧୁଆ ଆମ ଘରେ ନୂଆ କାମ କରୁଛି,ଜାଣିନି,ସେ ଚେୟାର ଟା ବିକ୍ରି ହବନି।ତୁମେ ବରଂ ଏଇ ଦୁଇଶହ ଟଙ୍କା ରଖ,ପିଲାମାନଙ୍କୁ ଦୀପାବଳି ରେ ମିଠାଇ କିଣିକି ଦେବ,ତୁମକୁ ଡାକିଆଣି ତୁମର ସମୟ ନଷ୍ଟ କରିଦେଇଛି ।ପରେ କେତେବେଳେ ଅନ୍ୟ ପୁରୁଣା ଜିନିଷ କିଛି ବିକ୍ରି ହେବାର ଥିଲେ,ଡାକିଦେଵ।

   ତା'ର ସେଇ କଥା କେଇପଦ ରେ ସତେଯେମିତି ବୋଉ ର ନିର୍ଜୀବ ଆଖି ଦୁଇଟି ରେ ଜୀବନ ପଶି ଯାଇଥିଲା ! ହୁଏତ ସେତକ କହିବାକୁ ସାହସ କି ଧୈର୍ଯ୍ୟ ତାର ନଥିଲା ! ମଧୁଆ ଚେୟାର ଟିକୁ ଝାଡ଼ିଝୁଡ଼ି ବୋଉ ର ରୁମ କୁ ନେଇଯାଉଥିଲା,ଆଉ ବୋଉ ର ଅଖି ଦୁଇଟି ସେଇ ଚେୟାର ଉପରେ ଯେମିତି ଲାଖି ରହିଯାଉଥିଲା,ପୁଣି ପୂର୍ବଭଳି ଚକଚକ କରିଉଠିଥିଲା ।


Rate this content
Log in