SUKANTA KHANDA

Others

4  

SUKANTA KHANDA

Others

ଆଜିର ଏ ବୁଢା଼ ଶଙ୍ଖାରି

ଆଜିର ଏ ବୁଢା଼ ଶଙ୍ଖାରି

4 mins
234



ଜ୍ଯୋଷ୍ଠ ମାସର ଡହଡ଼ହ ଟାଣୁଆ ଖରାରେ ବି ଆଜିର ଏ ବୁଢା଼ ଶଙ୍ଖାରି ବ୍ଯସ୍ତ ଓ ବିବ୍ରତ। ନିଜର କୁଟୁମ୍ଵକୁ ଚଳେଇବା ପାଇଁ ଡହଳ ବିକଳ ଯେତିକି ତହୁଁ ଚାରି ପାଞ୍ଚ ଖଣ୍ଡ ମୌଜାର ସ୍ତ୍ରୀଲୋକ ମାନଙ୍କ ସହ ମିଶି ଶଙ୍ଖା ବିକିବା ତାଠାରୁ ବଳି। ଦିନେ ବୁଢା଼ ଶଙ୍ଖାରିର ପୁଅ ଓ ବୋହୂଥିଲେ ଯେ ଆର ପାରିକୁ ଚାଲିଗଲେଣି। ପୁଅ ଯିଏକି ମୁହଁରେ ନିଆଁ ଦେଇଥାନ୍ତା ତାରି ମୁହଁରେ ଏ ହିନ କପାଳିଆ ବୁଢା଼ଟା ଆଗ ନ ମରି ନିଆଁ ଲଗାଇ ଦେଲା। ନିଜର ପତ୍ନୀ ଓ ଦୁଇ ନାତି ନାତୁଣୀଙ୍କ ମୁହଁରେ ଢୋକ ଦେବ ବୋଲି ଏବେ ବି ବୁଢା଼ ବୟସରେ ସଂଗ୍ରାମ ଚଳାଇ ଆସିଛି। ଦିନେ ପୁଅର ମୁହଁକୁ ଚାହିଁ ବସିକି ଖାଇବା ଆରମ୍ଭ କରି ଦେଇଥିଲା କିନ୍ତୁ ଏବେ ନିଜେ କାମ ନ କରି ପାରିଲେ ନିଜର ସଂସାର ଉଜୁଡି଼ ଯିବ। ଏଣୁ ଶଙ୍ଖା ବିକିବା ଆରମ୍ଭ କରି ଦେଇଛି। ପ୍ରତି ଗାଆଁ ଗାଆଁ ବୁଲି ଶଙ୍ଖା ଦେଇ ଆସେ ଓ ନିଜର ଯାହା ରୋଜଗାର ସେଥିରୁ ହିଁ ନିଜ କୁଟୁମ୍ବକୁ ଚଳେଇ ନେଇ ଆସୁଛି।

     ସେ ସମୟରେ ଦିନେ ୰କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢା଼ ଶଙ୍ଖାରି ଗଳ୍ପଟି ଚହଳ ପକେଇଥିଲା ଯାହା ପ୍ରତିଟି ଲୋକଙ୍କ ମନ ଓ ହୃଦୟକୁ ଜୟ କରି ପାରିଥିଲା ହେଲେ ଏ ବୁଢା଼ ଶଙ୍ଖାରି ଯଦିଓ ଠିକ ତାରି ପରି ନୁହଁ ତଥାପି କର୍ମରେ ତାରି ପରି ସେବା କରି ଆସିଛି ତ ଏହାକୁ ମଧ୍ଯ ଏବେ ବୁଢା଼ ଶଙ୍ଖାରି ଆଖ୍ଯା ନ ଦେଇ ଏ ଅଧମ ଗାଳ୍ପିକ ରହି ପାରୁ ନାହିଁ। ଏ ବୁଢା଼ ଶଙ୍ଖାରି ସବୁଦିନ ପରି ଆଜି ବି ଗାଆଁ ଗାଆଁ ବୁଲିବାକୁ ଯାଇଛି। ଅନ୍ତରରେ ଆନନ୍ଦର ଭାବ କି ଯଦିଓ ନିଜ କୁଟୁମ୍ବକୁ ଭଲରେ ଖାଇବା ଦେବାକୁ ଅସମର୍ଥ ହେଲେ ସେ ଆଖପାଖ ଗାଁ'ରେ ଜଣେ ଚର୍ଚ୍ଚିତ ନାୟକ। ନିତିଦିନ ଯଦିଓ ଏ ବୁଢା଼ ଶଙ୍ଖାରିକୁ ଦେଖିବାକୁ ମିଳେ ନାହିଁ ହେଲେ ସପ୍ତାହରେ ଥରେ ସେ ଘେରାଏ ଅବଶ୍ଯ ବୁଲି ଆସିବ ତ ତାର ଦେହ ଓ ମନ ହାଲୁକା ହୋଇଯିବ ଯଦି ଏକ ସପ୍ତାହ ଭିତରେ ଏ ବୁଢା଼ ଶଙ୍ଖାରିର ଦେଖା ନ ଯାଏ ଚାରି ପାଞ୍ଚଖଣ୍ଡ ମୌଜାର ମାଇପିଗଣ ଝୁରି ମରିବେ। ବୁଢା଼ ଶଙ୍ଖାରି କାହିଁକି ଆସିଲା ନାହିଁ ବୋଲି ଖବର ବୁଝିବେ ନ ହେଲେ କହି ପଠେଇବେ କି ତାଙ୍କର ଶଙ୍ଖା ଦରକାର ନେଇକି ଆସିବ। 

   ସତରେ ! ଏ ବୁଢା଼ ଶଙ୍ଖାରି ସେ ସମୟର ବୁଢା଼ ଶଙ୍ଖାରିଠାରୁ ନିଆରା। ଭାରି ନିର୍ମାୟା କେଉଁଠି ସେ ମୁଠାଏ ଶଙ୍ଖା ବିକ୍ରି କରିବକି ନାହିଁ ଘେରାଏ ବୁଲିବ। ଗାଁ' ମାଇପିଙ୍କ ସହ ହସଖୁସିର ଗପ କହି ସମୟ ଗଡେ଼ଇ ଦେବ। ପ୍ରତି ଘରଘର ବୁଲି ଡାକ ଛାଡିବ କି ଶଙ୍ଖା ନେବ ଶଙ୍ଖା,ଶଙ୍ଖା ନେବ ଶଙ୍ଖା। ନୂଆ ଢଙ୍ଗର ନାଲିଆ,ନେଳିଆ ଓ ସବୁଜ ରଙ୍ଗର ଆସିଛି। ନେଉନ ଭାରି ମାନିବ ତୁମର ଏ ହାତକୁ। ବୁଢା଼ ଶଙ୍ଖାରିର କଥାରେ କି ଯାଦୁ ଥାଏ କେଜାଣି। ଗାଁ'ର ଭୁଆସୁଣୀଏ ଗତ ସପ୍ତାହରେ ନୂଆ ଶଙ୍ଖା ପିନ୍ଧିଥିବେ ତ ଏ ସପ୍ତାହରେ ମଧ୍ଯ ଶଙ୍ଖା ରଖିବାକୁ ମନ ବଳେଇବେ ଆଉ ଦୁଇପଟ୍ଟ ଶଙ୍ଖା ରଖି ପାଉଣା ଦେଇ ବିଦାୟ ଦେବେ। ଏଇ ସ୍ନେହ,ପ୍ରେମ ଓ ଭଲ ପାଇବା ଚାରି ପାଞ୍ଚଖଣ୍ଡ ମୌଜାର ହୋଇ ଥାଏ ତ ବୁଢା଼ ଶଙ୍ଖାରିର କୁଣ୍ଢେ ମୋଟା ମନ ଓ ହୃଦୟ ହୋଇଯାଏ। ଏହି ମର୍ମରେ ପ୍ରତି ସପ୍ତାହରେ ଥରେ ଘେରାଏ ବୁଲି ନ ଆସିଲେ ନ ଚଳେ। ସେ ଦିନ ଥିଲା ଜ୍ଯୋଷ୍ଠମାସ ରଜ ମଉଜ ପାଇଁ ସଜବାସ। ଗାଁ'ଟିରେ ତ ପାଣିବୁହା,ଦୋଳି ତିଆରିବା ଉତ୍ସବ ଚାଲିବା କଥା। ଗାଁ' ମାଇପିଗଣ ନଦୀରୁ, କୂଅରୁ, ନଳକୂପରୁ ତ କିଏ ପୋଖରୀରୁ ପାଣି ବୋହିବା କାମରେ ନିଯୁକ୍ତି ହୋଇ ଚଳ ଚଞ୍ଚଳ ହେବା କଥା ହେଲେ ସବୁ ଯେମିତି ଫିକା ପଡି଼ ଯାଇଛି। ତଥାପି ଏ ବୁଢା଼ ଶଙ୍ଖାରି ହଠାତ୍ ଯେତେବେଳେ ଏ ଟାଙ୍ଗରତଳି ଗାଁ'ରେ ପ୍ରବେଶ କରି ସାରିଛି ରାହା ଧରିଲା ଶଙ୍ଖା ନେବ ଶଙ୍ଖା,ଶଙ୍ଖା ନେବ ଶଙ୍ଖା। ନୂଆ ଢଙ୍ଗର ଶଙ୍ଖା ଆଣିଛି। ନାଲି,ନେଳି ଓ ସବୁଜ ରଙ୍ଗର ଏ ଶଙ୍ଖା ନିଶ୍ଚୟ ହାତକୁ ମାନିବ। ଆଜି ତ ପାଣିବୁହା ପୁଣି ଭଲ ଦିନ ଶଙ୍ଖା ପିନ୍ଧିବାର ନୁହେଁ କି? ତା ପାଟିରେ ଅହରହ କହି ଚାଲିଥିଲା। ସେ ଗାଁ'ର ମହାଜନଙ୍କ ଘର ଅଗଣାରେ ଥାଇ ପୁଣି ସେଇ ଡାକ ଦେଲା ତ କେହି ଜଣେ ସ୍ତ୍ରୀଲୋକ ଘର ଭିତରୁ ବାହାରି ଆସି କହିଲା ଆଜି ଶଙ୍ଖା ରଖିହେବ ନାହିଁ ତୁମେ ଯାଅ। ବୁଢା଼ ଶଙ୍ଖାରି ଦେଖିଲା ଏ ସ୍ତ୍ରୀଲୋକଟି ଏ ଘରର ନୁହଁ ତେବେ ଏ ଘରର ଲୋକେ ଗଲେ ବା କୁଆଡେ଼? ଭାରି ଶୂନଶାନ ଦେଖି ବୁଢା଼ ଶଙ୍ଖାରି କହିଲା,"ଆଜ୍ଞା ! ମୁଁ ଚାରି ପାଞ୍ଚ କୋଶରୁ ଚାଲିଚାଲି ଆସିଛି। ଆପଣ ଥରେ ସେ ନୂଆ ବୋହୂମାଙ୍କୁ ଡାକି ଦିଅନ୍ତୁ ତ ଏ ନାଲି ରଙ୍ଗର ଶଙ୍ଖା ଦୁଇପଟ୍ଟ ଦେଇ ଚାଲିଯିବି।" ବୁଢା଼ ଶଙ୍ଖାରି ବାରମ୍ବାର ଜିଗର କରିବାରୁ ସ୍ତ୍ରୀଲୋକଟି ଘର ଭିତରକୁ ଯାଇ ନୂଆ ବୋହୂମାଙ୍କୁ ଡାକିଦେଲା। ନୂଆ ବୋହୂମାଟି ଯିଏ ପ୍ରତି ସପ୍ତାହରେ ଥରେ ନିଶ୍ଚୟ ଶଙ୍ଖା ରଖି ପିନ୍ଧୁଥିଲା ସେ ଧଳା ଖଦଡ଼ ଲୁଗାଟିଏ ପିନ୍ଧି କବାଟର ଦ୍ବାର ବନ୍ଧରେ ଅପଲକ ନୟନରେ ଆସି ଠିଆ ହେଲା। 

      ବୁଢା଼ ଶଙ୍ଖାରି ଦେଖିଲା ନୂଆ ବୋହୂମାଟି ଆଜି ଏମିତି ବେଶରେ କାହିଁକି? ହାତରେ ଶଙ୍ଖା ନାହିଁ,ମଥାରେ ସିନ୍ଦୂର ନାହିଁ, ପାଟ୍ଟ ଶାଢୀ଼ ପ୍ରତି ବଦଳରେ ଧଳା ଖଦଡ଼ ଲୁଗା। ବୁଢା଼ ଶଙ୍ଖାରି ବୁଝିଗଲା ଆଉ ଚିତ୍କାର କରି ଭୂମିରେ ଲୋଟି ପଡି଼ଲା। ନୂଆ ବୋହୂମା ଘର ଭିତରକୁ ଚାଲିଗଲା ପୁଣି ଘର ଭିତରେ କ୍ରନ୍ଦନର ସ୍ବର। ବୁଢା଼ ଶଙ୍ଖାରି ଧରିଥିବା ଶଙ୍ଖାକୁ ଭାଙ୍ଗି ପକେଇଲା ଆଉ ତାର ପାଟିରେ କୌଣସି ସ୍ବର ବାହାରିଲା ନାହିଁ ଯାହା ତାର ଗାମୁଛାରେ ବଡ଼ ଯତ୍ନର ସହ ବଡ଼ ଶ୍ରଦ୍ଧାରେ ଶଙ୍ଖା ମୁଠାକ ସାଇତି ରଖିଥିଲା। ଫିଟାଇ ପକେଇ ଦେଲା। ଶଙ୍ଖା ମୁଠାକ ଚୂନା ହୋଇଗଲା। ତହୁଁ ସେ ଏକମୁହାଁ ହୋଇ ଫେରି ଯିବାକୁ ବାହାରିଲା ବେଳକୁ ସେଇ ସ୍ତ୍ରୀଲୋକ,ଶାଶୂ ଓ ଦାସୀ ମଧ୍ଯ ରଡି଼ କରି ଉଠିଲେ। ବୁଢା଼ ଶଙ୍ଖାରି ତରବର ହେବା ବେଳକୁ ଶବ ସଂସ୍କାର କରି ଫେରିଲେ ପୁରୁଷଗଣ ଯେଉଁମାନେ ପିମ୍ପୁଡି଼ ପରି ଲମ୍ବା ଧାଡି଼ରେ ଫେରି ଆସୁଥିଲେ।

    ବୁଢା଼ ଶଙ୍ଖାରି ଘରକୁ ଫେରି ଆସିଲା ଆଉ ଈଶ୍ବରଙ୍କୁ ପ୍ରାର୍ଥନା କଲା କି ସେ ନୂଆ ବୋହୂମାଟିର ମରଣ ପୂର୍ବରୁ ତାଙ୍କୁ କାହିଁକି ମରଣ ଦେଲ ନାହିଁ। ସତରେ !ଯେଉଁମାନଙ୍କ ପାଖରେ ଅନାବିଳ ସ୍ନେହ,ପ୍ରେମ ଓ ଭଲ ପାଇବା ଥାଏ ଏ ବୁଢା଼ ଶଙ୍ଖାରି ପରି ମନ ଓ ହୃଦୟ ନିଶ୍ଚୟ ଆନ୍ଦୋଳିତ ହେବ ଏଥିଲେ କୌଣସି ଦ୍ବିମତ ନାହିଁ,ନୁହେଁ?

        


Rate this content
Log in