ଯେତେ ପଖାଳିଲେ
ଯେତେ ପଖାଳିଲେ
ଯେତେ ପଖାଳିଲେ ଲୁହର ନଈରେ
ସେତେ ହୁଏ ଝଲମଲ
ଧୂଳିଖେଳେ ମୋର ମଥାରେ ବିନ୍ଦୁଏ
ସିନ୍ଦୂର ଯା ଦେଇଥିଲ।୦ା
ଛଳନାରେ କେଉଁ ମୋହିନୀ ମାୟାରେ
ପାସୋରି ଅତୀତ ଚାଲିଗଲ ଦୂରେ
ପାଲଟିଛି ମୋର ସ୍ମୃତି ଗନ୍ତାଘରେ
ଅତୀତ ଯେ ହୀରାଫୁଲ।
ଯେତେ ପଖାଳିଲେ ଲୁହର ନଈରେ
ସେତେ ହୁଏ ଝଲମଲ।୧ା
ଆସେଯାଏ ଶୀତ, ନିଦାଘ, ଫଗୁଣ
ସବୁ ଋତୁ ଏବେ ମୋ ପାଇଁ ଶ୍ରାବଣ
କାଳ ସାଜି ଆଜି ପିଲାଦିନ ଖେଳ
ମାଗୁଛି ଜୀବନ ମୂଲ।
ଯେତେ ପଖାଳିଲେ ଲୁହର ନଈରେ
ସେତେ ହୁଏ ଝଲମଲ।୨ା
ଏ ପାଖରେ ଗୋପ ସେ ପାଖେ ମଥୁରା
ମଝିରେ ଲୋତକ ଯମୁନାର ଧାରା
ମନ ବିବେକର କଳିରେ ମୁଁ ଆଜି
ହୁଏ ଯାହା କଲବଲ।
ଯେତେ ପଖାଳିଲେ ଲୁହର ନଈରେ
ସେତେ ହୁଏ ଝଲମଲ।୩ା