ଯାହା କହିବାର ଥିଲା
ଯାହା କହିବାର ଥିଲା
କହିବି କେମିତି ବୁଝି ପାରୁନାହିଁ
ପାଉନାହିଁ ଏବେ କିଛି ସୂତ୍ର,
କାହିଁକି କେଜାଣି ଏମିତି ଲାଗୁଛି
ଭୁଲିଛି କି ଜୀବନର ମୂଳମନ୍ତ୍ର ।
ଅତୀତ ରହିଛି ଛାଇ ପରି
ଦେଖାଏ ତାର କଦର୍ଯ୍ୟ ରୂପ,
ଡର ତ ଲାଗୁଛି କହିବାକୁ
ମନ ମୋର କରେ ବିଳାପ |
ସେତିକିରେ ତାର ଖେଳ ସରିନାହିଁ
କୁହଇ ବଡ଼ ତାଗିଦ କରି,
କହିବାର କଥା କହିଲୁ ନାହିଁ
ଅତୀତ ମୁଁ ଯାଇନି ମରି |
ଲୁଚାଇଲେ କିଛି ଲୁଚିବ ନାହିଁ
ସମୟ କରିବ ସବୁ ଖେଳ,
ଏବେ ଅଲୋଡ଼ା ହୋଇଛି ସତ
ମୋର ଆସୁଛି ବେଳ କାଳ |
ମାନୁଛି ଏହା ସବୁ ସତ
ଦୁଃଖ ଯନ୍ତ୍ରଣାର ଦାରୁଣ କଥା,
ଚୁପ ରହି ସବୁ ସହିଗଲେ
ପ୍ରଶମିତ ନହେବ ଏହି ବ୍ୟଥା |
ଅତୀତ ମୁଁ, ବର୍ତ୍ତମାନର ଅଛି
ଖାଲି ବିସ୍ପୋରଣର ଅଛି ପ୍ରତୀକ୍ଷାରେ,
ଯାହା କହିବାର ଥିଲା ସବୁ
କହିଦେ ଏବେ ସଭିଙ୍କ ସମ୍ମୁଖରେ |
ତେବେ ଜାଣିବେ ସଭିଏଁ, ବୁଝିବେ
ସତ୍ୟର କେବେ ମୃତ୍ୟୁ ନାହିଁ,
ଯନ୍ତ୍ରଣାର ବେଦନା ଅସହ୍ୟ ହେଲେବି
ସିଏ କେବେ ଧର୍ମ ଭୁଲେନାହିଁ |
ଡରି ଡରି ଆଉ କେତେଦିନ
ଏମିତି ବଞ୍ଚି ତୁ ରହିବୁ,
ମିଥ୍ୟା କଳଙ୍କର ଦାଗ ନେଇ
କେତେ ଅତ୍ୟାଚାର ଆଉ ସହିବୁ ।
ଆଖିଥାଇ ଏବେ ଅନ୍ଧ ହୋଇଛୁ
କିଛି କି ଦେଖି ପାରୁନାହୁଁ
ଅନ୍ୟାୟର ବହ୍ନି ଜଳୁଛି ଏବେ
ସଭିଙ୍କ ଚିତ୍କାର କାହିଁକି ଶୁଣୁନାହୁଁ ।
ସମ୍ପର୍କ ଆଜି ତୁଟିତ ଯାଇଛି
ଭାଙ୍ଗିଛି ତାକୁ ଏବେ କିଏ ?
ଭଲପାଇବା ଖାଲି ନାଟକ ହୋଇଛି
ଆଭିଜାତ୍ୟ ତାକୁ ପର କରିଦିଏ |
ଆଭିଜାତ୍ୟକୁ ଧରି ଆବୋରି ବସିଛୁ
ଆତ୍ମିୟତାକୁ କରିଛୁ ସବୁ ପର,
ମିଥ୍ୟା ଆଡମ୍ବର କରି କହୁଛୁ
ଏହି ଦୁନିଆରେ କିଏ କାହାର ।
ବୁଝିଯା ଏବେ ପ୍ରକୁତ ସତ୍ୟକୁ
କହିଦେ ଯାହା କହିବାର ଥିଲା,
ମରୀଚିକା ସମ ଅଧର୍ମକୁ ଛାଡ଼ିଦେ
ଭବିଷ୍ୟତର ସାକ୍ଷୀ ବର୍ତ୍ତମାନ ରହିଲା ।