STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଉଷା ଆଗମନେ

ଉଷା ଆଗମନେ

1 min
294

ଜାଣେ ନାହିଁ ଶୀତ ହୋଇବି କୁକ୍କୁଟ

ଆଳସ୍ୟ ମନରୁ ତେଜି

ଡାକେ ବିଶ୍ବଜନ ହେଲାଣି ସକାଳ

ବେଗେ ଉଠ ନିଦ୍ରା ଭାଜି।

ଶୁଣି ମାଆଙ୍କର ମଧୁ କଣ୍ଠସ୍ୱର

ନିଦ ମୋର ଯାଏ ଭାଜି

ଉଷୁମ ଚାହାରେ ଶୀତ ଛାଡିଯାଏ

ଦିବସେ ନମିଳେ ଖୋଜି।

ଶୀତୁଆ ସକାଳେ କାକର ଟୋପାରେ

ବାଳୁତ ଅରୁଣ କର

ଚମକଇ ମୋତି ସତେକି ଧରିତ୍ରୀ

ପିନ୍ଧିଛି ଗଳାରେ ହାର।

ଅନଳ ଉତ୍ତାପ ନ ବାଧେ ସେ ତାପ

ଏକତ୍ରିତ ଗ୍ରାମ ଜନ

କାଷ୍ଠ ପତ୍ର ଜଳି ଶୋଭନ ବର୍ଣ୍ଣାଳୀ

ଉଲ୍ଲସିତ ତନ ମନ।

କାହୁଁ ଆସେ ମାଡି ସଘନ କୁହୁଡି

ନଦିଶେ ପଥିକେ ପଥ

ଗିରିଶ କାନନ ନଦୀ ତୋଟା ମାଳ

କରି ନିଏ କରାୟତ।

ଉଷୁମ ଚାଦର ଜ୍ୟାକେଟ ସ୍ବେଟର

ପଡ଼ିଥାଏ କେତେ ଲୋଡା

ଭକତି ତଲ୍ଲୀନ ବଧୂ,ଗୃହି ଜନ

ଦେବ ମନ୍ଦିରରେ ଛିଡ଼ା।

ଚୁଲି ମଧ୍ୟେ ଶୋଇ ସେ ପୁଷି ମାଉସୀ

ରହିଥାଏ ଆରାମରେ

ଶ୍ବାନ ସନ୍ତାନଟି ଆନନ୍ଦ ସାଉଁଟି

ଶୋଇ ରହେ ମାଆ କୋଳେ।

ଏହିପରି କେତେ ସ୍ମୃତି ମନେ ଭାଳେ

ଆମ ଗାଆଁ ପରିବେଶ

ଅଭୁଲା ସେ କ୍ଷଣ ଉଚ୍ଚାଟ ପରାଣ

ମନୋରମ ଚାରୁବେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍