STORYMIRROR

Ajaya Mahala

Others Romance

2.0  

Ajaya Mahala

Others Romance

ଉଁ

ଉଁ

1 min
353


ମୋର ପ୍ରତିଟି

ଉଦ୍ଦେଶ୍ୟହୀନ ପ୍ରୀତି ସମ୍ବୋଧନର

ପ୍ରତ୍ୟୁତ୍ତରରେ

ତୁମର ଏଇ ସ୍ୱତଃସ୍ଫୁର୍ତ୍ତ ଉଁ..

ଏହା କଣ ମଖମଲି

ରାତି ଅଧ ଅନ୍ଧାରରେ

ମୋ ନିଜର ହିଁ

ଶବ୍ଦର

ପ୍ରତିଧ୍ୱନି ?

ନା ଗହନ ନିଶାରେ

ଟିପି ଟିପି ବରଷାକୁ

ନୀରବରେ ଶୁଣୁଥିବା

ତୁମ ଜାଗ୍ରତ ସତ୍ତାର

ପରିଚୟ ଏହି ଉଁ ?

ଇଏ ତ ମତେ ଲାଗେ

ତନ୍ଦ୍ରାରେ ହଜିଥିଲା ବେଳେ

ଆମ ଦୁହିଁକୁ ଯୋଡିବାକୁ

ଏକ ଅକ୍ଷରିଆ

ଶବ୍ଦର ଶିକୁଳି ଯେମିତି

ଏଇ ତୁମ ଉଁ..

ନିରାପତ୍ତା ରକ୍ଷୀର

ସାଲ୍ୟୁଟ ପରି

ଅଚାନକ ନୁହେଁ

ଏହା ମନ ନଈ ସେପଟରୁ

ଯୁଗକ ପରେ ଆସୁଥିବା

ଘାଟିଆର ଜବାଵ ବି ନୁହେଁ

ତୁମ ଉଁ..

ବୀଣାର ସେହି ବିଳମ୍ବିତ ରାଗ

ଯାହା ସ୍ୱତଃସ୍ଫୁର୍ତ୍ତ ଝରେ

ସାଥିରେ ସବୁ

ସ୍ନେହ ଆଉ ସମ୍ବେଦନା ନେଇ ।

ଯଦି ଆମେ ନିର୍ଜନ ଦ୍ବୀପଟିଏକୁ

ଚାଲି ଯିବା

ଯେଉଁଠି

ମରି ଯାଇଥିବେ ସବୁ ଭାଷା

ଭାଙ୍ଗି ଯାଇଥିବେ ମଣିଷର ମନଗଢ଼ା

ଅର୍ଥହୀନ ପ୍ରାଚୀର ସବୁ

ଯେମିତି ମୋ ଚାକିରୀ

ଆଉ ତୁମ ଦିନ ଯାକର

ମିଛ ଜଞ୍ଜାଳ

ଆଉ ସେଠି କେବଳ

ଢେଉ କହୁଥିବେ କଥା

ପବନ ଘୂରି ଯାଉଥିବ

ଅବ୍ୟକ୍ତକୁ ନେଇ

ସେଠି କେବଳ ତୁମ ଉଁ..

ମୋ ପାଇଁ

ସଙ୍ଗୀତ ହୋଇଯିବ

ଆଉ ଏକମାତ୍ର ସମ୍ବଳ ବି

ସେହି ଦ୍ବୀପରେ

ଆକାଶରେ ବାଦଲ ଘୋଟିଲେ

କେଉଁ ଗଛତଳେ

ଶୀତରେ ଥରୁଥିବେ

ତୁମ ଆଉ ମୋ ନଗ୍ନ ଦେହ

ଝୋଟ ପାଲଟି ଯାଇଥିବା

ତୁମ କେଶ ସାଉଁଳେଇ ଦେଲାବେଳେ

ମୁଁ ଜାଣୁଥିବି

ତୁମେ ମୋର ନୁହଁ

ଆଉ ମୁଁ ବି ତୁମର କେହି ନୁହେଁ

କେବଳ ଗୁଡିଏ ଉଁ..କୁ ନେଇ

ଆମେ ବଞ୍ଚିଛେ ଯାହା

ବୋଧେ ସୃଷ୍ଟି ଆରମ୍ଭର

ଅନ୍ଧକାର ଭେଦି ଆସିଥିବା

ସେହି ପ୍ରଥମ ସ୍ୱର

"ଓଁ" ନୁହେଁ

ତୁମ ଉଁ... ହିଁ ଥିଲା

ଯାହା ଲୁଚି ରହିଥିଲା

ଭୂମା ଭୂମା

ପୁରୁଷର ରାତିଅଧ ଧୀର ଡାକ

ଓ ପ୍ରକୃତିର

ନିଦ ମିଶା ଉଁ ହୋଇ

କେଡ଼େ ଉଦାସୀନ

ହୋଇଯାଏ ଭାବି ଭାବି

ଦିନେ ଏମିତି ବି ହେବ

ନଈ ସେପଟର

ଘାଟିଆକୁ ଡାକଦେଲେ

ନିଶାର୍ଦ୍ଧରେ ଆସିବନି କାହାର

ଫେରନ୍ତା ଜବାଵ

ଆଉ ଏଇ ବିଛଣାର

ଏ କୋଣରୁ ଡାକୁଥିଲେ

ସେ କଡରୁ ଫେରୁ ନ ଥିବ

ଆମ କାହାର

ସେହି ଉଁ... ଟିକକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍