ଉଦାସୀ ମୁଁ ପକ୍ଷୀଟିଏ
ଉଦାସୀ ମୁଁ ପକ୍ଷୀଟିଏ
ଏ ବିଶ୍ୱବ୍ରହ୍ମାଣ୍ଡେ ତୁମେ ସର୍ବମୟ
ଅମୃତରେ ମଧୁସିକ୍ତ
ଅତିନ୍ଦ୍ରୀୟ ତୁମ ଅସୀମ ସୃଷ୍ଟିକୁ
ସଦା କରୁଛ ଚିତ୍ରିତ ।।
ନବ ବସନ୍ତର ବିଭାସେ ତଲ୍ଲୀନ
ଆଶାର ସେ କୁଞ୍ଜବନ
ପ୍ରୀତି ପାରିଜାତ ପ୍ରଲୁବ୍ଧେ ମୋହିତ
କଇଁସାରି ଲତା ମାନ।।
ଅଲକତ ବୋଳା ପାଦ ଘୁଙ୍ଗୁରର
ନିଃଶବ୍ଦର ପ୍ରତିଧ୍ୱନି
ଝଙ୍କୃତ ସେ ହୁଏ ମୁହୂର୍ତ୍ତକ ପାଇଁ
ଲାଗିଥାଏ ସଂଜିବନୀ ।।
ନିବିଡ ଆଶ୍ଲେଷେ ଆତ୍ମା ବିସ୍ମୃତିରେ
ଉଦାସୀ ମୁଁ ପକ୍ଷୀଟିଏ
ମହାଶୂନ୍ୟର ଏ ଅଦୃଷ୍ଟ ଶକ୍ତିରେ
କେବେ ଶୂନ୍ୟ ହୋଇଯାଏ।।
ଆଖିର ଏ ଲୁହ ଅନନ୍ତ ଶ୍ରାବଣ
କେବେ ପୁଣି ଝରିଯାଏ
ପ୍ରତୀକ୍ଷାରତ ଏ ପ୍ରାଣେ ପୂର୍ଣ୍ଣାହୂତି
ହେବ ବୋଲି ଭାବୁଥାଏ।।
ହୃଦୟ ଉଦ୍ୟାନ ସବୁଜ ସୋପାନ
ମନୋଜ୍ଞ ବିଳାସ ତୀର୍ଥ
କିଏ ବା' ବୁଝିଛି ସେ ଗୁଢ ରହସ୍ୟ
ତତ୍ତ୍ୱପୂର୍ଣ୍ଣ ସେଇ ଅର୍ଥ।।
ଦିବସ ରଜନୀ ସକାଳ ଓ ସଂଧ୍ୟା
ପ୍ରାଣରେ ଭରି ସ୍ପନ୍ଦନ
ଅନନ୍ତ ବ୍ୟାପ୍ତ ସେ ଜୀବନ ଜିଜ୍ଞାସା
ଖୋଜିଚାଲେ ପ୍ରତିଦିନ।।
କ୍ଷଣ ଭଙ୍ଗୁର ଏ ମାୟା ସଂସାରେ
ସମୟର ଅବଧି ରେ
ପଦ୍ମପତ୍ର ଜଳ ପରି ଢଳଢଳ
ହେଉଥାଏ ମୁହୂର୍ତ୍ତରେ।।
ତୁମରି ଆଜ୍ଞା ରେ ସୂର୍ଯ୍ୟ,ଚନ୍ଦ୍ର,ବାୟୁ
ହୋଇଥାନ୍ତି ଆତଯାତ
ପାଳନ କରନ୍ତି ନିଜର କର୍ତ୍ତବ୍ୟ
ସ୍ୱକର୍ମରେ ହୋଇ ସ୍ଥିତ।।
ସସୀମ ଗର୍ଭରେ ଅସୀମ ରୂପକୁ
ତୁମେ ତ' ଦେଖାଇ ପାର
ଶାଶ୍ବତ ସତ୍ତା ରେ ସଦା ପରିପୂର୍ଣ୍ଣ
ତୁମେ ସେ ନବଗୁଞ୍ଜର।।
ଯଶୋଦା ମାତାଙ୍କୁ ପାଟି ଦେଖାଇଲ
ବିଶ୍ବର ସୃଷ୍ଟି ସମ୍ଭାର
କାଳନ୍ଦୀ ହ୍ରଦରେ କାଳୀୟ ଦଳନ
କରି ଦେଲ ମୁକ୍ତି ତାର।।
ଜୀବନ ରଥର ଅଦୃଶ୍ୟ ସାରଥି
ଅମୃତ ଭାଣ୍ଡ ହେ ମୋର
ଅୟୂତ ଜନ୍ମ ର ପାପକ୍ଷୟ ହୁଏ
ଭୁଜ ଟେକିଲେ ତୁମର।।
ଉତ୍ତରଣ ଆଶା ବିନିଦ୍ର ତପସ୍ୟା
ଯନ୍ତ୍ରଣା ର ଜଉଘରେ
ପଡି ମୁଁ ରହିଛି ତୁମରି ସୃଷ୍ଟିରେ
ଅଶ୍ରୁଭରି ନୟନରେ।।
ହେ ଆନନ୍ଦକନ୍ଦ ସତ୍ୟ ସନାତନ
ସଚରାଚର ର ପ୍ରଭୁ
ଶ୍ରୀଚରଣେ ତବ କୋଟି ପ୍ରଣିପାତ
ପାରି କରିବ ଏ ଭବୁ।।
