ତୁମରି ଗାଁ-୧୯
ତୁମରି ଗାଁ-୧୯
ତୁମରି ଗାଁର ସୀମାରେଖା ଡେଇଁ
ଆଗକୁ ପାରୁନି ଯାଇ,
ପାଦ ବଢାଇଲେ ସମ୍ମୁଖ ଭାଗେ
ଛିଡାହୁଏ ତୁମଛାଇ ।
ବଢିଥିବା ପାଦ ଫେରିଆସେ ପୁଣି
ଅତୀତ ଆସଇ ଫେରି,
ତୁମକଥାଭାବି ନୟନର ତୀରୁଁ
ଅଶ୍ରୁ ପଡଇ ଝରି ।
ଶ୍ରବଣ ପୁଟରେ ବାଜିଉଠେତୁମ
ଚୁପିଚୁପି ମଧୁ ସ୍ବନ,
ଲାଜରେ କୋଇଲୀ ଉଡିଯାଉଥିଲା
ହୃଦେ ବହି ଅଭିମାନ ।
ମନେ ପଡିଯାଏ ପହିଲି ଛୁଆଁର
ଲାଜଭରା ସେଇଆଖି,
କମ୍ପିତ ତନୁ ଘନ ନିଃଶ୍ବାସ
ପ୍ରଣୟର ମୂକସାକ୍ଷୀ ।
ଥିରିଥିରି ଚାଲି କିରିକିରି ହସ
ଫିରିଫିରି ନାଲି ଓଠ,
ପ୍ରଣୟ ଆବେଗେ ଥରିଉଠୁଥିଲା
କି ବିଚିତ୍ର ପ୍ରେମପାଠ ।
ରୂଷା ଆଡରୂଷା ଚାରୁ ବେଶ ଭୂଷା
ସଜଳ ନୟନ ଛଟା,
ଅସୀମ ଭାବନା ଆଣୁଥିଲା ମନେ
ଲାଗୁଥିଲା ସବୁ ମିଠା ।
ନାହଁ ବୋଲି ଆଜି ମୋହରି ପାଶରେ
ଅନ୍ଧାର ଦିଶେ ଧରା,
ତୁମରି ଗାଁ ମୋ ନୟନରେ ଆଜି
ସାଜିଅଛି ଧ୍ରୁବତାରା ।
* * *
କୈଳାସ ଚନ୍ଦ୍ର ପାଢୀ।କୁମାରପୁର।
ଭଦ୍ରକ।
================