ତରୁଣ
ତରୁଣ
ଉଇଁ ଆସେ ଯେବେ ମାନସ ପଟଳେ
ଅବିର ରଙ୍ଗ ଅରୁଣ
ଉତ୍ତାଳ ତରଙ୍ଗ ମୃଦୁ ଶିହରଣେ
ପୁଲକି ଉଠେ ଜୀବନ ।
ହୁଏ ଅଦ୍ଭ୍ୟୁଦୟ ତରୁଣ ବୟସେ
ସୁଗୁଣ ହୁଏ ବିକାଶ
ବଳ ବୁଦ୍ଧି ତେଜ ହୁଏ ପରିପୁଷ୍ଟ
ସଞ୍ଚରେ ମନେ ସାହସ ।
ସୃଷ୍ଟିର ସକଳ ଲାଗେ ଆପଣାର
ନିପୁଣ ସେ ଚିତ୍ରକର
ହୁଏ ଆନମନା ଚପଳ ବିଭୋର
ଭାବେ ସବୁଜ ସୁନ୍ଦର ।
ତା ମନ ତୂଳୀରେ ହୁଅଇ ସଜୀବ
ରୂପ କଳ୍ପ ଭାବ ବ୍ୟଥା
ଉନ୍ମାଦନା ତାର କିଣିନିଏ ମନ
ଖୋଜେ ସାଥି ନୀଳ ଆଶା ।
ତାରୁଣ୍ୟ ଅଟଇ ପୁଞ୍ଜି ଚାବିକାଠି
ଖୋଲେ ଜୀବନର ଦ୍ୱାର
ସମୁଚିତ ଶିକ୍ଷା ଚରିତ୍ର ଧାରଣେ
ହୁଏ ପାତ୍ର ଚମତ୍କାର ।
ଯଶ ଓ ପ୍ରତିଷ୍ଠା ଅରଜେ ଜୀବନେ
ସୁପାତ୍ର ତରୁଣ ଯୁବା
ବଢାଏ ଗୈ।ରବ ଜାତି ଓ କୁଳର
ପୂଜିତ ହୁଏ ପ୍ରତିଭା ।
ତରୁଣ ଅଟଇ ନୂଆ ସକାଳର
ଉଦୀୟମାନ ସୂରୁଜ
ତାହାର ସୁଷମ ବିକାଶେ ଉନ୍ନତି
ପ୍ରଗତି ଦେଶ ସମାଜ ।