ତାରା ଫୁଲ
ତାରା ଫୁଲ
ସୁରମ୍ୟ ଏ' ସୃଷ୍ଟି ଅନବଦ୍ୟ କୃତି
ଧନ୍ୟ ହେ 'ବିଶ୍ୱ ନିର୍ମାତା,
ତ୍ରିପୁର ଭୁବନ କାରୁକାର୍ଯ୍ୟମୟ,
ପ୍ରାଣବନ୍ତ ତଵ ସତ୍ତା ॥
ସୂର୍ଯ୍ୟ ଚନ୍ଦ୍ର ତାରା ହୃଦୟ ପସରା
ଜ୍ଜ୍ଵଳନ୍ତ ପ୍ରମାଣ ପରା,
ସ୍ଵହସ୍ତେ ଗଢିଛ ମହକ ଦେଇଛ
ମହକୁଛି ସାରା ଧରା ॥
ଟିକି ତାରାଫୁଲ ରୌପ୍ୟକାନ୍ତି ଝୁଲ
ସରଗରେ ବିଚ୍ଛୁରିତ,
ଅନ୍ଧାର ରାତ୍ରୀରେ ଶୋଭନୀୟ ଦିଶେ
ମର୍ତ୍ତ୍ଯେ ପ୍ରାଣୀ ଆନନ୍ଦିତ ॥
ତାରାଫୁଲ ମେଳେ ପରୀରାଣୀ ଖେଳେ
କୁହୁକ କାହାଣୀ ସତ,
ରାତି ପାହିଗଲେ ତାରାଫୁଲ ହଜେ
ଲାଗଇତ ଆଚମ୍ବିତ ॥
ଆକାଶର ତାରା ସତେ ମନ ପାରା
ଦୃଶ୍ୟମାନ ହୁଏ ନିତି,
ମାନବ ଭାବଇ ଆମ ପୂର୍ବସୁରୀ
ତାରାରୂପେ ଅର୍ଜେ ଖ୍ୟାତି ॥
ଧୃବତାରା ଦୃଶ୍ୟ କରେ ବିମୋହିତ
ବିଳମ୍ବିତ ସ୍ୱପ୍ନ ମିତ,
ଉତ୍ତର ଆକାଶେ ପୁଲକିତ ପ୍ରାଣେ
ପ୍ରକଟିତ ହୁଏ ନିତ୍ୟ ॥
ସପ୍ତର୍ଷି ମଣ୍ଡଳ ଅପୂର୍ବ ମିଳନ
ତାରାଗଣ ମହାଋଷି,
ପ୍ରଶ୍ନବାଚୀ ଚିହ୍ନ ଆଙ୍କଇ ସମ୍ପୂର୍ଣ୍ଣ
ଆକାଶ ମୂଲକେ ହସି ॥
ସୃଷ୍ଟିର ଆଲେଖ୍ୟ ଚରମ ସ୍ବାକ୍ଷର
ଆକାଶର ଟିକି ତାରା,
ଝଲସି ଉଠଇ ସ୍ୱପ୍ନ ଭିଜାଆଖି
ଦେଖିବାକୁ ନିତି ପରା ॥
