ସୁରାସୈତାନ
ସୁରାସୈତାନ
ମୁଁ ଘୁରିବୁଲୁଥାଏ
ସହରରୁ ଗାଁକୁ
ଗାଁରୁ ସହରକୁ
ଛକ ବଜାରେ ଦାନ୍ତ ନିକୁଡୁଥାଏ
ସ୍ଵୀକୃତିମରା କାଚ ଖୋଳପାରେ
ଅବା ଶୋଇଯାଇଥାଏ
ଗାଁ ଭଙ୍ଗା କେବିନର ଅଳିଆଗଦାରେ ।
କରି କରାଉଥାଏ ମୁହିଁ
ମୋ ବିନୁ ଅନ୍ୟ ଗତି ନାହିଁ
ବିନା ଅସ୍ତ୍ରେ ମାରିପାରେ
ସମସ୍ତ ଯୋଦ୍ଧାଙ୍କୁ ମହାଭାରତେ
ନିଜକୁ ସଜାଇ ସାରଥୀ ବେଶରେ
ଉଠାଇପାରେ ମୁଁ ଗିରିଗୋବର୍ଦ୍ଧନ
ମୁଁ ପରା କଳିଯୁଗର ଶ୍ରୀକୃଷ୍ଣ
ଯଦୁବଂଶ କରିଥିଲି ଦିନେ ବିନାଶ
ସେଦିନ ମୁଁ ଥିଲି ସୋମରସ ।
ଏନ୍ତୁଡିଶାଳରୁ ଶ୍ମଶାନ
ସବୁଠି ମୋର ଆସ୍ଥାନ
ହେଉ ଜନ୍ମଦିନ ବିବାହ ପର୍ବପର୍ବାଣୀ ଶୁଭକର୍ମ
ଅବା ଶ୍ରାଦ୍ଧକର୍ମ ଶବଦାହ ଦଶାହ କର୍ମ
ସଭାସ୍ଥଳ ବଣଭୋଜି ସଂକିର୍ତ୍ତନ
ମଠ ମନ୍ଦିର ବିଦ୍ୟାଳୟ ଅନୁଷ୍ଠାନ
ସବୁଆଡେ ସବୁବେଳେ ମୋତେ
ଆବାହନ କରୁଥାଏ ମଣିଷ ମନ ।
ରାଜକୀୟ ଆଭିଜାତ୍ୟର ପର୍ଦ୍ଦଟିଏ
ଯୋଡି ହୋଇଯାଇଛି ଜୀବନ ଇତିହାସେ
ରାଜନେତା ଠାରୁ କୁଲି ମେହେନ୍ତର
ଅଗ୍ନିଝାସ ଦିଅନ୍ତି ମୋ ପାଶେ
ଜାତି ଧର୍ମ ଛୁଆଁ ଅଛୁଆଁ ଧନୀ ଗରିବ
ଭେଦଭାବ ନାହିଁ ମୋ ଆନନ୍ଦବଜାରେ
ମୋ ସର୍ବଗିଳା ଆଁରେ ପୃଥିବୀଟା ପଶିଯିବ
ଦିନେ ଅକ୍ଳେଶରେ ।
ଜାଳିଦିଏ ମୁଁ ସବୁ ସଂପର୍କର ଜଉଘର
ମାନ ସମ୍ମାନ ଇଜ୍ଜତ ମହତ ରଖେନି କାହାର
ହତ୍ୟା ଧର୍ଷଣ ଅପମାନ ବ୍ୟଭିଚାର
ଏସବୁ ମୋର ସବୁଦିନିଆଁ ଆହାର ।
ପିଉଥାଏ ସଦା ମଣିଷର ରକ୍ତ
ଉଜାଡି ସୁନାର ସଂସାର
ହସୁଥାଏ ମନେ ମନେ
ଦେଖି ସ୍ରଷ୍ଟାର କାରବାର ।
ନକରାତାତ୍ମକ ଉପାଦାନେ
ଗଢା ମୋର ଦେହ ।
ଅର୍ଥଲୋଭ କାହିଁ ଦିଅ
ମୋତେ ପ୍ରୋସ୍ଝାହନ
କାଚର ଖୋଳପାରେ
ଗଢୁଥାଅ ସବୁଦିନ ।
ମୋ ମୂଲ୍ୟଠାରୁ ବଳି ପଡନ୍ତି
ପତଙ୍ଗ ସାଜି କେତେ ଯେ ଅମୂଲ୍ୟ ପ୍ରାଣ। ।
ମୋତେ ଘଉଡାଇବା ଏତେ ନୁହେଁ ସହଜ
ପ୍ରବୃତ୍ତିରେ ମିଶିଯାଇଛି ମୁଁ ଜାଣ
ବିଦାୟ ଦିଅ ମୋତେ ଅନ୍ତରରୁ
ଛକ ବଜାର ଭଙ୍ଗା କେବିନରୁ
ଆସୁଥିବା ଉତ୍ତରଦାୟଦ
ନଦେଖନ୍ତୁ ଏମିତି ଦିନ
ସୁଧାରିନିଅ ସମୟ ଅଛି ଏବେ ବି
ନହେଲେ କୁଢକୁଢ ପାଉଁଶ ସ୍ତୁପରେ
ଅଶାନ୍ତିର ମଶାଲ ଧରି
ସବୁଦିନ ମୁଁ ଅଗ୍ରସର ହେଉଥିବି
ଖୋଲିବାକୁ ଶିବଙ୍କର ତୃତୀୟ ନୟନ ।
ଶଶାଙ୍କ ଶେଖର ରାୟ
ମୋ - ୭୩୭୭୧୯୭୯୯୯
