ସ୍ଵର୍ଗାଦପି ଗରିୟସୀ
ସ୍ଵର୍ଗାଦପି ଗରିୟସୀ
ଶିଶୁ ଓଠ ଧାରେ ମଧୁର ମୂର୍ଚ୍ଛନା
ଆଦ୍ୟ ମଧୁ ପରିଭାଷା
ସନ୍ତାନର ସିଏ ପ୍ରଥମ ଗୁରୁ ଯେ'
ବିପଦେ ଦେଖାଏ ଦିଶା ॥
ମାଆ ନାମ ଗୋଟି ମଧୁ ଠୁଁ ମଧୁର
କଥା ଯେ କୁହୁକ ବୋଳା
ତ୍ୟାଗର ମୂରତି ମମତାମୟୀ ସେ
ସେନେହେ ପଣତ ଭରା ॥
ନିଜ ରକ୍ତ ମାଂସ ଦେଇ ସେ ଗଢିଛି
ନଶ୍ଵର ଶରୀର ଏହି
ଦଶମାସ ସିଏ ଗରଭେ ଧରିଛି
କେତେ ଯେ ଯାତନା ସହି ॥
ତା' ବକ୍ଷୁ ଅମୃତ ଝରାଇଛି ପୁଣି
ପାଳିଛି ମମତା ଦେଇ
କେତେ ଉପବାସ ବ୍ରତ ସେ କରିଛି
ସନ୍ତାନ ମଙ୍ଗଳ ପାଇଁ ॥
କେତେ ଯେ ଅଝଟ ସହିଛି ଆମର
କେବେ ଥକି ଯାଇ ନାହିଁ
ନିଦ ନ ଆସିଲେ ଶୁଆଇ ଦେଇଛି
ନାନା ବାୟା ଗୀତ ଗାଇ ॥
ଆଖି ଦେଖି ସିଏ ସବୁ ବୁଝିପାରେ
ମନ ତଳ କଥା ଯେତେ
ଆମ ସୁଖ ଦୁଃଖ ମାଆଠୁଁ ଅଧିକ
କିଏ ସେ ବୁଝିଛି କେତେ ॥
ଦାଣ୍ଡରୁ ଆସିଲେ ଧୂଳି ଝାଡି ଦେଇ
ପଣତରେ ମୁହଁ ପୋଛେ
ଆଶ୍ଵାସନା ଭରା ତା' ପଣତ କାନି
ହୃଦୟେ ବାତ୍ସଲ୍ୟ ରଚେ ॥
ସଂକୀର୍ଣ୍ଣତାକୁ ସେ ମନରୁ ଲିଭାଏ
ନୂଆ ସଂଭାବନା ଭରେ
ମାଆର ପଣତ ଅଭୟ ଆଶ୍ରୟ
ଶୁଭାଶିଷ ସଦା ଢାଳେ ॥
ଯେତେ କଷ୍ଟ ଥାଉ କୋଳେ ତା' ଶୋଇଲେ
କ୍ଷଣକରେ ସବୁ ହଟେ
କଷଣ ଯାତନା ମନୁ ଦୂର ହୋଇ
ହସର ଲହରୀ ଛୁଟେ ॥
ତା' ସ୍ନେହ ମମତା ଅମୃତର ଧାରା
ଅବିରତ ଝରୁଥାଏ
ସନ୍ତାନର ମୁଖେ ଦେଖି ସ୍ମିତ ହାସ୍ୟ
ଅସୁମାରୀ ଶାନ୍ତି ପାଏ ॥
ହାତ ଧରି ସିଏ ଚାଲି ଶିଖେଇଛି
ହସ ବୁଣି ଓଠ ଧାରେ
ସବୁ ଲୁହ ପିଇ ବଞ୍ଚି ଶିଖେଇଛି
ସ୍ମିତ ମାଧୁରିମା ସୁରେ ॥
ପଡି ଛିଡା ହେବା ସାହସ ବାନ୍ଧିବା
ଏ ମନ୍ତ୍ର ମନେ ଭରିଛି
ଦୁଃଖ ଦୁର୍ଦ୍ଦିନରେ ଧୈର୍ଯ୍ୟ ଧରି ମନେ
ଜୀଇଁବା ଶିଖେଇ ଅଛି ॥
ଦୀପ ସମ ଜଳି ଆଲୋକ ଭରିଛି
ଏହି ଆମ ଜୀବନରେ
ସତ ଚେଷ୍ଟା ବଳେ ମାତୃ ଋଣ କିଏ
ଶୁଝି କି ପାରଇ ଭଲେ ॥
ପତିତପାବନୀ ପାତକ ନାଶିନୀ
ସନ୍ତାନର ସାହା ସିଏ
ପୃଥ୍ବୀ ଠାରୁ ବଡ ନଭ ଠୁଁ ବିଶାଳ
ସାଗରୁ ଗଭୀର ସିଏ ॥
ନିଜ ମହିମାରେ ଗରିୟସୀ ସଦା
କିଏ ହେବ ତାହା ତୁଲ
ନିଜ କର୍ମ ବଳେ ଚିର ବନ୍ଦନୀୟା
ମୂଲ୍ୟ ତା' ଅମୂଲ ମୂଲ ॥