STORYMIRROR

DEEPALI JENA

Tragedy

4  

DEEPALI JENA

Tragedy

ସମୟ ଓ ଜୀବନ

ସମୟ ଓ ଜୀବନ

1 min
305

ମୁଣ୍ଡରେ ମୋ ପାକେଲା ବାଳ 

ଝଡିବାକୁ ବସିଲାଣି 

ଶରୀରର ଲୋଚା ଚର୍ମ ମନେ ପକେଇ ଦଉଛି

ମତେ ବାର୍ଧକ୍ୟ ଛୁଇଁଲାଣି 

ଆଉ କେଇଟା ଦିନର ଅତିଥି 

ଏଇତ ଲାଗୁଚି ଏନ୍ତୁଡି ଶାଳରୁ 

ଡେଇଁ ଡେଇଁ ଆସିଲା ପରି 

ବାପା କାନ୍ଧରେ ବସି ଦୁନିଆ ଦେଖିଲା ପରି

ଡହଡହ ତାତି ରେ କଙ୍କି ଧରିଲା ପରି

ଆଉ ପୁଣି ମା ର ସେ ମିଠା ଗାଳି 

ସବୁ ଆଖିଆଗେ ନାଚିଯାଏ

କେଇ ଘଣ୍ଟାର ସମୟ ପରି

ଆଜି ମୁଁ ଅଲୋଡା -

ଢିଙ୍କିଆ ପରି ପଡି ରହିଚି କୋଉ କଣରେ 

ହାତ ଗୋଡ ଚଳୁନି ବୋଲି 

ପୁଅ ମୋର ଠାକୁରଙ୍କୁ ଡାକେ, ବୋହୂ ମାନସିକ କରେ

ମୋ ଜୀବନ ଛାଡିଯିବା ପାଇଁ 

ଆଉ କଣ ମୋ ପଣତକାନିରେ ସେ ବାସ୍ନା ଅଛି 

ବୋହୂର ସେ ସ୍ନୋ ପାଉଡର ପାଖେ

ଆଖିରେ ମୋ ନେନ୍ଦେରା ଭର୍ତି 

ନାତି ମୋର ଡାକେ ଅନ୍ଧୁଣି ବୁଢି 

ବାଡିପୋଡା ଗେରସ୍ତ ମୋ ହାତ ଛାଡ଼ି 

ଗଲାଣି କୋଉଦିନୁ କୋକେଇରେ ବନ୍ଧାହେଇ

ମୋତେ ନନେଇ ମଶାଣି ଭୂଇଁରେ ଶାନ୍ତିରେ ଯା ଶୋଇଗଲା

ଆଉ ଏ ଦୁନିଆରୁ ମୁଁ ବା କଣ ନେବି ତାପାଇଁ 

କଉଡି ଖେଳିଥିଲି ତା ସାଥିରେ

କଉଡି ଏବେ ବିଞ୍ଚିବି ଗାଁ ଦାଣ୍ଡରେ 

ଏଇ ଜୀବନ ଛାଡିବ ଛାଡିବ ହଉଚି

ଘନ୍ଟାରେ ଏବେ ବାରେଟା ବାଜିବାକୁ-

ଦୁଇ ମିନିଟ୍ ବାକିଅଛି

ସମୟ ର ନାହିଁ ସେ ବାଲ୍ୟ ଚପଳତା

ବାର୍ଧକ୍ୟ ତାକୁ ବି ଛୁଇଁଚି

ତଥାପି ସେ ଚାଲିଚି ଠୁକୁଠୁକୁ ହେଇ

ମୋ ସମୟ ହେଇଗଲା 

ଘଣ୍ଟାରେ ବାରେଟା ବାଜିଗଲା 

ଏନ୍ତୁଡି ଶାଳରୁ ମଶାଣି ଭୂଇଁଯାଏ ମୋ ଜୀବନ ସରିଲା ।


Rate this content
Log in

Similar oriya poem from Tragedy