ସମୟ ଓ ଜୀବନ
ସମୟ ଓ ଜୀବନ
ମୁଣ୍ଡରେ ମୋ ପାକେଲା ବାଳ
ଝଡିବାକୁ ବସିଲାଣି
ଶରୀରର ଲୋଚା ଚର୍ମ ମନେ ପକେଇ ଦଉଛି
ମତେ ବାର୍ଧକ୍ୟ ଛୁଇଁଲାଣି
ଆଉ କେଇଟା ଦିନର ଅତିଥି
ଏଇତ ଲାଗୁଚି ଏନ୍ତୁଡି ଶାଳରୁ
ଡେଇଁ ଡେଇଁ ଆସିଲା ପରି
ବାପା କାନ୍ଧରେ ବସି ଦୁନିଆ ଦେଖିଲା ପରି
ଡହଡହ ତାତି ରେ କଙ୍କି ଧରିଲା ପରି
ଆଉ ପୁଣି ମା ର ସେ ମିଠା ଗାଳି
ସବୁ ଆଖିଆଗେ ନାଚିଯାଏ
କେଇ ଘଣ୍ଟାର ସମୟ ପରି
ଆଜି ମୁଁ ଅଲୋଡା -
ଢିଙ୍କିଆ ପରି ପଡି ରହିଚି କୋଉ କଣରେ
ହାତ ଗୋଡ ଚଳୁନି ବୋଲି
ପୁଅ ମୋର ଠାକୁରଙ୍କୁ ଡାକେ, ବୋହୂ ମାନସିକ କରେ
ମୋ ଜୀବନ ଛାଡିଯିବା ପାଇଁ
ଆଉ କଣ ମୋ ପଣତକାନିରେ ସେ ବାସ୍ନା ଅଛି
ବୋହୂର ସେ ସ୍ନୋ ପାଉଡର ପାଖେ
ଆଖିରେ ମୋ ନେନ୍ଦେରା ଭର୍ତି
ନାତି ମୋର ଡାକେ ଅନ୍ଧୁଣି ବୁଢି
ବାଡିପୋଡା ଗେରସ୍ତ ମୋ ହାତ ଛାଡ଼ି
ଗଲାଣି କୋଉଦିନୁ କୋକେଇରେ ବନ୍ଧାହେଇ
ମୋତେ ନନେଇ ମଶାଣି ଭୂଇଁରେ ଶାନ୍ତିରେ ଯା ଶୋଇଗଲା
ଆଉ ଏ ଦୁନିଆରୁ ମୁଁ ବା କଣ ନେବି ତାପାଇଁ
କଉଡି ଖେଳିଥିଲି ତା ସାଥିରେ
କଉଡି ଏବେ ବିଞ୍ଚିବି ଗାଁ ଦାଣ୍ଡରେ
ଏଇ ଜୀବନ ଛାଡିବ ଛାଡିବ ହଉଚି
ଘନ୍ଟାରେ ଏବେ ବାରେଟା ବାଜିବାକୁ-
ଦୁଇ ମିନିଟ୍ ବାକିଅଛି
ସମୟ ର ନାହିଁ ସେ ବାଲ୍ୟ ଚପଳତା
ବାର୍ଧକ୍ୟ ତାକୁ ବି ଛୁଇଁଚି
ତଥାପି ସେ ଚାଲିଚି ଠୁକୁଠୁକୁ ହେଇ
ମୋ ସମୟ ହେଇଗଲା
ଘଣ୍ଟାରେ ବାରେଟା ବାଜିଗଲା
ଏନ୍ତୁଡି ଶାଳରୁ ମଶାଣି ଭୂଇଁଯାଏ ମୋ ଜୀବନ ସରିଲା ।