ସ୍ମୂତି ଚିହ୍ନ
ସ୍ମୂତି ଚିହ୍ନ
ତୁମେ ସ୍ମୃତି ମୋର ଅତି ଆପଣାର
ସତେ ସ୍ବର୍ଗ ପାରିଜାତ
ସୌରଭେ ଭରିଛ ଏ ଜୀବନ ମୋର
କରି ଏତେ ବିକସିତ ।
ଭୂଲିଛି ମୁଁ ପରା କ୍ଲାନ୍ତି ଅବସାଦ
ତୁମ ଚାରୁ କାନ୍ତି ପାଇ
ଆପଣା ମହକେ ଲାଭ ନାହିଁ ବନ୍ଧୁ
ଦୁନିଆକୁ ଦିଅ ଧୋଇ ।
ଆହେ ସ୍ମୃତି ମୋର ଅନୁଭବେ ଆସି
ଦେଖାଇ ଦେଲ ସଂସାର
କିଏ ମୁଖାଧରୀ କିଏ ସହଚରୀ
କରୁ ଥିବ ଉପକାର ।
ସ୍ମୃତି ତୁମେ ପରା ଅପାସୋରା ଗପ
ପ୍ରେମ ସରାଗର ରାତି
ମୃଦୃମୃଦୁ ଭାବ ହୃଦୟେ ଜଗାଇ
ଜଳି ଦିଅ ପ୍ରୀତି ଜ୍ୟୋତି ।
ଆଗୋ ସ୍ମୃତି ତୁମେ ଅତିଥି ପରିକା
ମାନସରେ ଆସ ଚାଲି
ତୁମେ ପରା ମୋର ସାତ ଫରୁଆର
କାହାଣୀ ପସରା ଝୋଲି ।
ଅଙ୍କାବଙ୍କା ପଥେ ଛାଇ ପରି ଆସି
ମଙ୍ଗ ଧରି କର ସିଧା
ଦୋଛକି କଠିନ ସମସ୍ୟା ଆସିଲେ
ପୋଛି ଦିଅ ଯେତେ ବାଧା ।
ଅଳସୀ ସଂଧ୍ୟାରେ ବଧୂଲି ଆଖିରେ
ଆସି ଥିଲ ସ୍ବପ୍ନ ନେଇ
ଫଗୁଣ ଫଗୁକୁ ଦେହ ମନେ ବୋଳି
ଅଦୃଶେ ଗଲ ଉଭାଇ ।
ତୁମେ ଶୈଶବର ଧୂଳି ଖେଳ ସାଥୀ
ଯୌବନ ପାହାଚ ପରି
ଯେତେ ଆହୋରଣ କରେ ଏଇ ପ୍ରାଣ
ଝରି ପଡେ ଫୁଲଝରି ।
ଏକାକୀ କଷ୍ଟର ଲାଘବ ପାଇଁକି
ତୁମ ଅବଦାନ କେତେ
ମୁଁ ଏକା ବୁଝେ ଗୋ ତୁମ ଉପସ୍ଥିତି
ଲୋକେ କହୁଥାନ୍ତୁ ଯେତେ ।
ତୁମେ ମୋର ସାଥୀ ବାସର ରାତିର
ସାତ ଦୀପ ସ୍ନେହ ଦୀପ୍ତି
ମୋ ଶେଷ ନିଃଶ୍ୱାସ ଥିବ ଯାଏ ବନ୍ଧୁ
ରହି ଥିବ ଆମ୍ଭ ପ୍ରୀତି ।