ସ୍ମୃତି ବେତାଳ-ତାଳ
ସ୍ମୃତି ବେତାଳ-ତାଳ
କନକଲତା ରଙ୍ଗବତୀ ସୁର ତାଳେ
ବେଦମ ନାଚିଲା ।
ଦେଖିଲା ବି ରଜା ସପନ,
ଏକା ଏକା ନିଶାର୍ଦ୍ଧରେ ଚାଲୁଛନ୍ତି ରାଜା ବିକ୍ରମାର୍କ, ପିଠିରେ ଓହଳି
ପ୍ରଶ୍ନ କରୁଛି ବେତାଳ ।
"ରାଜନ! ମୁଁ ତ ଅଶରିରୀ,
ନାହିଁ ମୋର ଆକାର ପ୍ରକାର,
ପୁଣି ତୁମ ସହ ଏକାନ୍ତରେ ଏତେ ସବୁ ଆଳାପସଳାପ, ସତ କୁହ !
ତୁମର ମୁଁ କେତେ ଆପଣାର ।
ସମ୍ପୂର୍ଣ୍ଣ ଭାର ତ ମୋର ବହନ କରିଛ ,
ତେବେ ନୁହଁଇ କି ପ୍ରତିଶତ
ପୂର୍ଣ୍ଣ ମୋର ସତ୍ତ୍ୱ ଅଧିକାର ?"
ଉବାଚିଲେ ବିକ୍ରମାର୍କ-
ପ୍ରଶ୍ନ ତୁମ ଅତୀବ ସରଳ,
ଅବ୍ୟୟ ଅବ୍ୟକ୍ତ ଅଟେ ଏହି ପ୍ରଶ୍ନୋତ୍ତର ।
ସଂସାରରେ ଏକାଧାରେ ମୁଁ ପୁତ୍ର,
ଭାଇ ବନ୍ଧୁ ସଖା ସହୋଦର,
ବୟଃ କ୍ରମେ ଅଟଇ ରାଜନ,
ସାଧାରଣ ମଣିଷ ମୁଁ ଦେହଧାରୀ ପ୍ରାଣୀ
ବିହିତ ଅଟଇ କର୍ମ କର୍ତ୍ତବ୍ୟ ପାଳନ ,
ଆତ୍ମା ମୋର ବସ୍ତୁ ନୁହେଁ ବରଂ
ସ୍ୱଚ୍ଛନ୍ଦ ତତ୍ ସତ୍ ଚିତ୍ ନିତ୍ୟାନନ୍ଦ।
ତୁମେ ଛାୟାଦେହୀ ସୁଶୀତଳ ପ୍ରାଣପ୍ରିୟା ଚକାଜହ୍ନ କୋଣାରକ ଭଗ୍ନ ମନର,
ଉପନ୍ୟାସ କାବ୍ୟୋପମା
ସୁମଧୁର ସୁନେଲି କଳ୍ପନା
ନାୟିକା ମୋ ଅନୁପମା,
ନିବାସ ହୃଦୟକନ୍ଦେ
ଅନ୍ଧକାର ନିଭୃତ ଠିକଣା ।
ଦେଖ ପ୍ରିୟେ ଫାଟିଲା ସିନ୍ଦୂରା
ପୂର୍ବାକାଶେ ଉଇଁବ ଅରୁଣ ,
ସତୀର୍ଥ ପୂର୍ବସୂରୀ ଅନୁସରି
ଚାଲ ହେବା ଆମେ ଆଗୁସାର,
ଅଧିକାର ସର୍ବସ୍ୱ ରେ ପ୍ରୀତି କ୍ଷୀର୍ଣ,
ସିଂହାସନ ଶୂନ୍ୟ ।
