ସମୀକରଣ
ସମୀକରଣ
ସମୀକରଣ ବହୁଘାତ ,
ଅନନ୍ତ ଅସୀମ ବୋଝ
ମଣିଷ ଭାରାକ୍ରାନ୍ତ ଦିନ ପ୍ରତି ଦିନ ।
ପ୍ରୟୋଗ ପ୍ରଯୁକ୍ତି ଯୋଗେ ବଳୀୟାନ
ଅବିଦ୍ୟା ଜଡ଼ ସଂଯୋଗ
ଜୀବନକୁ କରେ ପ୍ରାଣହୀନ ,
ପ୍ରକୃତ ଜୀବନ ଲକ୍ଷ୍ୟ
ପ୍ରମାଦେ ଭ୍ରମିତ ହୁଏ
ଅସମ୍ଭବ ଅଟେ ସମାଧାନ ।
ପ୍ରାସାଦ ବହୁତଳ, ଚାକଚକ୍ୟ
ଆରାମଦାୟକ ଶୈଳୀ ଲାଗେ ସତେ
ମୂଲାୟାମ ଜୀବନଟା
ଫୁଲସେଜ ତୁଲ୍ୟ ,
ଜାତି ଜାତି ଗାଡ଼ି ଘୋଡା କ୍ଷମତା ମୁନାଫା
କଳାଧୂଆଁ ଆମୋଦପ୍ରମୋଦ ଭିଡ଼
ପରିଣତି
ଅଜ୍ଞାତ ଅକାଳ,
ଅନିବାର୍ଯ୍ୟ ଅନ୍ଧକାର ପତନ ଗହ୍ୱର ।
ମନ ଏକ ଅନ୍ତଃ କୀଟ
ଉତ୍ ଫୁଲ୍ଲିତ ତା ଉଡ଼ାଣ ନିଶା
କିନ୍ତୁ ଅନିଶ୍ଚିତ ଅଦୃଷ୍ଟର ଗତି,
ବରଷା ଝଡ଼ି କୁ ଦେଖି
ବ୍ୟାକୁଳିତ ହୁଏ କୀଟ
ଝାଡିବାକୁ ପ୍ରାଣ ଝୀନ ପଖି ।
ସତ୍ୟ ଶିବ ସୁନ୍ଦର ଜୀବନ
ସ୍ନେହ ପ୍ରେମ କରୁଣାର ଅମୃତ ପ୍ରବାହ,
ଅସାର ସଂସାର ଟାରେ ଅସରନ୍ତି
ଜଡ଼ ମାୟା ମୋହ ,
ବିସ୍ମରୁଛି ଏ ମଣିଷ ଚିରନ୍ତନ
ତା ଆନନ୍ଦ ନିଦାନ,
ବିତ୍ତ ବସ୍ତୁ ଧନଲାଭେ ମଣୁଛି ନିଜକୁ ଶ୍ରେଷ୍ଠ
ସିଏ ବଡ଼ ଭାଗ୍ୟବାନ ।
ସୂତ୍ର ସରଳ ହେଉ ବା ଜଟିଳ,
ଜୀବନ ତ ସ୍ୱତନ୍ତ୍ର ଏକକ
ସବିଶେଷ ଆଧାର ନିଶ୍ଚିତ ।
ସୀମାହୀନ ଅନୁଲୋମ ବିଲୋମର
ଏତେସବୁ ସୁଖଦାୟୀ ଆକୃତି ବିନ୍ୟାସ,
ସମାଧାନ ଅସହଜ
ପ୍ରତିଘାତ ଗଣିତ ଅସ୍ପଷ୍ଟ ,
ସ୍ଥିତି ଅଟେ ବିକଟ ସଙ୍କଟ ।
କର୍ତ୍ତବ୍ୟ କର୍ମେ ହିଁ ନିହିତ ଫଳ
ଜୀବନ ଅନ୍ତିମ ଘାତ ପରିଣାମ
ହୁଏତ ସବିଶେଷ,ନତୁବା
ଘାତମୂଳ ଅବଶେଷ
ଶେଷ ନିର୍ବିଶେଷ ।
