ଶୁଣ ଆହେ ଜଗନ୍ନାଥ
ଶୁଣ ଆହେ ଜଗନ୍ନାଥ


ଆହେ ଜଗନ୍ନାଥ ଡାକେ ଆଜି ଭକ୍ତ
ଶୁଣନି କିମ୍ପା ମଉନ
ତୁମ୍ଭେ ନ ଶୁଣିଲେ କାହାକୁ ଡାକିବୁ
ଆହେ ଆରତ ନାଶନ ॥ ୦॥
ଆତଙ୍କ ନାଶନ ବାନା ଉଡାଉଛ
ଆତଙ୍କ ନାଶିଛ ବୋଲି
ସାରା ଜଗତକୁ ଗ୍ରାସିଛି ଆତଙ୍କ
ଚକାଆଖି ଦେଖେ ଖାଲି
ଆଉ କେତେ ଧୈର୍ଯ୍ୟ ପରୀକ୍ଷା କରୁଛ
ହୋଇନିକି ଇଚ୍ଛା ପୂର୍ଣ୍ଣ ॥
ଆହେ ଜଗନ୍ନାଥ...... ..॥ ୧॥
କି ସୁନ୍ଦର ସୃଷ୍ଟି ଦେଇଅଛ ଭେଟି
ହେଲାଣି ଆଜି ଶ୍ରୀହୀନ
ବୁଦ୍ଧିମାନ ପ୍ରାଣୀ ଏ ମାନବ ଶ୍ରେଣୀ
ହୁଏ ଆଜି ହୀନିମାନ
ତୁମ୍ଭ ଚକାଆଖି ପାରୁନିକି ଦେଖି
ମଣିଷର ଏ ଦୁର୍ଦ୍ଦିନ ॥
ଆହେ ଜଗନ୍ନାଥ...... ..॥୨॥
ଘର ପରିବାର ସଖା ସହୋଦର
ସବୁ ତୁମ୍ଭରି ଭିଆଣ
ମହାମାରୀ ଭୟେ ସମସ୍ତ ସମ୍ପର୍କ
ହୋଇଅଛି ଆଜି ଛିନ୍ନ
ବାପ ଶବ ମୁହେଁ ନିଆଁ ଦେବା ପାଇଁ
ପୁଅକୁ ହୁଏ ବାରଣ
ଆହେ ଜଗନ୍ନାଥ...... ..॥୩॥
ନେଇ ଅବତାର କରିଛ ଉଦ୍ଧାର
ଯୁଗେ ଯୁଗେ ଏ ଜଗତ
ତୁମରି ରଚନା ଭାଙ୍ଗି ହେବ ଚୂନା
ନ କରିଲେ ହେପାଜତ
ଦୋଷ ଥିଲେ କ୍ଷମା କର ହେ ମଣିମା
ଜଗତ ମାଗେ ଶରଣ ॥
ଆହେ ଜଗନ୍ନାଥ...... ..॥୪॥