ଶଶୀ
ଶଶୀ
1 min
442
ଆହା କି ସୁନ୍ଦର ଶଶାଙ୍କ ପ୍ରବର
ହସୁଥାଏ ତାରା ମେଳେ,
ଶୁଭ୍ର ଫର ଫର ରୂପେଲି କିରଣ
ନିତ୍ୟ ଖେଳେ ଧରା ତଳେ।
ନଳିନୀ ଗରଭେ ନଳନି ହସଇ
ପ୍ରେମ ସୁଧା ନିଧି ପାଇ,
ପୁଲକିତ ହୁଏ ତାହାରି ଶ୍ରୀଅଙ୍ଗ
ଶଶୀ ଦିଏ ଯେବେ ଛୁଇଁ।
ଆକାଶେ ଦେଖାଇ ଜହ୍ନ ମାମୁଁ ମାଆ
ଗୀତ ଗାଉଥାଏ ବସି,
ଆ ଜହ୍ନ ମାମୁଁ ସରଗ ଶଶୀରେ
ମୋ କାହ୍ନୁ ହାତକୁ ଖସି।
ଆହା କି ସୁନ୍ଦର ତା ର କଣ୍ଠ ସ୍ୱର
ମନ ହୁଏ ପୁଲକିତ,
ଆସଲୋ ବଉଳ ସାଙ୍ଗସାଥି ମେଳେ
ଶୁଣିବା ତାହାରି ଗୀତ।
କଳଙ୍କକୁ ନାଇ ନିଷ୍କଳଙ୍କ ହୋଇ
ନିତି ହସେ ତାରା ମେଳେ,
ଦୁଃଖରେ ଥାଇ ବି ହସିବା ଶିଖାଏ
ଶଶୀ ଏଠି କାଳେ କାଳେ।
