ଶରତ ବର୍ଣ୍ଣନା
ଶରତ ବର୍ଣ୍ଣନା
ଅଶିଣର ଚନ୍ଦ୍ର ଝରାଉଛି ଜ୍ୟୋତ୍ସ୍ନା
ଶରଦ୍ କାଳ ଉପଗତ
ପ୍ରିୟତମ ପ୍ରୀତି ଚନ୍ଦ୍ରିକା ପରଶେ
କୁମୁଦିନୀ ଆନନ୍ଦିତ ॥
ଫୁଟିଛି ଶେଫାଳି ଉପବନସ୍ଥଳୀ
ମହକାଏ ପରିବେଶ
ରୂପର ପସରା ମେଲି କାଶତଣ୍ଡୀ
ହୋଇଛି ଶୃଙ୍ଗାର ବେଶ ॥
ଶରତ ସମୀର ବହେ ଧୀର ଧୀର
ଶୀତଳ ପୁଷ୍ପ ପରଶେ
ନାହିଁ ମେଘମାଳ ଦିଗ ନିରିମଳ
ଅତି ମନୋହର ଦିଶେ ॥
ସରସୀର ଜଳ ଦିଶଇ ନିର୍ମଳ
ଜଳେ ଫୁଟିଛି କମଳ
ଆନନ୍ଦରେ ଜଳ ମଧ୍ୟେ କ୍ରୀଡାରତ
ଉନ୍ମତ୍ତ ହଂସ ଯୁଗଳ ॥
ନାନା ଜାତି ଫୁଲେ ସଜେଇ ହୋଇଛି
ଆଜି ଏ ପ୍ରକୃତି ରାଣୀ
ସତେ କି ଗଭାରେ ଫୁଲର ଗଜରା
ପିନ୍ଧିଛି ଯତନେ ଆଣି ॥
ଏ ଶରତ କାଳେ ଜଳଦର କୋଳେ
ଇନ୍ଦ୍ରଧନୁ ଦିଶେ ନାହିଁ
ଅଶିଣ ଆକାଶେ ବିଦ୍ୟୁତ୍ ଲତିକା
ଖେଳେନାହିଁ ରହି ରହି ॥
ଏକାଳେ ବଗୁଲୀ ପକ୍ଷଯୁଗ ମେଲି
ଉଡନ୍ତିନି ନଭଦେଶେ
ନାଚନ୍ତିନି କେକୀ ଉର୍ଦ୍ଧ୍ୱକୁ ନିରେଖି
ନପାଇ ମେଘ ଆକାଶେ ॥
ଫୁଟିଛି ବଧୁଲି ରଙ୍ଗ ତାର ନାଲି
ଦିଶେ ଅତି ମନୋହର
ପ୍ରିୟାର ଅଧର ପରି ରଙ୍ଗ ତା'ର
ଦେଖି ବିରହୀ ଅଧୀର ॥
ଶରତ ସୁନ୍ଦରୀ ରୂପ ମନୋହରୀ
ବିକଚକମଳ ବକ୍ତ୍ର
ନେତ୍ର ନୀଳୋତ୍ପଳ କୁମୁଦ ଧବଳ
କାନ୍ତି ନବ କାଶବସ୍ତ୍ର ॥
ସ୍ୱାଗତ ଶରତ କରେ ଏ ଜଗତ
ଆସୁଥାଅ ପ୍ରତି ବର୍ଷ
ସବୁରି ମନରେ ଭରିଦେଇ ଯାଅ
ମଧୁର ହର୍ଷ ଉଲ୍ଲାସ ॥