ଶୀତ ରାତି
ଶୀତ ରାତି
ହିମ ଝଡ ଝରେ ଝାଇଁ ଝାଇଁ କରି
ଶୀତ ମାରୁଛି ଆହୁଲା,
ଥରି ବୋଲେ ଦେହ ଠାଇ ଠାଇ କରି
ଶୀତ ଯେବେ ପହଂଚିଲା ।
ଶୀତୁଆ ବାଆ ଯେ କୁହୁଡି ସାଙ୍ଗକୁ
ଦିଶେ ନାହିଁ ପାଖୁ ମୁହଁ,
ରଜନୀ ରାଣୀର ଅଳସୀ ଚାହାଣି
କାଲୁଆ କରୁଛି ଦେହ ।
ମଗୁଶୁର ସାଥେ ମାଆ ଲଷ୍ମୀପ୍ରିୟା
ଗୃହେ କରନ୍ତି ପ୍ରବେଶ,
ଚାଷୀ ଭାଇ ତାର କ୍ଷେତକୁ ଅମଳି
ଖାଇବ ଗୋଟା ବରଷ ।
ପଉଷ ମାସ ଯେ ଚାହିଁ ରହିଛନ୍ତି
କରିବେ ପୁଷ ପୁନେଇଁ,
ପଶ୍ଚିମ ଓଡିଶା ଦୁଲୁକିବ ପୁଣି
ସଲାଣି ତୋ ନୁଆଁଖାଇ ।
ମାଘ ଯେ ପରବ ମେଲାଣି ଆଣିବ
ମାଘ ସପ୍ତମୀଙ୍କୁ ନେଇ,
ଶୀତେ ଥର ଥର ଯାତରା ଜମିବ
ବୁଲୁଥିବେ ସାଥୀ ହୋଇ ।
ମକର ସଂକ୍ରାନ୍ତି ତହୁଁ ପହଂଚିବ
ବୁଡ଼ ଦେବା ତୁଠେ ଯାଇ,
ନିଆଁ ହୋଲ ଜାଳି ମକର ପାଳିବା
ଖୋଳ କୀର୍ତ୍ତନ ବଜେଇ ।
ଶୀତ ଅନୁଭୂତି କମ୍ବଳ ସ୍ଵେଟର
ଶାଲ କନ୍ଥା ଶୀତ ବସ୍ତ୍ର,
ଗଣ୍ଡି ଖୁଣ୍ଟା ଦେଇ ଅନ୍ତରା ଜଳିବ
ମାରିବାକୁ ଦେହୁ ଶୀତ ।
ଧାନ ପାଳ ଗଦା ଠିଆ ହୋଇଥିବ
ଦିଶୁଥିବ ଐରାବତ,
ଚାଷୀ ଛାଇଁଥିବ ନଡ଼ା ଛପରରେ
ଘର ଲାଗୁଥିବ ଛାତ ।
ଆହା ଶୀତ ରାତି ଲାଗେ ମଧୁରାତି
ସାଥେ ଯଦି ଥାଏ ସାଥୀ,
ବରଫ ପର୍ବତେ ଲାଗିଯାଏ ନିଆଁ
ବଢିଯାଏ ଦେହ ତାତି ।
