ଶେଷ ଯାତ୍ରା
ଶେଷ ଯାତ୍ରା
ଜନନୀ ଜଠରୁ ମଶାଣିର ଯାଏ
ଜୀବନର ଚଲାପଥ
କିଏ ଜାଣେ କେବେ ଅବରୋଧ ହେବ
କା' ଜୀବନ ଗତିପଥ ।
ପାଞ୍ଚ କି ପଚାଶ ଜୀବନର ସ୍ରୋତ
ଏ ପରା ନିୟତି ଖେଳ
ମୁତ୍ୟୁର ପଥକୁ କେବା ରୋକି ପାରେ
ନାହିଁ ତା'ର କାଳବେଳ ।
ଡ଼ାକରା ଆସିଲେ ସେପୁରରୁ ଥରେ
ପଞ୍ଚେନ୍ଦ୍ରିୟ ହୁଏ ବଣା
ସଞ୍ଚିତ ଦରବ ସବୁ ହେବ ପର
କର୍ମଫଳ ଶ୍ରେଷ୍ଠେ ଗଣା ।
ଜ୍ଞାତି ପରିଜନ ସମ୍ପର୍କର ଅନ୍ତ
ଶେଷ ନିଶ୍ଵାସର ସାଥେ
ଅରଜିବା ପାପ ପୂଣ୍ୟ ସାଥୀ ହେବେ
ଜୀବନର ଶେଷ ପଥେ ।
କାହିଁକିରେ ମନ ପାପ ଅରଜୁଛୁ
କଳୁଷେ ପତିତ ହୋଇ
ବୁଝିପାରି ନାହୁଁ ଶାଶ୍ଵତ ସତ୍ଯକୁ
ମାୟାରେ ଆଚ୍ଛନ୍ନ ଥାଇ ।
ଯେଉଁ କଳେବର ପାଇଁ ଏତେ ନାଟ
ତୂଳୀତଳ୍ପ ଶେଯ ଲୋଡ଼ା
ସେହି ଶରୀରର ନକ୍ସା ବଦଳିଲେ
ସବୁ ହୋଇବ ଅଲୋଡ଼ା ।
ଲୋଡ଼ା ହେବ ଖାଲି ଛଅ ଖଣ୍ଡି କାଷ୍ଠ
ଶେଷ ଶଯ୍ୟା ପାଇଁ ତୋ'ର
ଶ୍ମଶାନ ଭୂଇଁରେ ଜଳିଗଲା ପରେ
ସବୁ ହୋଇଯିବେ ପର ।
ଆତ୍ମା ପକ୍ଷୀ ତୋ'ର ଚାଲିଯିବ ଉଡ଼ି
ବନ୍ଧନକୁ କରି ଚ୍ଛିନ୍ନ
ପରମ ସତ୍ୟ ଯେ' ତୋ' ମୂଳ ଆଧାର
ସେ ପୟରେ ହେବ ଲୀନ ।
