ଶବ୍ଦ
ଶବ୍ଦ
ଅନୁଭୂତିର ଅଳିନ୍ଦରୁ
ସୃତିର ସରହଦ୍ ତଳୁ
ଗୋଟେ ଖାପଛଡ଼ା ଶବ୍ଦ
ଆସେ ସମନ୍ୟ୍ଦକ ମଣି ପରି
ସେ ଶବ୍ଦରେ ମଗ୍ନ ହେଲେ
ଶବ୍ଦ ବ୍ରହ୍ମ ଦିଅନ୍ତି
ଶବ୍ଦର ଅକ୍ଷୟ ତୁଣୀର
ଯାହାକୁ ପାଥେୟ କରି
କବି ଲେଖିଚାଲେ
ଫର୍ଦ୍ଦ ଫର୍ଦ୍ଦ କବିତା
ଫର୍ଦ୍ଦ ଫର୍ଦ୍ଦ ସାହିତ୍ୟ
ମାଟି ଲଗ୍ନା ସେ ଶବ୍ଦରେ
ବହୁ ବର୍ଷା ପ୍ରୀତିର ଅପୂର୍ବ ଝଙ୍କାର
କଳ୍ପନା ପ୍ରବଣତା ଓ ଭାବ ମାଧୁର୍ଯ୍ୟରେ
ଅଳଙ୍କୃତ ସେ ନିରୁତା ସାହିତ୍ୟ
ହୋଇପାରେ ସେ ଏକ ସରଙ୍ଗ ଶାୟରୀ
ଅବା ପ୍ରୀତିଲଗ୍ନା ପ୍ରେମ କବିତା
କିମ୍ବା ବୁଦ୍ଧିଦୀପ୍ତ - ଭାବଗର୍ଭକ ସମାଲୋଚନା
ଶୀତୁଆ ସକାଳରେ
ଧୂମାୟିତ ଚା’ କପରେ ଚୁମକ୍ ଦେଇ
ମଜି ଯାଇଥିବା ବେଶ୍ ଏକ ମଜାଦାର ଗପ
ଅବୋଲକରା କାହାଣୀଠାରୁ ପ୍ରୀତିପ୍ରଦ
ମନୋରଞ୍ଜକ ସେ ସୃଷ୍ଟି କଳା
ଶବ୍ଦବ୍ରହ୍ମ ପୁଣି ନିନାଦିତ
ଝରି ଆସିବା ପାଇଁ
ଏକ ଶ୍ରାବଣୀ କବିତାରେ
ସେ ଅପରୂପା ସୌନ୍ଦର୍ଯ୍ୟ ବର୍ଷା
କବି - ଶବ୍ଦକୁ ସାଇତି ରଖୁବା ପାଇଁ
ସତତ ଚେଷ୍ଟିତ
ଥରେ ମଗଜରୁ ଗଲେ ଗଲା
ସୁତରାଂ ଯେବେ ଯେଉଁ ଶବ୍ଦ
ଆସୁଛି ଚେତନାକୁ
ତାକୁ ଆସ୍ତରିତ କରି ନିଅ
ସୃତିର ମାୟା ଦର୍ପଣରେ
କ୍ରମଶଃ ଗଜୁରି ଆସୁଥିବା କେଶରେ
ତାକୁ ଯୋଡ଼ିଦିଅ ଏକ ଫୁଲମାଳରେ
ଦର୍ପଣ ଦେଖୁ ଦାଢ଼ୀ କାଟୁ କାଟୁ ବି
ଶବ୍ଦ ମସ୍ତକ ଦିଏ ଦରଜାରେ
ସେ ଶବ୍ଦକୁ ସାଉଁଟି ଆଣି
ବାଣ୍ଟି ଯାଅ ଚିନ୍ତା ଓ ଚେତନାର
ଏକ ମହାକାବ୍ୟରେ
ଚିନ୍ତାର ବନାନୀରେ ନୂତନ କାକଳୀଟିଏ
ଆହ୍ୱାନ ଦେଇ ସାହିତ୍ୟ ଜଗତକୁ
ଜାରି କରି ନିଜର ଉପସ୍ଥିତି
ଆତ୍ମୋପଲବ୍ଧିର ଏହି ବୌଦ୍ଧ ବେଳାରେ
ସମୟ ସ୍ଥିର ହୋଇଯାଉ ରସୋତ୍ତୀର୍ଣ୍ଣ
ଏକ ଅନନ୍ୟ କବିତାରେ
