ଶବଦ ଭେଳିକି-୧
ଶବଦ ଭେଳିକି-୧
ଫରଫର ଉଡେ ଜାତୀୟ ପତାକା
କଟକଟ ଶୁଭେ ଦୋଳି
କିଟିକିଟି ଦିଶେ କାଳିଆ ଅନ୍ଧାର
ଭଲ ଲାଗେ ବାରି କୋଳି।
କଳକଳ ନାଦେ ବହୁଛି ନିର୍ଝର
ଥିରିଥିରି ପାଦ ଥାପି
ଫିରିଫିରି ହୋଇ ବରଷା ଝରୁଛି
ବାଟ ଚାଲ ହାତେ ମାପି।
ଧପଧପ ହୋଇ ନିଆଁ ଲିଭି ଆସେ
ଦୁକୁଦୁକୁ ହୁଏ ଛାତି
ରତରତ ବେଳ ପକ୍ଷୀ ମାଳମାଳ
ଆମେ ଅଟୁ ବୀର ଜାତି।
ହସହସ ତା'ର ସୁନ୍ଦର ବଦନ
ଲାଜଲାଜ ବେନି ଆଖି
ମଲମଲ ଦିଶେ ତନୁର ଢାଙ୍କୁଣି
ଜଗା ପରା ଆମ ସାକ୍ଷୀ।
ନକନକ ହୁଏ ପତଳା ବାଉଁଶ
ମଟମଟ ଭାଙ୍ଗେ ଡାଳ
ମ୍ଯାଉଁମ୍ଯାଉଁ ଡାକେ ବିଲେଇ ମାଉସୀ
ଜଙ୍ଗଲ ଯୋଗାଏ ଜାଳ।
ଠୁକୁଠୁକୁ ଚାଲେ କୁନି ପିଲାଟିଏ
ହସ୍ତେ ଧରି ମାଆ କାନି
ଟିକ୍ ଟିକ୍ ଶୁଭେ ଘଡିର ଶବଦ
ଚଳିବା ନିୟମ ମାନି।
କା' କା' ଡାକି ଡାଳରେ ବାୟସ
ଡଗଡଗ ବଗ ଚାଲି
ଡିବିଡିବି ଶୁଭେ ଡମ୍ବରୁ ଶବଦ
ସରୁ ଅଟେ ନଈ ବାଲି।
