STORYMIRROR

Satyabrata Ojha

Others

3  

Satyabrata Ojha

Others

ସ୍ବର୍ଣ୍ଣହାର

ସ୍ବର୍ଣ୍ଣହାର

1 min
649



କିଏ ଦେଲା ସ୍ୱର୍ଣ୍ଣହାର? ଗିରିବରେ ଉପହାର,

ଆହାଃ, କି ସୁନ୍ଦର ଦିଶେ ଗ୍ରୀବାରେ ତାହାର!


ପିନ୍ଧି ସେହି ସ୍ବର୍ଣ୍ଣହାର, ଲାଗୁଛି ସେ କି ସୁନ୍ଦର!

ବଢିଗଲା ଶୋଭା ତାର ଗୁଣରେ ହଜାର।


ଆସିଲା ଯେବେ ଉଷସୀ, ଆଖି ଉଠିଲା ଝଲସି,

ବଢିଗଲା ଔଜ୍ୱଲ୍ୟତା ସେ ସ୍ବର୍ଣ୍ଣହାରର।


ଦେଖଣାହାରୀ ନୟନ ଖୋଜେନା ଆକାଶେ ଜହ୍ନ,

ଲାଗଇ ରୂପାଜହ୍ନଠୁଁ ସେ ସ୍ୱର୍ଣ୍ଣ ସୁନ୍ଦର।


ପଡେ ଯେବେ ସୂର୍ଯ୍ୟାଲୋକ, ହରାଏ ସେ ତା ଚମକ,

ମଳିନ ସୁବର୍ଣ୍ଣ ଦେଖି ହଜେ ଦର୍ଶକ ପୁଲକ।


ଆଲୋକେ ଦିଶେ ମଳିନ, ଅନ୍ଧାରେ କି ଶୋଭାବନ!

କିଏ ସେ ଗଢିଲା ତାକୁ? ଇଏ କି ସୁବର୍ଣ୍ଣ!


ବିପରୀତ ଧର୍ମ ଦେଇ କିଏ ସେ ଗଢ଼ିଲା ବିହି,

କିଏ ସେ ବିନ୍ଧାଣୀ? ସେହି କିଏ ସ୍ଵର୍ଣକାର?


ଦେଖଣାହାରୀର ମନ ଖୋଜେ ୟାର ସମାଧାନ,

ସୁନାର ଅଟେ ଏ ହାର ଅବା ହୀରକର?


ଯଦି ଏ ହାର ସୁନାର, ଇଏ କି ଗୁଣ ଏହାର,

ଆଲୋକେ ହଜେ ତା ଶୋଭା, ଝଲସେ ହେଲେ ଅନ୍ଧାର।


ଯଦି ଏ ହୀରକ ହାର କାହିଁକି ପୀତ ବର୍ଣ୍ଣର?

ଦେଇକି ପାରିବ କେହି ଉତ୍ତର ଏହାର?


ଧୀରେ ଧୀରେ ସ୍ବର୍ଣ୍ଣହାର ବଢାଏ ତା କଳେବର,

ବିସ୍ତାରି ଯାଏ ସେ ପୁଣି ସାରା ଗିରିବର।


କିଏ ସେହି ସ୍ବର୍ଣ୍ଣକାର? ଗଢିଲା ଏ ସ୍ବର୍ଣ୍ଣହାର,

କେତେ କେତେ ଗୁଣ ଭରି ଅନ୍ତରେ ଏହାର !


ସତେକି ସ୍ୱର୍ଣ୍ଣ ଜଳୁଛି, ଧୁଆଁର ଧାର ଛୁଟୁଛି,

ଧୁଆଁମୟ ଦିଶେ ସାରା ନଭ ପାହାଡର।


ଝରି ଆସିଲେ ବରଷା, ହଜେ ସେ ହାର ସହସା,

ସବୁ ସୌନ୍ଧର୍ଯ୍ୟ ତା'ର ଉଭାଏ ସତ୍ତ୍ୱର।


ଯେତେବି ଖୋଜିଲେ ଆଖି, ନ ଥାଏ ଯେ କିଛି ବାକି,

ସବୁଜ ଗିରିବରଟା ଲାଗଇ ଧୂସର।


କହିଗଲା କେହିଜଣେ ସୁନା କି ହୀରା ଏ ନୁହେଁ,

ଜଳୁଥିଲା କାଲି ପୁଣି ଦୂର ଗିରିବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍