ଶେଷ ଯୁଦ୍ଧକ୍ଷେତ୍ର
ଶେଷ ଯୁଦ୍ଧକ୍ଷେତ୍ର
ମୁଠାଏ ମାଟି ଉଠାଇ ଆଣି ଦେଖ
କରୁଣ ଇତିହାସର କଥା କହୁଥିବ
ମାଟିକୁ ଚିପୁଡି ଦେଖ ସ୍ବାଧୀନତାର
ରକ୍ତ ହାତ ପାତୁଲିରୁ ଝରି ପଡୁଥିବ
ତିଳକ କରି କପାଳରେ ପିନ୍ଧି ନିଅ
ଦେଶପ୍ରେମର ନିରୁତା ବାସ୍ନାରେ
ଦେହ ଓ ମନ ଭିଜି ମହକୁଥିବ।
ସେ ମାଟିରେ ଠିଆ ହୋଇ ଦେଖ,
ଦିଶିବ ସ୍ବାଧୀନତା ସୂର୍ଯ୍ୟାସ୍ତ ରଂଗର
ଛବି। ଯେଉଁ ଦିନ ସ୍ବାଧୀନ ରାଜ୍ୟ
ଓଡ଼ିଶାର ଭାଗ୍ୟ ବୁଡିଗଲା ଶହଶହ
ବର୍ଷ ଯାଏ ପରାଧୀନ ଅନ୍ଧାରରେ।
ହଜିଗଲା ସାମରିକ ପରମ୍ପରା ଓ
ଅସ୍ମିତା। ଆତ୍ମଗ୍ଳାନି ଭରିଗଲା
ବୀର ଓଡ଼ିଆ ଜାତି ପ୍ରାଣରେ।
ସେ ମାଟି " ଅନ୍ୟ ଏକ କୁରୁକ୍ଷେତ୍ର "
ସ୍ବାଧୀନ ଓଡ଼ିଶାର ଶେଷ ଯୁଦ୍ଧକ୍ଷେତ୍ର।
ଆଜି ବି ଗମ୍ଭୀର ମୁଦ୍ରାରେ ଅବନତ।
ଜିଇ ରହିଛି ଇତିହାସର ସାକ୍ଷୀହୋଇ
ଯୁଦ୍ଧ କ୍ଷେତ୍ରର ସଙ୍କୁଚିତ ଅବଶେଷ ।
ମଝି ଭାଗରେ ରହିଛି " ଆଲାମ ଚାନ୍ଦ "
ପୋଖରି, ଯାହା ଭିତରେ ଦିଶୁଥିବ
ବୁଡି ରହିଥିବା ଛୋଟ ମନ୍ଦିର ଚୂଡା ।
ପୋଖରୀ ପାଖରେ ପୁରାତନ ଅର୍ଜୁନ
ଗଛ, ପୂଜା ପାଉଛନ୍ତି ବଜରଙ୍ଗବାଲି,
ରହିଛି ରାଜା ମୁକୁନ୍ଦ ଦେବଙ୍କ ପ୍ରତିମୂର୍ତ୍ତି।
ଚଉଦିଗେ ଲମ୍ବିଛି ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ର,
ପାଖରେ ଗୋହିରାଟିକିରି ନାମ୍ନୀ ଜନପଦ,
ସିଦ୍ଧ ପୁରୁଷଙ୍କ ଆଶ୍ରମ ଓ ଅନ୍ୟ ଗାଁଗଣ୍ଡା।
ଇତିହାସ ପୃଷ୍ଠା ଓଲଟାଇ ଦେଖ, ଦିଶିବ
ବିଧର୍ମୀ କଳାପାହାଡ଼ର ପ୍ରଚଣ୍ଡ ଆକ୍ରମଣ ,
ଗୃହଭେଦୀ ଷଡଯନ୍ତ୍ରର ଶିକାର ହୋଇ
ଯୁଦ୍ଧଭୂମିରେ ଲଢି ନିହତ ହୋଇଥିଲେ
ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବ।
କେତେ ରକ୍ତ ବୋହିଥିଲା ଏ ମାଟିରେ
'ଶକୁନି' ବିଛାଇଥିବା ମାୟାଜାଲରେ !!
କେମିତି ଭୁଲିବ କୁହ "ଗୋହିରା ଟିକିରି"
୧୫୬୮ ମସିହାର ସେ କଳଙ୍କିତ ଦିନ !!
କେମିତି ଭୁଲିବ ବିଶ୍ବାସଘାତୀ ରାମଚନ୍ଦ୍ର
ଭଞ୍ଜଙ୍କୁ, ଯାହାଙ୍କ ଯୋଗୁଁ ରକ୍ତରଞ୍ଜିତ
ହୋଇଥିଲା ଯୁଦ୍ଧକ୍ଷେତ୍ର ଓ ବୈତରଣୀ
ଶାଖା ଗେଙ୍ଗୁଟି ସଂଲଗ୍ନ ଅବବାହିକା !!
ସେଦିନ ପଥ ବଦଳାଇ ଥିଲା ଇତିହାସ,
ଭାଂଗି ପଡିଥିଲା ଦୁର୍ଦ୍ଦଶ ଓଡ଼ିଆ ଜାତିର
ମେରୁଦଣ୍ଡ, ସ୍ବତନ୍ତ୍ର ହିନ୍ଦୁ ରାଜ୍ୟର ପତନ।
ମାଡି ଆସିଥିଲା ଘୋର ଅମା ଅନ୍ଧକାର।
ଶାସନ ଗାଦି ମାଡି ବସିଥିଲେ ବଙ୍ଗର
କ୍ରୂର, ଅତ୍ୟାଚାରୀ ଆଫଗାନୀ ଶାସକ।
ଅନୁପ୍ରବେଶକାରୀଙ୍କ ବର୍ବର ଆକ୍ରମଣରେ
ଧ୍ବଂସ ପାଇଯାଇଥିଲା ବିଭିନ୍ନ ସ୍ଥାନର ବହୁ
ମନ୍ଦିର, ସ୍ଥାପତ୍ୟ ଓ କଳାସଂସ୍କୃତିର ଚିହ୍ନ।
ଦିନେ ଗଙ୍ଗାରୁ ଗୋଦାବରୀ ବିଜୟ ଧ୍ବଜା
ଉଡାଇଥିବା ଓଡ଼ିଆ ଜାତିର ଭବିଷ୍ୟତକୁ
ବଦଳାଇ ଦେଇଥିଲା ' ସମୟର ଗତିପଥ'।
ରାଜା ମୁକୁନ୍ଦଦେବ, ବିଧର୍ମୀ କଳାପାହାଡ଼,
ଗୃହଭେଦୀ ରାମଚନ୍ଦ୍ରଙ୍କୁ ନେଇ ଜିଇଥିବା
ଜନଶ୍ରୁତି କ୍ରମେ ହଜିଯିବାକୁ ବସିଲାଣି।
ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇ ମଧ୍ୟ
ଆଜି ନିଜ ଅସ୍ତିତ୍ବ ଓ ପରିଚୟ ଖୋଜୁଛି
" ମଧ୍ୟଯୁଗ ସ୍ବାଧୀନ ଓଡ଼ିଶାର
ଶେଷ ଯୁଦ୍ଧକ୍ଷେତ୍ର
ଗୋହିରା ଟିକିରି "।
ନା ଇତିହାସ ଵହିରେ
ଅଛି ବିସ୍ତୃତ ବିବରଣୀ, ନା ପଢାଯାଉଛି
ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କୁ ତା' କାହାଣୀ ।
ବିଭିନ୍ନ ମାଳିକା ଵଚନରେ ସ୍ଥାନ ନେଇଛି
ଗୋହିରା ଟିକିରିର ଅବିଶ୍ବସନୀୟ,
ବିସ୍ମୟକର "କଳିଯୁଗ " ଅନ୍ତର ବର୍ଣ୍ଣନା।
ଯାହା ଐତିହାସିକ ଯୁଦ୍ଧସ୍ଥଳୀର ସ୍ଥିତିକୁ
କରିଛି ରହସ୍ୟମୟ ଓ ପ୍ରହେଳିକାଚ୍ଛନ୍ନ।
ଇତିହାସକୁ ଭୁଲିଯିବାଠାରୁ ବଡ ବିଡ଼ମ୍ବନା
କିଛି ନାହିଁ, ସ୍ମରଣ କରାଉଛି ଅସୁରକ୍ଷିତ
ଯୁଦ୍ଧକ୍ଷେତ୍ରର କ୍ରମ ସଙ୍କୁଚିତ ପ୍ରତିରୂପ।
*******