ସାର୍ଥକ ସ୍ମୃତି
ସାର୍ଥକ ସ୍ମୃତି
1 min
2.0K
କାହା ପାଇଁ ସୁଖ ବାଣ୍ଟି ପାରୁନାହିଁ
ମୁଁ ନିଜେ ସୁଖରେ
ଅଛି କି କୁହ ।
ଦୁଃଖ ଏତେ ବେଶୀ, ରଖିବି କେଉଁଠି
ସେଇଥି ପାଇଁ ତ
ଗଡାଏ ଲୁହ !
ଲୁହ ଧାର ସତେ ହେଉନି ପରତେ
ଏତେ ନିରିମାଖୀ
ଏତେ କଅଁଳ ।
ଲୁଚିଯିବା ପାଇଁ ହଜିଯିବା ପାଇଁ
ଖୋଜୁଥାଏ ଖାଲି
ଆଖି ପରଲ ।
ତୁମେ ତ ଦେଖୁଛି ସାରା ଦୁନିଆଁକୁ
ସୁଖ ବାଣ୍ଟି ବାଣ୍ଟି
ଖୁସିରେ ରୁହ ।
କେମିତି ଜାଣିବି ତୁମରି ଭିତରେ
ଭରି ରହିଅଛି
ଅକୁହା କୋହ !
ସତରେ ହେ ବନ୍ଧୁ, ମଣିଷ ଜୀବନ
ସୁଖର ଦୁଃଖର
ଭଉଁରୀ ଖେଳ ।
ସୁଖ ସବୁ ଖାଲି ଆନକୁ ଦିଶଇ
ଦୁଃଖ ଭରି ଦିଏ
ଦୁଃଖୀର କୋଳ ।
ଦୁର୍ଲଭ ନୁହେଁ କି ସୁଲଭ ବି ନୁହେଁ
ମଣିଷ ଜୀବନ,
ଜୀବନ ଟିଏ ।
ମହା ସାଗରରେ ଭାସି ଯାଉଥିବା
ନାଉରି ମନର
ନଉକା ସିଏ ।
ଝଡ ବି ରହିଛି, ଉର୍ମି ଖେଳୁଅଛ
ଚାଲିଛି ନଉକା
ଢେଉ ଢେଉକା ।
ଯେମିତି ବାହିବି ସେମିତି ଚାଲିବ
ଜୀଇଁବି ନିଜର
ଜୀବନ ଏକା ।
ଦୁଃଖ ବି ଆସିବ ସୁଖ ବି ଆସିବ
ସପନ ଦେଖିବି
ସୁଖକୁ ନେଇ ।
ସପନେ ବଞ୍ଚିବି ସପନ ବାଣ୍ଟିବି
ସଂସାର ରଚିବି
ସପନ ନେଇ ।
ନିଜ ନିଜ ପାଇଁ ସୁଖର ସଂସାର
ସମସ୍ତେ ଖୋଜନ୍ତି
ଦୁନିଆଁ ରୀତି ।
ଅନ୍ୟର ସପନ ସଜେଇ ପାରିଲେ
ହେବ ମୋ'ଜନମ
ସାର୍ଥକ ସ୍ମୃତି ।