STORYMIRROR

Sanjukta Rout

Others

4  

Sanjukta Rout

Others

ସ୍ଵାଭିମାନୀ ଉତ୍କଳ ସନ୍ତାନ

ସ୍ଵାଭିମାନୀ ଉତ୍କଳ ସନ୍ତାନ

1 min
506


ବୀର ପ୍ରସବିନୀ ଉତ୍କଳ ଜନନୀ 

   ଗଙ୍ଗା ଠାରୁ ଗୋଦାବରୀ 

ଯଶ ଅଇଶ୍ଵର୍ଯ୍ୟ ହରାଇଣ ଆଜି 

   ହୋଇ ଅଛି ହତଶିରୀ  । 


ଚାଟୁକାରଙ୍କର ରାଟୁ ଶୁଭେ ଆଜି 

    କାହିଁ ଗଲେ କର୍ମବୀର 

ଜାତିର ଦୁର୍ଦ୍ଦିନ ଦିଶୁ ନାହିଁ କାରେ 

    ମାଳମାଳ ବାକ୍ଯବୀର  । 


ଜାତିର ସମ୍ମାନ ସର୍ବମୁଖେ ଆଜି 

   ସ୍ଲୋଗାନ ପାଲଟି ଅଛି

ଜନନୀ ରୋଦନ ଶୁଭେ ଘନ ଘନ 

    କର୍ଣ୍ଣପାତ କି ହେଉଛି  ?? 


ଜାତି କର୍ଣ୍ଣଧାର କାହିଁ ଗଲେ ହଜି 

   ଜାତି ଝୁରେ ଯାହା ପାଇଁ 

ତୋଷାମୋଦିଆଙ୍କ ସଂଖ୍ୟା ବଢ଼ି ଚାଲେ 

   ସ୍ଵାଭିମାନ ଆଜି କାହିଁ  । 


କୁକୁର ପ୍ରକୃତି ଅଇଁଠା ପତର 

  କେତେ ଦିନ ଏହା କୁହ 

ସର୍ବ ଜନେ ଯଦି ହେବେ ଏକା ମତି 

  କେ ପୋଛିବ କା'ର ଲୁହ ।


ଇତିହାସ ଯା'ର କରେ ଜୟଗାନ 

    ଆମ ଯେ ସେହି ବଂଶଜ 

ତାଙ୍କରି ଔରସୁ ଜାତ ହୋଇ ଆମେ 

    ସତେ କି ଏତେ ନିର୍ଲଜ୍ଜ  । 


ତନ୍ଦ୍ରା ତେଜି ସର୍ବେ ହୁଅ ଜାଗରିତ 

   ନିଜ ସ୍ଵାର୍ଥ ମୋହ ତୁଟୁ 

ସବୁରି ହୃଦୟେ ଜାତି ପ୍ରେମ ଭାବ 

  ଆପେ ଆପେ ଜାଗି ଉଠୁ  । 


ତୋଷାମଦ ଛାଡି ହୁଅ ସ୍ଵାଭିମାନୀ 

    ସାଜ ଜାତିର ପରାଣ 

ଜାତିର ଉନ୍ନତି ହେଉ ଆମ ନିତି 

    ଧର୍ମେ ଥାଉ ସଦା ମନ  । 


ମୁଖର ବଚନ ନହେଉ ଶାଣିତ 

   ସ୍ଵଭାବ ହେଉ ମାର୍ଜିତ 

ଜାତି ପ୍ରେମ ଧାର ଜାତିର ନିର୍ଝର 

   ପ୍ରାଣେ ହେଉ ପ୍ରବାହିତ  ।


 ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ

   ନୋହୁଁ କେବେ ଆମେ ଭୀରୁ 

କର୍ମ ପଥ ଧରି ଆଗେଇ ଯିବାରେ 

   ହୋଇ ନିଜେ ନିଜ ଗୁରୁ  ।

            

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍