ଋତୁ
ଋତୁ
ଆରମ୍ଭରେ ଋତୁଚକ୍ର ତାଣ୍ଡବର ଘଡ଼ି
ଝାଞ୍ଜି ବାଆକୁ ନିଦାଘ ଗ୍ରୀଷ୍ମର ଯୋଡ଼ି
ବୈଶାଖେ ଯେମିତି ଭାସ୍କର ଯାଇଛନ୍ତି ବିଗିଡ଼ି
ଜ୍ୟେଷ୍ଠର ସମୟକୁ ମଧ୍ୟ ରଖି ଦିଏ ଜାବୁଡ଼ି।
ଧିରେ ଧିରେ ନୂଆ ବୋହୂଟିଏ ପରି
ମୌସୁମୀ ପାଦ ଥାପି ଆସେ ଯେବେ ମାଡ଼ି
ଆଷାଢ଼େ ଲାଗିଯାଏ ତୁହାକୁ ତୁହା ବରଷା ଝଡ଼ି
ଧାରା ଶ୍ରାବଣରେ ବିଖ୍ୟାତ ଭୟଙ୍କରୀ ବଢ଼ି।
ଶାନ୍ତ ସ୍ଥିର ପରିବେଶ ଶସ୍ୟଶ୍ୟାମଳାପୂର୍ଣ୍ଣ
ତହୁଁ ଦେଖ ଶରତେ କାଶତଣ୍ଡୀର ଜନ୍ମ
ଭୋଦୁଅ ନୀଳାକାଶେ ଭସାମେଘ ସମ୍ଭାର
ଅଶିଣେ ଦେବୀ ଉପାସନାରେ ଲୀନ ସମଗ୍ର ସଂସାର।
ହିମମୟ ହେବାର ଆଦ୍ୟ ପର୍ବ ସେହି
ଋତୁଚକ୍ରେ ଉହ୍ୟ ହୋଇ ହେମନ୍ତ ବୋଲାଇ
ଜୀବ ଜଗତେ କିଛି ଘଡ଼ି ଦିବସ ଘଟିତ ହୁଅଇ
କାର୍ତ୍ତିକ ମାର୍ଗଶୀରେ ସମ୍ୟକ୍ ଶୀତଳ କରାଇ।
ଶିଶିର ବୁନ୍ଦା ଝରି ପଡ଼େ ସିନ୍ଦୂରା ଫିଟି
ଶୀତ ମାଉସୀ ଆସେ କାନିରେ ପକାଇ ଗଣ୍ଠି
ପୁଷ ଶୀତ ମାଘ ଗୀତ ଚାଷୀ କୁଳକୁ ହିତ
ଥରଥର ଅବସ୍ଥାରେ ଶୀତପୋଷାକ ଆଦୃତ।
ନାନା ରଙ୍ଗ ଭରି ପ୍ରକୃତିରେ ପୁଷ୍ପରାଜିର ସମ୍ଭାର
ଫାଲଗୁନ ଘେନି ଆଣେ ଫଲଗୁ ଆସର
କି ଗାଇବି ଗୁଣ ଆଉ ଚଇତି ବାଆର
ମୃଦୁ ମଳୟ ବିମୋହିତ ବସନ୍ତ ପ୍ରବର।
