ପୂଜା ଫୁଲ
ପୂଜା ଫୁଲ
(ମାତୃ ଦିବସର ଭକ୍ତିପୂତ ଅର୍ଘ୍ୟ)
“ପୂଜା ଫୁଲ”....
କେଉଁ ଫୁଲ ଦେଇ ପୂଜିବି ବୋଉକୁ
ନିଜେ ସେ ପୂଜାର ଫୁଲ,
ମନ ଫୁଲ ଦେଇ ପୂଜିଲେ ତାଙ୍କୁ ମୁଁ
ପାରିବି କି ଦେଇ ମୂଲ...?
ସେ ପରା ଶକ୍ତି, ସେ ପରା ମୁକ୍ତି
ଜଗତେ ସୃଷ୍ଟି ସେ ମହାନ,
ଦେହ ତୁଳସୀ ତା’ମନର ଆଳତୀ
ନିଜେ ନିଜ ପ୍ରତିଦାନ...|
କେଉଁ ଭକତିରେ ପୂଜିବି ମୁଁ ତାଙ୍କୁ
ସେ ଶ୍ରଦ୍ଧା, ଭକ୍ତି, ମୂର୍ତ୍ତି ମହିୟସୀ,
ସର୍ଵମସାହା ସେ ଜନନୀ ଜନ୍ମ ଭୂମିଶ୍ଚ
ସ୍ବର୍ଗାଦପି ଗରିୟସୀ... |
ରୁଧିର ବନ୍ୟାରେ ପହଁରି ଯେବେ ସେ
ପାରି ହେଲା ରକ୍ତ ନଈ,
ଅନ୍ତର ଅନଳ ଯନ୍ତ୍ରଣା କି’ସେ
ସହି ନାହିଁ କି ସେ ପାସୋରି ନାହିଁ...?
କି ମନ୍ତ୍ର ପଢ଼ିବି, କି ଦେଇ ପୂଜିବି
ସବୁ ମନ୍ତ୍ରେ ସେ ଅଭିମନ୍ତ୍ରୀତ,
ତା’ଧନ ସଙ୍ଖାଳି ମାତୃ ଦିବସରେ
ଗାଉଛି ଜୀବନ ସଂଗୀତ...|
ଜୀବନ ନୁହଁଇ କେବଳ ଯାହାର
ବର୍ଷ ମାସ ଦିନ ଦଣ୍ଡ,
ପୁରେ ଆମ ସେର, ପୁରେ ଆମ ମାଣ
ଆମ ଜୀବନର ମାନଦଣ୍ଡ...|
ବାୟା ଚଢେଇର ବସା ତା’ଦୁନିଆ
ପବନରେ ଖେଳେ ଦୋଳି
ଧୋ’ବାଇଆର ଗୀତର ଲହରୀ
ଯତନେ ପଣତ କାନି...|
ତା ‘କୋଳ କିଆରୀ ଗହଳ ମାଣ୍ଡିଆ
ସୋରିଷ ଫୁଲର କ୍ଷେତ,
ଅଳି ଅଝଟରେ ତା’ସ୍ନେହ ମମତା
ଅମୁଲ୍ୟ ତା’ବଳିଦାନ...|
ପୂଜା ଚନ୍ଦନରେ ପୂଜିଲେ ଯେତେବି
କିଏ ହେବ ସମତୁଲ...?
ତା’ହୃଦୟ ଅଗଣା ଚଉଁରା ମୂଳରେ
ସେ ପରା ସଂସାର ଫୁଲ...|
(ସେ ମା’, ତା ରୂପ ଅତୁଳନୀୟ, ତା ଶୋଭା ଅବର୍ଣ୍ଣନୀୟ, ଯେତେ ବଖାଣିଲେ ବି ଅସମ୍ପୂର୍ଣ୍ଣ |ଏ ରଚନା ଏକ ଧୃଷ୍ଟତା ମାତ୍ର; ଆଜିର ମାତୃ ଦିବସରେ ସବୁ ମା’ମାନଙ୍କ ଚରଣାବିନ୍ଦରେ ଏତିକି ବନ୍ଦନା)
[ଯା ଦେବୀ ସର୍ବ ଭୂତେଷୁ, ମାତୃ ରୁପେଣ ସଂସ୍ଥିତା,
ନମସ୍ତସୈ, ନମସ୍ତସୈ, ନମସ୍ତସୈ ନମୋ ନମଃ |]
