ପୁଷ ମାସ ।
ପୁଷ ମାସ ।
ଭାରି ଭଲ ଲାଗେ ପଉଷ ମାସ,
ସବୁରି ମୁଖରେ ଉକୁଟେ ହସ ।
ଧନୀଠୁ ଗରୀବ ଯାହାକୁ ଦେଖ,
କାହାର ଉପାସ ରହେନା ପେଟ ।
ହଳଦିଆ ରଙ୍ଗ ସୋରିଷ କ୍ଷେତ,
ହାତ ଠାରି ଡାକେ ଆସ ମୋ ମିତ ।
କାଲୁଆ ପବନ ଆସୁଛି ମାଡି,
ଝାଳଗରମକୁ ଦେଇଛି ତଡି ।
ଭାରି ଭଲ ଲାଗେ ଉଷୁମ ଶେଜ,
ଛାଡ଼ିବାକୁ ମନ ହୁଏ ନାରାଜ ।
ଖାଇବା ପାଇଁ କି ପରିବା ଯେତେ,
ବରଷକ ସାରା ମିଳେନା ଏତେ ।
ପାଳଙ୍ଗ, କୋଶଳା,ବଥୁଆ ଶାଗ,
ମେଥି ଶାଗ ସାଥେ କଲେଣି ବାଦ ।
ବାଡିରେ ବାଡ଼ିରେ ଫୁଲ ର ଶୋଭା,
ଗେଣ୍ଡୁଫୁଲ ସତେ କି ମନଲୋଭା ।
ଆହା କେତେ ମିଠା ଶୀତର ମଜା,
ଖରା କହେ ମତେ ଛାଡ଼ି ତୁ ନ ଯା ।
କାକରହକଳା ଘାସ ଗାଲିଚା,
ସୁରୁଜ ଉଇଁଲେ ଦିଶଇ ଫର୍ଚ୍ଚା ।
କାକରବିନ୍ଦୁରେ ସକାଳ ଖରା,
ପଡି ଲାଗେ ସତେ ମୁକୁତା ପରା ।
ଅମଳରେ ଲାଗି ପଡିଛି ଚାଷୀ,
ଘରଣୀ ତାହାର ଆହାଃ କି ଖୁସି ।
ଚା, ଜଳଖିଆ ପ୍ରସ୍ତୁତ କରି,
ହାତେଧରି ଯାଏ ସେ ଖଳାବାରି ।
ବାରିଆଡେ ଛୋଟ ପିଲାଙ୍କ ମେଳ,
ସାରାଦିନ ସେଠି କରନ୍ତି ଖେଳ ।
ପାଣ୍ଡୁର ଦିଶୁଛି ଜହ୍ନ ଆକାଶେ,
ନିଘା ନାହିଁ କାର ଆକାଶଦେଶେ ।
ସଞ ନବୁଡୁଣୁ ଘରକୁ ଫେରି,
ଶୀତ ଲୁଗା ହୋଇ ଦେହରେ ଘୋଡି ।
ଗରମ ମୁଢ଼ିରେ ଭାଙ୍ଗି ନଡ଼ିଆ,
ଖାଇବାକୁ ଲାଗେ ଭାରି ବଢିଆ ।
ଶାମ୍ବ ଦଶମୀ ର ବୁଢ଼ା ଚକୁଳି,
ଖାଇଛି ଯେ ଥରେ ପାରିନି ଭୁଲି ।
ଶୀତ ତୁମେ ସତେ ଆମରି ମିତ,
ଆମପାଇଁ ତୁମ ଦାନ ବହୁତ ।
ବରଷକ ସାରା ଖୋଜିଲେ ଆଉ,
ଏ ମଜା କି କେବେ ମିଳି ବ କାହୁଁ ?
