ପୁରିଯିବ ଓଡ଼ିଆଙ୍କ କାଳ
ପୁରିଯିବ ଓଡ଼ିଆଙ୍କ କାଳ
॥ ପୁରିଯିବ ଓଡିଆଙ୍କ କାଳ ॥
ଦେଖାହେଲା କାଲି ଅର୍ଦ୍ଧନଗ୍ନ ନାରୀ
ବିବସ୍ତ୍ର ଶରୀର ଚର୍ମ କଙ୍କାଳ
ପଚାରି ବସିଲି ପରିଚୟ ତାର
କଣ୍ଠ ରୁ ଶୁଭିଲା ସ୍ବର ଦୁର୍ବଳ ॥
ଓଡିଆ ଜାତିର ମାତୃ କହିପାର
ଏହା ଅଟେ ମୋର ନିଜ ଠିକଣା
ଅଲୋଡା ଅଖୋଜା ପରିଚୟ ମୋର
ନବ ପିଢୀ ପାଇଁ ମୁଁ ଯେ ଅଜଣା ॥
ପୁଣି ପଚାରିଲି ଏ କି ହେଲା ତୁମ
ଏପରି ଅବସ୍ଥା କଲା କିଏ
ଦୁଃଖ ହସ ମିଶା କଣ୍ଠ ରେ କହେସେ
ମୋ ନିଜ ସନ୍ତାନ ଆଉ କିଏ ? ॥
ଭାଷା ଖୋଜେ ଆଜି ନିଜ ପରିଚୟ
ପର ମାତୃପ୍ରେମେ ତୁମେ ବାଇ
ଜାଣିପାରନାହିଁ କାଚ କି କାଞ୍ଚନ
ଏ ଜାତି ଯେ ରସାତଳ ଯାଇ ॥
ପାଣି ଦୁଇ ଟୋପା ଖୋଜୁଅଛି ଭାଷା
ତୃଷାରେ ଯାଉଛି ପ୍ରାଣ ତାର
କବି ଲେଖକ ଯେ ଆତ୍ମଗର୍ବେ ବାଇ
ବିକ୍ରୀ ହୁଏ ପୁଣି ପ୍ରତିଭାର ॥
ନାହାନ୍ତି ସେ କବି ସମରାଟ ଭଞ
ନାହିଁ ଦାସ ଅବା ରାଧାନାଥ
ମାତୃଭୂମି ମାତୃଭାଷା ର ମମତା
ପାଇଁ ଲଢୁଥିଲେ ଅବିରତ ॥
ତେଣୁ ହେ ବାଳକ ହେଜ ମୋର କଥା
ଜାତି ଭାଷା ପ୍ରେମ ହୃଦେ ଜାଳ
ନହେଲେ ମୋ ସାଥେ ଅସ୍ଥିତ୍ବ ହଜିବ
ପୁରିଯିବ ଓଡିଆଙ୍କ କାଳ
ପୁରିଯିବ ଓଡିଆଙ୍କ କାଳ ॥
॥ ଜ୍ୟୋତିରଞନ ସାହୁ ॥
