ପ୍ରତାରଣା
ପ୍ରତାରଣା
ଫୁଟା ଚାଳଘରୁ ଦେଖିଦେଖି ଜହ୍ନକୁ
ଜହ୍ନ ଦିନେ ଓହ୍ଲାଇଲା ସତକୁ ସତ
ମୋ ଭଙ୍ଗା କୁଡିଆକୁ
ପାଖରେ ବସିଲା
କେତେ କଣ ଫୁସୁଲାଇଲା
ଚାଲ ଆମେ ମର୍ତ୍ତ୍ୟ ଛାଡି ସ୍ଵର୍ଗକୁ ଯିବା
ଡେଣା ଝାଡି ନୀଳ ଆକାଶେ ପହଁରିବା ।
ଉଡିବାର ନିଶାରେ ମଜଗୁଲ ମନ
ଭୁଲିଯାଇଥିଲା ଧୂସର ମାଟିକୁ
ନିଜ ରକ୍ତକୁ ନିଜେ ପିଇବାକୁ
ଭାରି ମଜା ଲାଗୁଥିଲା
ପାକୁଳି କରୁଥିଲି ଓଟ ସାଜି ସପ୍ତଫେଣୀକୁ ।
ମୋ ବିଶାଳ ବରଗଛ ଛାଇ ତଳେ
ଯୌବନର ଡହଡହ ବୈଶାଖରେ
ଥକାତୃଷ୍ଣା ମେଣ୍ଟାଇଲ ତୁମେ ମନଭରି
ରକ୍ତ ମାଂସ ଶୋଷିନେଲା ପରେ
ପଡିଥିଲି ମୁଁ ମଲା ନଈଟିଏ ପରି
ଦେବତା ଗଳାରେ ମଉଳା ବାସି ଫୁଲଟି ସାଜି
ଅପେକ୍ଷା କରିଥିଲି
ରାସ୍ତା କଡର ଅଳିଆ ଗଦାକୁ ।
ବୟସର କଳା ବାଦଲ ଗଲା ଯେବେ
ମୋ ଆକାଶେ ଘୋଟି
ତୁମେ ଉଡିଗଲ ମୋ ହାତ ପାହାନ୍ତାରୁ
ଅନେକ ଦୂର କେଉଁ ସ୍ଵପ୍ନ ରାଇଜକୁ
କହୁଥିଲ ଚୁପିଚୁପି ମୋ କାନେ କାନେ
ବାମନ ହୋଇ ଚାନ୍ଦକୁ ହାତ ବଢାଇବାଟା
ଥିଲା କାଳେ ମୋର ସଂପୂର୍ଣ୍ଣ
ନିର୍ବୋଧତା ଆଉ ବୋକାମି ।
ଶଶାଙ୍କ ଶେଖର ରାୟ