ପ୍ରେମ
ପ୍ରେମ
ପ୍ରେମ!
ପ୍ରେମ ଏକ ଅଛିଣ୍ଡା ହରଣ
ପ୍ରେମ ଏକ ଅସମାପ୍ତ ବିଶ୍ଳେଷଣ
ପ୍ରେମ କାହାପାଇଁ
ଅଳକାନନ୍ଦାର ଶୀତଳତା
ତ ପୁଣି କାହାପାଇଁ
ଲେଲିହାନ ଅଗ୍ନି ଶିଖା
ଦିଏ ଖାଲି ଦହନ l
ପ୍ରେମକୁ ଦେଖିଛି
ମୋହନ ବଂଶୀର ସ୍ଵନରେ
ପ୍ରେମକୁ ଦେଖିଛି
ରାଧାର ଆତୁରତାରେ
ପ୍ରେମକୁ ଦେଖିଛି
ମୀରାର ମଗ୍ନତା ରେ
ପ୍ରେମକୁ ଦେଖିଛି
ବିଦୂର ଶାଗ ଭଜାରେ
ପୁଣି ଦେଖିଛି ପ୍ରେମକୁ
ତଟ ନିରଞ୍ଜନାର
ବଟବୃକ୍ଷ ମୂଳରେ l
କେତେବେଳେ କିଏ
ଭାସିଛି ତା'ର ଅତ୍ମୀୟତାରେ
କେତେବେଳେ କାହା ମନରେ
ବିଦ୍ରୋହର ବହ୍ନି ମଧ୍ୟ ତା' ବିରୁଦ୍ଧରେ l
ସେ କିନ୍ତୁ ସ୍ଥିତପ୍ରଜ୍ଞ
ତା'ର ନାହିଁ ପ୍ରତିକ୍ରିୟା
କାହାରି ଭାବପ୍ରବଣତାରେ l
ପ୍ରେମ!
ତା'କୁ ନେଇ ମହାଭାରତର ସୃଷ୍ଟି
ତା'କୁ ନେଇ ବହୁସମୟରେ
ଅଶାନ୍ତିର ବୃଷ୍ଟି
ତା'କୁ ନେଇ କେତେ ଯେ ତର୍କ ଆଉ ଯୁକ୍ତି
ସେ ହିଁ ଦିଏ ପୁଣି ଏ ସମସ୍ତରୁ ମୁକ୍ତି l
ହେ ପ୍ରେମ!
ତୁ ବିଶ୍ଳେଷଣଠାରୁ ଯଥେଷ୍ଟ ଉପରେ
ତୁ ବର୍ଣ୍ଣନା ସୀମାର ପରପାରେ
ମୁଁ ଛାର ମଣିଷଟିଏ
ମୁଁ କ'ଣ ତୋ'ର ସଜ୍ଞା ନିରୂପଣ କରିପାରେ ?
ବୋଧହୁଏ ତୁ ସଜ୍ଞାର
ବହୁ ଉର୍ଦ୍ଧରେ l
