ପ୍ରେମ ଏକ ପୂଜା
ପ୍ରେମ ଏକ ପୂଜା


ପ୍ରେମ ବୋଲି ଯେଉଁ ଅଢେଇ ଅକ୍ଷର
ଜୀବନର ଅଟେ ସାର।
ପ୍ରେମ ବନ୍ଧନରେ ବନ୍ଧା ଏ ସଂସାର
କହନ୍ତି ମୁରଲୀଧର।।
ପ୍ରେମର ସ୍ୱରୁପ ଅଟେ ଭିନ୍ନ ଭିନ୍ନ
ଥାଏ ସବୁଠି ତା ଚିହ୍ନ।
ପ୍ରେମ ବିନା ଯେଉଁ ରହିଛି ସମ୍ପର୍କ
ସେ ସବୁ ତ ମୂଲ୍ୟହୀନ।।
ପ୍ରେମ ଆଉ ମୋହ ମଧ୍ୟରେ ଅନ୍ତର
ଅତି ସୂକ୍ଷ୍ମ ଅଟେ ଭାଇ।
ରାଧାକୃଷ୍ଣଙ୍କର ଦିବ୍ୟ ଅବତାର
ଶିକ୍ଷା ଦେଇଥିଲେ ଏହି।।
ପ୍ରେମୀ ପାଇଁ ପ୍ରେମ ଅଟେ ଏକ ପୂଜା
ମୋହ କଲେ ମିଳେ ସଜା।
ପ୍ରେମ ଭରିଦିଏ ଓଠ ଧାରେ ହସ
ମୋହ ଅଟେ ଲୁହ ଭିଜା।
ପ୍ରେମ ଅଟେ ସଦା ତ୍ୟାଗର ପ୍ରତୀକ
ମୋହ ଦିଏ ପ୍ରତାରଣା।।
>ପ୍ରେମ ତ ପବିତ୍ର, ଅଟଇ ଶାଶ୍ୱତ
ମୋହ କରେ ବାଟବଣା।।
ପ୍ରେମରେ ନଥାଏ ସ୍ୱାର୍ଥ କେବେ ହେଲେ
ମୋହ ମଧ୍ୟେ ଥାଏ ଏହା।
ପାଇବାର ଆଶା ପ୍ରେମରେ ନଥାଏ
ମୋହ ଶିକ୍ଷା ଦିଏ ତାହା।।
ପ୍ରେମ ଶିକ୍ଷା ଦିଏ ତ୍ୟାଗ କରିବାକୁ
ମୋହ ଚାହେଁ ପାଇବାକୁ।
ମୋହ ମାୟା ଜାଲେ ପ୍ରେମୀ ପାଏ ଧୋକା
ଲାଞ୍ଛନା ମିଳେ ପ୍ରେମକୁ।।
ମୋହ ଢାଳି ଦିଏ ଅବିଶ୍ୱାସ ବିଷ
ଜଗତ ବିନାଶ ପାଇଁ।
ପ୍ରେମ ଢାଳିଦିଏ ସୁଖର ଅମୃତ
ଜଗତ ପିଇବା ପାଇଁ।।
ବାସ୍ତବ ପ୍ରେମକୁ ନବୁଝି ଜଗତ
ମୋହ ପଛେ ହୁଏ ବାଇ।
ଏମିତି ହୋଇଲେ ବିନାଶ ନିଶ୍ଚିତ
ହେବ ନାହିଁ କାହିଁ ପାଇଁ?