ପ୍ରଭୁଙ୍କର ସୁନାବେଶ
ପ୍ରଭୁଙ୍କର ସୁନାବେଶ
ଆଷାଢ଼ ଶୁକ୍ଳର ପବିତ୍ର ଦିବସ
ଜଗତ କଲ୍ୟାଣ ପର୍ବ
ସ୍ଵର୍ଣ୍ଣ ଆଭୁଷଣେ ଭଗ୍ନୀଭ୍ରାତା ସଙ୍ଗେ
ରଥେ ପ୍ରଭୁ ଉପବିଷ୍ଟ ।
ଏ' ସ୍ଵର୍ଣ୍ଣାଭ ପରବ ଜଗତ ବିଖ୍ୟାତ
ପ୍ରଭୁଙ୍କ ସଦିଚ୍ଛା ମାତ୍ର
ଭକତର ନେତ୍ର ଦେଖେ ସୁନା ବେଶ
ଜଗନ୍ନାଥ ସର୍ବ ମିତ୍ର ।
ଦ୍ଵାଦଶ ବିବିଧ ସ୍ଵର୍ଣ୍ଣ ଅଳଙ୍କାର
କଟିମାଳା ଅଣ୍ଟାସୂତା
କିରିଟି କୁଣ୍ଡଳ ରତ୍ନ ଗଳା ମାଳ
ମସ୍ତକେ ମୁକୁଟ ଶୋଭା ।
ଅଶେଷ ମହିମା ହେ' ପ୍ରଭୁ ମଣିମା
ଜଗତ ଗୋସାଇଁ କର୍ତ୍ତା
ରଥେ ରଥ ଯାତ୍ରା ରଥରେ ବାହୁଡା
ଭକତ ପ୍ରେମରେ ବନ୍ଧା ।
ଆହାକି ସୁନ୍ଦର ଏ' ଶୃଙ୍ଗାର ବେଶ
ଦର୍ଶନେ ବିମୁଗ୍ଧ ଭକ୍ତ ,
ପାପନେତ୍ର ଯେବେ ଦେଖେ ମହାଭାବେ
ମନପ୍ରାଣ ହୁଏ ସିକ୍ତ ।
ବିଧିର ବିଧାନ ହେ'ଚକା ନୟନ
ବାର ମାସେ ତେର ପର୍ବ
ତବ ଶ୍ରୀମନ୍ଦିରେ ଭକ୍ତ ଭିଡ ଜମେ
ଆହାକି ସମ୍ବନ୍ଧ ଭାବ ।
ପ୍ରଥା ପରମ୍ପରା ବିଶ୍ଵରେ ନିଆରା
ସମୃଦ୍ଧ ଉତ୍କଳ ଛବି
ସଂସ୍କୃତି ଚିତ୍ରିତ ତୁମ୍ଭରି ସ୍ଵୀକୃତ
ହସେ ଅଂଶୁମାନ ରବି ।
ହେ'ସ୍ଵର୍ଣ୍ଣ ଚୂଡ଼ାମଣି ରସିକ କେଶରୀ
ଦୀନବନ୍ଧୁ ଦଇତାରୀ
ରଥପଥ ମିତ ଆଶୀର୍ବାଦେ ନିତ୍ୟ
ରୋଗ ଶୋକ ନିଅ ହରି ।
ତୁଳସୀ ଦୟଣା କିରତି କରୁଣା
ସବୁତ ତୁମ୍ଭରି ଲୀଳା
ଭାଵ ବିନୋଦିଆ ହେ'ଜଗା କାଳିଆ
କୃପାବଳେ ଭାସେ ଭେଳା ।
ସୁସଜ୍ଜିତ ରଥ ନନ୍ଦିଘୋଷ ପ୍ରୀତ
ରଥାରୂଢ ଜଗନ୍ନାଥ
ସୁନାବେଶ ରୂପ ସମୃଦ୍ଧି ସନ୍ଦେଶ
ପାଦପଦ୍ମେ ପ୍ରଣିପାତ ।
