ପିଲାଦିନ
ପିଲାଦିନ
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ନା ଥିଲା ଦାୟିତ୍ୱ ନା ଥିଲା ବନ୍ଦନ
ସରଳ ସୁନ୍ଦର ଚଗଲା ଜୀବନ।
ନା ଇର୍ଷା ନା କପଟ ନା ଚିନ୍ତା ନା ଛଳନା
ଆମେ କେତେ ହାସ୍ୟସ୍ମୃତି ସଞ୍ଚିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
କାଗଜର ଉଡାଯାହାଜ ମୋହର
ଉଡି ଯାଉଥିଲା କେତେ କେତେ ଦୂର।
ବରଷାରେ ଭିଜି କେତେ କାଗଜର ଡ଼ଙ୍ଗା
ମହା ଆନନ୍ଦେ ଭସେଇ ଦେଇଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ସଅଟ କରଣ୍ଟ ବିଷ ଓ ଅମୃତ
ନଟୁ ବାଟି ଖେଳି ଖାଇଥିଲୁ ବେତ।
ଚକାଟିଏ ଧରି ଗାଆଁ ସାରା ବୁଲି ବୁଲି
ଗୋଡ଼ ହାତ ବି ଖଣ୍ଡିଆ କରିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
କାଗଜ ଚିଠାରେ ଚୋର ଓ ପୋଲିସ
ଖେଳୁଥିଲୁ ସାଙ୍ଗ ସାଥି ମେଳେ ବସି।
ଥଣ୍ଡା ପାନୀୟର ଠିପି ଦିଆସିଲି ଖୋଳ
କେତେ ଯେ ଗୋଟେଇ ରଖିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ଚୋରେଇ ଖାଇଛୁ ଆମ୍ବ ଓ ପିଜୁଳି
ମାଡ଼ ବି ଖାଇଛୁ ଶୁଣିଛୁ ବି ଗାଳି।
ଇଟାର ଗୁଣ୍ଡକୁ ମରିଚଗୁଣ୍ଡ ଗଡି ପଥରକୁ ଆଳୁ କରି
କେତେ ଦୋକାନ ଯେ କରିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ଏକମାତ୍ର ହିରୋ ଆମ ଶକ୍ତିମାନ
ମିଷ୍ଟର ବିନ ଡୋରେମୋନ ସିଂଚାନ।
ଖୋଲା ଆକାଶରେ ବୁଢ଼ୀ ମା କୋଳେ ଶୋଇ
କେତେ ଗପ ଆମେ ଶୁଣିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ପଞ୍ଚତନ୍ତ୍ର ଆଉ ବିକ୍ରମ ବେତାଳ
ଗାଆଁ ବନ୍ଦ ମୂଳେ ସାଙ୍ଗ ସାଥି ମେଳ।
ଗୋଟିଏ ସାଇକେଲରେ ଚାରି ଜଣ ବସି
ଗାଆଁ ସାରା ଘିରି ଘିରି ବୁଲିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ମଲେଇ ବାଲାର ପେଏଁ ପେଏଁ ଶବ୍ଦ
କରି ଦେଉଥିଲା ମନକୁ ଉନ୍ମାଦ।
ସ୍କୁଲ ଯିବା ପାଇଁ ଲାଞ୍ଚୁଆ ହୋଇକି
ଆମେ ଟଙ୍କା ଖିଆ ଲାଞ୍ଚ ନେଇଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
କାର୍ତ୍ତିକ ମାସରେ ସକାଳୁ ମନ୍ଦିର
ହାଡ଼ ଭଙ୍ଗା ଶୀତେ ଗାଧୋଇବା ଡର।
ସାଙ୍ଗେ ସାଙ୍ଗେ ରାଗ ସାଙ୍ଗେ ସାଙ୍ଗେ ଶାନ୍ତ
ଆମେ କେତେ ଅନୁଭୂତି ରଖିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ବାଲି ଗଦା ଉପରେ କେତେ ବାଲିଘର
ପୋତିଛୁ କେତେ ସାଙ୍ଗ ସାଥୀଙ୍କୁ ଆମର।
ତେଲିଆ ମୁଣ୍ଡରେ ପଖା ସିନ୍ତା ମାରି
ସ୍କୁଲକୁ ପଟାମୁଣା ଧରି ଧାଇଁଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ସି ହେଲେ ସାଙ୍ଗ ବି ହେଲେ କଟି
ଥରେ ମୁଣ୍ଡ ବାଜିଲେ ସିଙ୍ଘ ଯିବ ଉଠି।
ମଞ୍ଜିଦେଲେ ଖାଇ ପେଟେ ହେବ ଗଛ
ଆଦି କେତେ ଯେ ଭରମ ପାଳିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
ସେବେ ଚାହୁଁଥିଲୁ ବଡ ହେବା ପାଇଁ
ଆଜି ସେ ଦିନର ଶାନ୍ତି ନ ମିଳଇ।
ନା ଟଙ୍କା ପାଇସାର ଲୋଭ ନା ଜୀବନ ଜଞ୍ଜାଳ ଦୁଃଖ
ସ୍ମୃତି ଆଇନାରେ ନେଇ ରଖିଛୁ।
ଆମେ ଆମ ପିଲାଦିନ,
ପିଲାଦିନ ପରି ଜୀଇଁଛୁ।
