ଫୁଲର ସମ୍ଭାର
ଫୁଲର ସମ୍ଭାର

ଶରତ ଆସିଛି ମରତ ହସୁଛି
ଫୁଲ ସମ୍ଭାରରେ ସଜେଇ ହୋଇ
ନିର୍ମଳ ଆକାଶ ଜାତି ଜାତି ଫୁଲ
ହସି ଉଠୁଛି ଏ ମରତ ଭୂଇଁ ।
ଧଳା ପାଟ ପିନ୍ଧି ନଦୀ ପଠାଧାରେ
କାଶତଣ୍ଡି ଝୁଲେ ଧୀରେଧୀରେ
ମଲ୍ଲୀ ଯୁଈ ଯାଇ ଫୁଲର ସୁଗନ୍ଧେ
ମନ ଆନମନା କରେ ।
ଶୋରିଷ ଫୁଲର ସୁନାରଙ୍ଗ ଦେହେ
ସୂର୍ଯ୍ୟଙ୍କ କିରଣ ପଡି
ଲାଗେ ମାଆ ଲକ୍ଷ୍ମୀ ମରତ ଭୂବନେ
ସ୍ୱୟଂ ଛନ୍ତି ବିଜେ କରି ।
ଗେଣ୍ଡୁ ଓ ସେବତୀ ଫୁଲର ସମ୍ଭାର
ଭାରି ମନଲୋଭା ଥାଏ
ପରଜା ପତିଟି ଫୁଲରୁ ଫୁଲକୁ
ଡେଣା ଝାଡି ଉଡିଯାଏ ।
ଗଙ୍ଗ ଶିଉଳି ର ମହମହ ବାସ୍ନା
ହୃଦ ଚହଲାଇ ଦିଏ
ଧଳା ଫୁଲ ତାର କମଳା ଡେମ୍ଫରେ
ମାଟି ମାଆ କୋଳକୁ ଚୁମିଯାଏ।
ଫୁଲ ସମ୍ଭାରରେ ଶିଶିର ବିନ୍ଦୁଟି
ମୁକ୍ତା ଭ୍ରମ ସୃଷ୍ଟି କରେ
ପଥଚାରି ଟିଏ ହୁଏ ଆନମନା
ତାକୁ ଦେଖିଦେଲେ ଥରେ ।
ବଗିଚାରେ ଯେବେ ଗୁଣୁଗୁଣୁ ହୋଇ
ଭଅଁର ଟି ଉଡୁଥାଏ
ତାକୁ ଦେଖି ଦେଲେ ମନପକ୍ଷୀ ମୋର
କବିତା ପଛରେ ଧାଏଁ ।
ଧାଡି ଧାଡି କରି ଶବ୍ଦଙ୍କୁ ସଜାଏ
ଫୁଲଙ୍କ ସମ୍ଭାର ପରି
ପଢିଦିଏ ଯେବେ ସେ କବିତା ରୁ କିଛି
ମନଯାଏ ମୋର ପୁରି ।