STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଫୁଲ ପ୍ରିୟ ବନମାଳୀ

ଫୁଲ ପ୍ରିୟ ବନମାଳୀ

1 min
211


ମରୁଆ ମଲ୍ଲି

ସେବତୀ ତରାଟ ନିଆଳି

ଫୁଲେ ଫୁଲେ ହୁଏ ବେଶ

ଫୁଲ ପ୍ରିୟ ବନମାଳି...


ନିତି ଧୂପ ଅବକାଶ

ବସ୍ତ୍ର ଅଳଙ୍କାର ବେଶ

ଚହଟଇ ଫୁଲ ବାସ

ବଉଳ ଗଙ୍ଗଶିଉଳି

କେତକୀ ଟଗର କୁନ୍ଦ

ସୁଗନ୍ଧ ରାଜ ସୁଗନ୍ଧ

ରଙ୍ଗଣୀ ର ରଙ୍ଗ ଛନ୍ଦ

ମକରନ୍ଦ ଦିଏ ଢାଳି

ଫୁଲ ପ୍ରିୟ ବନମାଳି...


ଫୁଲରେ ହୁଏ ଗହଣା

ନାକୁଆସୀ ନାକ ଚଣା

ଫୁଲର ଅଳକା ଗୁଣା

କରେ ପଲ୍ଲବ ଅଙ୍ଗୁଳି

ତା ବଡ଼ସିଂହାର ହସ

ଶଗଡେ ଫୁଲରେ ବେଶ

କାଳିଆ ଭାଙ୍ଗେ ଅଳସ

ତାମ୍ବୁଳ ରେ ଓଠ ନାଲି

ଫୁଲ ପ୍ରିୟ ବନମାଳି...


ମହକେ ଦୟଣା ମାଳ

ମଥାରେ ତୁଳସୀ ଚୂଳ

ଫୁଲ ର ଗଜରା ଠୁଳ

କେତେ ରଙ୍ଗ ଭଳି ଭଳି

ଶ୍ରୀପୟର ମାଳା ଝୁମ୍ପା

ଅଧର ମାଳା ଚନ୍ଦ୍ରିକା

କୁଣ୍ଡଳ ତିଳକ ଗଭା

ଅପୂର୍ବ ଗଢା ଶଇଳି

ଫୁଲ ପ୍ରିୟ ବନମାଳି...


ହୃଦରେ ହୃଦ ପଦକ

ଧନ୍ଯ ସେ ଶିଳ୍ପୀ ସେବକ

ଫୁଲରେ ଭରେ ଚମକ

ତୁଳସୀ ଗୋଲାପ କଳି

ଫୁଲ ତା ଅଙ୍ଗ ଭୂଷଣ

ଫୁଲ ଆସନ ବସନ

ଫୁଲରେ ତା ବନ୍ଦାପନା

ଫୁଲ ହୁଏ ପୁଷ୍ପାଞ୍ଜଳି

ଫୁଲ ପ୍ରିୟ ବନମାଳି...


ପଦ୍ମ ପଳାସ ନୟନ

ନାଭି ଯେ କମଳ ବନ

ପଦ୍ମ ପୟରରେ ମନ

ଏ ଅଧମ ଦିଏ ଢାଳି

ଫୁଲ ପରି ମନ ତାର

ଛଳଛଳ ଢଳଢଳ

ଭକତ ପାଇଁ ପାଗଳ

ଶୁଣେ ଅଳି ଅରଦଳି

ଫୁଲ ପ୍ରିୟ ବନମାଳି... 



Rate this content
Log in