STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ଫେରିଆ ଫେରିଆ

ଫେରିଆ ଫେରିଆ

1 min
452




ଛାଡ଼ି ଆସିଛି ମୁଁ ନଈ ବାଲି ତଟ

ପଦୁଅଁ ପୋଖରୀ ଗହିରିଆ ପାଟ

ଆପଣାର ଯେତେ ମାଟି, ପାଣି, ବାଆ

ହାତ ଠାରି ଡାକେ ଫେରିଆ ଫେରିଆ


ଅଙ୍କା ବଙ୍କା ନଈ ତଟ ବାଲିଘର

ପାଦଛାଞ୍ଚେ ଗଢ଼ା ସ୍ଵପ୍ନର ସହର

ନଈର ପାଣିରେ କଉତୁକ ଖେଳ

ପିନ୍ଧାଜାମା ସାଜେ ମାଛଧରା ଜାଲ

ସଙ୍ଗେ ଥିବେ ପୁଣି ମୋ’ ସାଥୀ କା’

କୋଳାହଳମୟ କୂଳେ ଭଙ୍ଗା ନାଆ

ହାତ ଠାରି ଡାକେ ଫେରିଆ ଫେରିଆ


ନଈ ଦାଢ଼େ ଦାଢ଼େ କାଶତଣ୍ଡୀ ଫୁଲ

ମନ୍ଦିର ବେଢ଼ାର ରସାଳିଆ ବେଲ

ତୋଟାମାଳେ ପେନ୍ଥା ଆମ୍ବର ବଉଳ

ପଥ ଧାରେ ମିଠା ମିଠା ଆତ ଫଳ

ଅପେକ୍ଷାରେ ସତେ ରହିଛି କି ଠିଆ

ପାଇବ ବୋଲି ସେ ମୋ ହାତର ଛୁଆଁ

ହାତ ଠାରି ଡାକେ ଫେରିଆ ଫେରିଆ


ସୁକୁଟି, ସାରିଆ, ମିଲି, ସାବିନାନୀ

ଖେଳସାଥୀ ମୋର ଭୁଲି କି ଗଲେଣି

ଗାଁ ଦାଣ୍ଡେ ପୁଚି, କବାଡ଼ି ପସରା

ବୋହୁଚୋରୀ ପୁଣି ଲୁକାଛୁପି ଖେଳା

ମକର ସାଙ୍ଗରେ ସେ ଦଉଡ଼ି ଡିଆଁ

ଚାହିଁଥିବ ତେଣେ ମୋ’ ସ୍ନେହି ମାଆ

ହାତ ଠାରି ଡାକେ ଫେରିଆ ଫେରିଆ


ଘର ଅଗଣାର ତୁଳସୀ ଚଉଁରା

କାଖର କଳସୀ ମଥା ପାଣି ଗରା

ଗୋଧୂଳୀ ମୁହଁର ନାଲି ସଞ୍ଜବତୀ

ପୁଲକରେ ଭରା ଜହ୍ନି ଓଷା ରାତି

ଠାକୁର ପିଣ୍ଡିର ମୋ ଟିକି କାଳିଆ

ଜୀବନ ତରୀର ଏକା ନାଉରିଆ

ହାତ ଠାରି ଡାକେ ଫେରିଆ ଫେରିଆ


ପୋଖରୀ ତୁଠର ମୁଗୁନି ପଥର

ବୟସ ଭାରରେ କ୍ଷୀଣ ତା ଶରୀର

ଅନାଇ ରହିଛି ମୋ ଫେରନ୍ତା ବାଟ

କାଳ ସରିଲାଣି ଦିଶିଲାଣି ଫାଟ

ଝରିବା ଆଗରୁ ଦେଖିବ ମୋ କାୟା

ନିଥର ହୃଦୟେ କେତେ ମୋହ ମାୟା

ହାତ ଠାରି ଡାକେ ଫେରିଆ ଫେରିଆ


ଗାଁ ସରି ଗଲେ ଦିଶେ ତାଳ ବଣ

ଶୁଭିଯାଏ କାନେ ନରିଆ’ଇ ରାଣ

“ଏକା ଛାଡ଼ି ମୋତେ ଯାଆନି ଲୋ ମିତ

ତୋ ବିନା ବଞ୍ଚିବି କେମିତି କହ ତ”

ରହି ରହି ମୋହେ ନରିଆ’ଇ ଚାହାଁ

କେମିତି ଥିବ ସେ ମୋତେ ଛାଡ଼ି ଆହା

ହାତ ଠାରି ଡାକେ ଫେରିଆ ଫେରିଆ


ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍