ଫେଏଁକିନା ସିଏ ହସିଲା
ଫେଏଁକିନା ସିଏ ହସିଲା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଫଣଫଣ କରି ମୁହଁକୁ
ଆଖିରୁ ଝରେଇ ଲୁହକୁ
କୁନିଝିଅ ଦିନେ ରୁଷିଲା
ମନେଇବା ଲାଗି ସେଦିନ ତାହାକୁ
ରସଗୋଲା କେତେ ଆସିଲା ।।
ମାଆ ତା'ର ଆସି ପହିଲେ
ଖାଇଦେଏ ବୋଲି କହିଲେ
କାନକୁ ନ ନେଇ କଥାକୁ
ମଉନ ହୋଇ ସେ ବସିଥିଲା ତା'ର
ତଳକୁ ଝୁଲେଇ ମଥାକୁ ।।
ବାପା ହାତ ଧରି ଟାଣିଲେ
କୋଳକୁ ଆଦରେ ଆଣିଲେ
ହାତକୁ ଦେଲା ସେ ଛିଚାଡି
ରସଗୋଲା ଯାହା ଆସିଥିଲା ସବୁ
ଭୁଇଁରେ ପଡିଲା ବିଛାଡି ।।
ଜେଜେମା' ଆସିଲେ ପାଖେଇ
ନେଲେ ତାକୁ ବେଗେ କାଖେଇ
ଶରଧାରେ ନେଇ ଧରିଲେ
ହସିଲାନି ସେ'ତ ହସିବାକୁ ଯେତେ
କୁତୁକୁତୁ ତାକୁ କରିଲେ ।।
କଥା ବେଳୁବେଳ ବଢିଲା
ଜେଜେଙ୍କ କାନରେ ପଡିଲା
ଆସି ସିଏ ବହେ ବକିଲେ
ତଥାପି ତାହାର ମନ ବୁଝିଲାନି
କହି କହି ଶେଷେ ଥକିଲେ ।।
କାହିଁ ଥିଲା ଭୁଆ ବିଲେଇ
ମିଆଁଉ ମିଆଁଉ ଚିଲେଇ
ଘରକୁ ସେଇନା ପଶିଲା
ହେଇ ହେଇ କହି ତାକୁ ଧରି ନେଇ
ଫେଏଁକିନା ସିଏ ହସିଲା ।।